କରୋନା ମୁକାବିଲାରେ ଆୟୁଷ ଡାକ୍ତରଙ୍କ ନିୟୋଜନକୁ ବିରୋଧ, ହାଇକୋର୍ଟରେ ମାମଲା ଖାରଜ

କଟକ : ରାଜ୍ୟରେ କରୋନା (କୋଭିଡ-୧୯)ର ମୁକାବିଲା ପାଇଁ ଆ‌ୟୁଷ ଡାକ୍ତରଙ୍କୁ ନିୟୋଜିତ କରିବା ନିଷ୍ପତ୍ତି ବିରୋଧରେ ଦାୟର ଜନସ୍ବାର୍ଥ ମାମଲା‌ର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପଡିଛି।

ମାମଲାର ଶୁଣାଣି ସମୟରେ ଆୟୁଷ ନିର୍ଦ୍ଦେଶକ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ଆୟୁଷ ମେଡିକାଲ ଅଫିସର ଓ ହୋମିଓପାଥିକ ମେଡିକାଲ ଅଫିସରଙ୍କ ନିୟୋଜନ ପରେ ସରକାରୀ ଆୟୁର୍ବେଦିକ ଡିସପେନସରି ଓ ହୋମିଓପାଥିକ ଡିସପେନସରି ଗୁଡିକ ବନ୍ଦ ହୋଇନାହିଁ। ଆୟୁଷ ଆସିଷ୍ଟାଣ୍ଟମାନେ ଡିସପେନସରି ଖୋଲି ମେଡିକାଲ ଅଫିସରଙ୍କ ପ୍ରେସକ୍ରିପସନ୍ ଅନୁସାରେ ଔଷଧ ବିତରଣ କରୁଛନ୍ତି। ଜରୁରୀ କ୍ଷେତ୍ରରେ ଏମାନେ ରୋଗୀଙ୍କୁ ସ୍ଥାନୀୟ ପିଏଚସି/ସିଏଚସିକୁ ପଠାଉଛନ୍ତି। ଏଥିସହିତ ସ୍ବାସ୍ଥ୍ୟ ବିଭାଗର ମେ ୧୫ର ବିଜ୍ଞପ୍ତି ଅନୁସାରେ ବିଭିନ୍ନ ଡିସପେନସରିରେ ଖାଲି ପଡିଥିବା ପଦବିରେ ୧୫୮ଜଣ ନୂଆ ଆୟୁର୍ବେଦିକ ମେଡିକାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି। ନବ ନିଯୁକ୍ତ ଡାକ୍ତରମାନେ ସେମାନଙ୍କ ଦାୟିତ୍ବ ନିର୍ବାହ କରୁଛନ୍ତି। ଆୟୁଷ ନିର୍ଦ୍ଦେଶକଙ୍କ ଏପରି ସତ୍ୟପାଠ ପରେ ହାଇକୋର୍ଟ ଏ ସଂପର୍କିତ ମାମଲାକୁ ଖାରଜ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ୍ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରମୋଦ କୁମାର ଲେଙ୍କା, ବନବିହାରୀ ମୁଦୁଲି, ଅଭିମନ୍ୟୁ ବାରିକଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର