ଢିଙ୍କିଆ ପାଇଁ କମିଟି ଗଠନ କଲେ ହାଇକୋର୍ଟ, ୧୯ରେ ୫ଜଣ ଆଇନଜୀବୀ ଗସ୍ତ କରି ରିପୋର୍ଟ ଦେବେ

ଗାଁକୁ ଫେରି ପାରୁ ନଥିବା ବାସିନ୍ଦାଙ୍କ ତାଲିକା ଦେବାକୁ ନିର୍ଦ୍ଦେଶ

କଟକ : ଜଗତ୍‌ସିଂହପୁରର ଢିଙ୍କିଆରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ପଦ‌କ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ୫ ଜଣିଆ ଆଇନଜୀବୀଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି। ୫ଜଣଙ୍କ ମଧ୍ୟରେ ରହିଛନ୍ତି, ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ପ୍ରଶାନ୍ତ କୁମାର ଜେନା, ଓମ୍‌କାର ଦେବଦାସ, ସୁକାନ୍ତ କୁମାର ଦଳାଇ। ଅନ୍ୟ ଦୁଇଜଣ ହେଲେ, ଅତିରିକ୍ତ ସରକାରୀ ଓକିଲ ଦେବକାନ୍ତ ମହାନ୍ତି ଓ ଜନ୍ମେଜୟ କଟକିଆ। ୫ଜଣଙ୍କୁ ନେଇ ଗଠିତ କମିଟି ଆସନ୍ତା ୧୯ ତାରିଖଦିନ ଢିଙ୍କିଆ ଗ୍ରାମ ଗସ୍ତକରି ସ୍ଥିତି ଅନୁଧ୍ୟାନ କରିବେ ଏବଂ ସ୍ଥିତି ଆକଳନ ସଂପର୍କିତ ମିଳିତ ରିପୋର୍ଟ ଦାଖଲ କରିବେ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଆର‌୍‌.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ତିନୋଟି ମାମଲାର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଢିଙ୍କିଆଠାରେ ପ୍ରସ୍ତାବିତ ଜେଏସ୍‌ଡବ୍ଲୁ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବେଳେ ସ୍ଥାନୀୟ ବାସିନ୍ଦାଙ୍କ ଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ତିନୋଟି ମାମଲା ଦାୟର ହୋଇଛି। ଗତ ଜାନୁଆରି ୧୮ରେ ହାଇକୋର୍ଟ ଢିଙ୍କିଆର କୁନି ମଲ୍ଲିକ ଓ ଅନ୍ୟ ୪ଜଣଙ୍କ ଆବେଦନର ଶୁଣାଣି କରି ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଥିଲେ। ଜାନୁଆରି ୧୯ରେ ଆଇନଜୀବୀ କ୍ଷୀରୋଦ କୁମାର ରାଉତ, ଦୀପକ କୁମାର ମହାପାତ୍ର ଓ କବିରାଜ ପ୍ରଧାନଙ୍କ ଆବେଦନର ଶୁଣାଣି କରି ଜାନୁଆରି ୨୦ରେ ଦୁଇ ମାମଲାର ଏକତ୍ର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଥିଲେ। ତୃତୀୟ ମାମଲାଟି ପ୍ରତାପରୁଦ୍ର ସାମନ୍ତରାୟ ଦାୟର କରିଛନ୍ତି। ମାମଲାରେ ଦର୍ଶାଯାଇଛି ଯେ ଢିଙ୍କିଆରେ ପୁଲିସ କାର୍ଯ୍ୟାନୁଷ୍ଠାନ ସବୁ ସୀମା ଟପିଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ମୁତୟନ କରାଯାଇଥିବା ପୁଲିସ ଫୋର୍ସ ଢିଙ୍କିଆ ଓ ଏହାର ଆଖପାଖ ଅଞ୍ଚଳରୁ ପ୍ରତ୍ୟାହାର ସହିତ ସ୍ଥାନୀୟ ଅଞ୍ଚଳରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାକୁ ପଦକ୍ଷେପ ନିଆଯାଉ। ଘଟଣାର ନିରପେକ୍ଷ ତଦନ୍ତ କରାଯାଉ। ଆହତଙ୍କ ଉପଯୁକ୍ତ ଚିକିତ୍ସା ଓ ପୀଡ଼ିତଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଉ। ଏଥିସହିତ ବିନା ଆଇନଗତ ପ୍ରକ୍ରିୟା ଅନୁସରଣରେ ଜମି ଅଧିଗ୍ରହଣ କରା ନ ଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

ବୁଧବାର ଦିନ ଏହି ମାମଲାର ଶୁଣାଣି କରି ସୁରକ୍ଷା ଭୟରେ ଢିଙ୍କିଆକୁ ଫେରି ପାରୁ ନଥିବା ଗ୍ରାମବାସୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଉପରେ ଆଜି ହାଇାକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଆସନ୍ତା ୧୯ ତାରିଖଦିନ ୫ଜଣ ଆଇନଜୀବୀ ଢିଙ୍କିଆ ଗସ୍ତକରି ପରିସ୍ଥିତି ଅନୁଧ୍ୟାନ କରିବା ସହ ଯୁଗ୍ମ ରିପୋର୍ଟ ଦାଖଲ କରିବେ। ଯଦି ଏହି ଆଇନଜୀବୀମାନଙ୍କ ମଧ୍ୟରେ ଏହି ପ୍ରସଂଗରେ ସହମତି ନ ରୁହେ, ତେବେ ସେମାନେ ନିଜ ନିଜର ପୃଥକ ରିପୋର୍ଟ ଦାଖଲ କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଗ୍ରାମକୁ ଫେରିବାକୁ ଚାହୁଁଥିବା ଗ୍ରାମବାସୀଙ୍କ ନାଁ ଅତିରିକ୍ତ ସରକାରୀ ଓକିଲଙ୍କୁ ଆବେଦନକାରୀଙ୍କ ପକ୍ଷରୁ ପ୍ରଦାନ କରାଯିବ। ଏହାପରେ ବିନା ଭୟରେ ଓ ସୁରକ୍ଷିତ ଭାବେ ଗ୍ରାମବାସୀ ନିଜ ଗ୍ରାମକୁ ଫେରିବା ପାଇଁ ଅତିରିକ୍ତ ସରକାରୀ ଓକିଲ ପଦକ୍ଷେପ ଗ୍ରହଣ କରିବେ ବୋଲି ହାଇକୋର୍ଟ କହିଛନ୍ତି।

ଏହି ମାମଲାରେ ଦାଖଲ ଷ୍ଟାଟସ୍ ରିପୋର୍ଟ ଓ ସରକାରଙ୍କ ଜବାବର କପି ଆବେଦନକାରୀଙ୍କୁ ପ୍ରଦାନ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବାସହିତ ଫେବ୍ରୁଆରି ୨୩କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର