ପରୀ ହତ୍ୟାକାଣ୍ଡ ତଦନ୍ତକୁ ନେଇ ହାଇକୋର୍ଟଙ୍କ ଅସନ୍ତୋଷ: ଷ୍ଟାଟସ୍ ରିପୋର୍ଟ ବନ୍ଦ ଲଫାପାରେ ଦାଖଲ ପାଇଁ ନିର୍ଦ୍ଦେଶ

କଟକ: ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡ ମାମଲାରେ ତଦନ୍ତର ଷ୍ଟାଟସ୍ ରିପୋର୍ଟ ଆଜି ହାଇକୋର୍ଟରେ ରାଜ୍ୟ ସରକାର ଦାଖଲ କରିଛନ୍ତି। ଏଥିସହିତ ଏହି ମାମଲାର ଏସଆଇଟି ତଦନ୍ତ ଚାଲିଛି ଓ ତଦନ୍ତ ସାରିବାକୁ ଅଧିକ ସମୟ ଲୋଡା ବୋଲି ସରକାରଙ୍କ ପକ୍ଷରୁ ଦର୍ଶଯାଇଛି। ହାଇକୋର୍ଟ ଆଜି ତଦନ୍ତର ଅଗ୍ରଗତି ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅଭିଯୁକଙ୍କ ଗିରଫଦାରୀ ଓ ତ୍ୱରିତ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୪ ତାରିଖରେ ହେବ।

ପରବର୍ତ୍ତୀ ଶୁଣାଣି ସମୟରେ ବନ୍ଦ ଲଫାପାରେ ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  ଆଜି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର୍. ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପଦ୍ମାଳୟା ମହାପାତ୍ର ଓ ଭାରତୀୟ ବିକାଶ ପରିଷଦ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

Odisha Bytes

ମାମଲାର ବିବରଣୀରୁ ପ୍ରକାଶ ଯେ ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପ୍ରସଂଗ ନେଇ ହାଇକୋର୍ଟରେ ଦୁଇଟି ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା। ଗୋଟିଏ ଆଇନଜୀବୀ ପଦ୍ମାଳୟା ମହାପାତ୍ର ଦାୟର କରିଥିବା ବେଳେ ଅନ୍ୟଟି ଭାରତୀୟ ବିକାଶ ପରିଷଦ ରୁଜୁ କରିଥିଲା। ଉଭୟ ମାମଲାରେ ସିବିଆଇ ତଦନ୍ତ ପାଇଁ ଦାବି କରାଯାଇଛି। ଆଇନଜୀବୀ ମହାପାତ୍ରଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ ୨୦୨୦, ଜୁଲାଇ ୨୦ରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ପରୀ ନିଖୋଜ ହୋଇଯାଇଥିଲା। ଜୁଲାଇ ୨୩ରେ ଘର ପଛପଟୁ ଶିଶୁଟିର କେତେ ଖଣ୍ଡ ହାଡ଼ ମିଳିଥିଲା। ରାଜନୈତିକ ନେତାଙ୍କ ଚାପରେ ପୁଲିସ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡୋଉଛି। ପୁଲିସ ଚାପରେ ରହିଛି। ଏହି ଘଟଣାର ତଦନ୍ତକୁ ହାଇକୋର୍ଟ ନିଜେ ତଦାରଖ କରନ୍ତୁ। ନଚେତ ସିବିଆଇ ବା ଅନ୍ୟ ସ୍ବାଧୀନ ଏଜେନ୍ସିକୁ ତଦନ୍ତ ଭାର ହସ୍ତାନ୍ତର କରାଯାଉ। ପୀଡିତ ପରିବାରକୁ ସୁରକ୍ଷା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

ସେହିଭଳି ଭାବେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ପୁଲିସ ଉପରେ ଆସ୍ଥା ନାହିଁ। ଓଡ଼ିଶାର ସାରା ଲୋକଙ୍କ ଆଉ ପୁଲିସ ତଦନ୍ତ ଉପରେ ଭରସା ନାହିଁ। ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ। ଏଥି ସହିତ ପରୀର ବାପା-ମା’ଙ୍କୁ ୨୫ ଲକ୍ଷ ଟଙ୍କା ରାଜ୍ୟ ସରକାର କ୍ଷତିପୂରଣ ପ୍ରଦାନ କରନ୍ତୁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର