କଟକ : ଆଜି ପୁଣି ହାଇକୋର୍ଟରେ ବସିଛି ଫୁଲ୍ ବେଞ୍ଚ୍‌। କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କ ସହିତ ହାଇକୋର୍ଟର ସମସ୍ତ ୧୩ ଜଣ ବିଚାରପତିଙ୍କୁ ନେଇ ଗଠିତ ଫୁଲ୍ ବେଞ୍ଚ୍‌ରେ ଆଜି ଆଇନଜୀବୀ ଆନ୍ଦୋଳନ ସଂପର୍କିତ ଅଦାଲତ ଅବମାନନା ମାମଲାର ଶୁଣାଣି ହୋଇଛି। ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଛି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆନ୍ଦୋଳନ ପ୍ରତ୍ୟାହାର କରି ଅଧିକାଂଶ ବାର୍ ଆସୋସିଏସନ୍ କୋର୍ଟ କାର୍ଯ୍ୟରେ ଯୋଗ ଦେଇ ସାରିଛନ୍ତି। କିନ୍ତୁ ପ୍ରାୟ ୮ଟି ବାର୍ ଆସୋସିଏସନ୍ ଆନ୍ଦୋଳନ ଜାରି ରଖିଛନ୍ତି। ସେଥିରୁ ଅଧିକାଂଶ ବାର୍ ଆସୋସିଏସନ୍ ପଶ୍ଚିମ ଓଡ଼ିଶାର ବୋଲି ଜଣାପଡ଼ିଛି। ଏଭଳି ସ୍ଥିତିରେ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨କୁ ଧାର୍ଯ୍ୟ କରାଯାଇଛି। ପରବର୍ତ୍ତୀ ଶୁଣାଣି ସମୟରେ ରାଜ୍ୟ‌ର କେଉଁ ବାର୍ ଗୁଡିକ ସଂପୂର୍ଣ୍ଣ ଭାବେ କାର୍ଯ୍ୟରେ ଯୋଗ ଦେଲେଣି, କେଉଁ ସ୍ଥାନରେ ଆନ୍ଦୋଳନ ଜାରି ରହିଛି ଓ କେଉଁ ସ୍ଥାନରେ ନିର୍ଦ୍ଦିଷ୍ଟ ଦିନରେ ଅଦାଲତ କାର୍ଯ୍ୟ ବନ୍ଦ ରହୁଛି, ସେ ନେଇ ସାନି ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଗତ ବର୍ଷ ଅକ୍ଟୋବର ୧୪ରେ ହାଇକୋର୍ଟ ସମେତ ରାଜ୍ୟର ବିଭିନ୍ନ ଅଦାଲତରେ ଆଇନଜୀବୀ ଆନ୍ଦୋଳନ ପ୍ରସଂଗକୁ ନେଇ ହାଇକୋର୍ଟ ନିଜ ଆଡୁ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ପରବର୍ତ୍ତୀ ସମୟରେ ହାଇକୋର୍ଟ ବାର୍ ଆସୋସିଏସନ ବିରୋଧରେ ଆଇନଜୀବୀ ଆନ୍ଦୋଳନ ସଂପର୍କିତ ଅଦାଲତ ଅବମାନନା ମାମଲାର ଶୁଣାଣି ବନ୍ଦ କରିବା ପାଇଁ ଫୁଲ୍ ବେଞ୍ଚ୍‌ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ଅନ୍ୟ ବାର୍ ଗୁଡିକ ବିରୋଧରେ ଏହି ଅଦାଲତ ଅବମାନନା ମାମଲାର ଶୁଣାଣି ଚାଲିଛି। ମାମଲାରେ ଅଧିକାଂଶ ବାର୍ ଆସୋସିଏସନ ସତ୍ୟପାଠ ମାଧ୍ୟମରେ ପକ୍ଷ ରଖି ସାରିଛନ୍ତି। ହାଇକୋର୍ଟ ସମେତ ରାଜ୍ୟର ବିଭିନ୍ନ ଅଦାଲତରେ ଆଇନଜୀବୀ ଆନ୍ଦୋଳନ ପ୍ରସଂଗକୁ ନେଇ ହାଇକୋର୍ଟ ନିଜ ଆଡୁ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ଐତିହାସିକ ଘଟଣା କ୍ରମେ ହାଇକୋର୍ଟ ମୁଖ୍ୟ ବିଚାରପତି ଓ ଅନ୍ୟ ସମସ୍ତ ବିଚାରପତିଙ୍କୁ ନେଇ ଗଠିତ ଫୁଲ ବେଞ୍ଚ୍‌ ମାମଲାର ଶୁଣାଣି କରି ଅକ୍ଟୋବର ୧୫ରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଆଇନ ସଚିବ, ବାର୍ କାଉନସିଲ ଅଫ ଇଣ୍ଡିଆ ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ, ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି, ସଂପାଦକ, ସମ୍ବଲପୁର ବାର୍ ଆସୋସିଏସନ୍ ସଭାପତି, ସଂପାଦକଙ୍କ ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଆଉ ୬୬ଟି ଆଇନଜୀବୀ ସଂଘକୁ ନୋଟିସ୍ ଜାରି କରିଥିଲେ। ଅକ୍ଟୋବର ୧୪ ରେ ହାଇକୋର୍ଟ ବାର୍ ଆସୋସିଏସନ୍ କୋର୍ଟ ବର୍ଜନ ଆନ୍ଦୋଳନ ଆରମ୍ଭ କରିଥିଲା। ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ମଧ୍ୟ ଏହି ପ୍ରସଂଗକୁ ଗୁରୁତ୍ବର ସହିତ ନେଇଥିଲେ। ବାର୍ କାଉନସିଲ ଅଫ ଇଣ୍ଡିଆ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ହାଇକୋର୍ଟ ବାର୍ ଆସୋସିଏସନ ସମେତ ରାଜ୍ୟର ମୋଟ ୬୮ଟି ଆଇନଜୀବୀ ସଂଘକୁ ଅନୁରୋଧ କରିଥିଲା। ଏହା ପରେ ନଭେମ୍ବର ୧ରେ ହାଇକୋର୍ଟ ବାର୍ ଆସୋସିଏସନ ସାଧାରଣ ପରିଷଦ ବୈଠକ ବସି କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ ରଖି ନଭେମ୍ବର ୪ରୁ କୋର୍ଟ କାର୍ଯ୍ୟରେ ଯୋଗ ଦେବା ପାଇଁ ନିଷ୍ପତ୍ତି ନେଇଥିଲା।