ହାଇକୋର୍ଟ ପକ୍ଷରୁ ନିମ୍ନ ଅଦାଲତଗୁଡିକ ପାଇଁ ନିର୍ଦ୍ଦେଶନାମା : ଲକ୍ ଡାଉନ ଅଞ୍ଚଳରେ ୧୨ଟାରୁ ୧ଟା ଓ ଅନ୍ୟ ସ୍ଥାନରେ ୧୧ଟାରୁ ୧ଟା ପର୍ଯ୍ୟନ୍ତ କୋର୍ଟ

କଟକ : ‘କରୋନା ଭୂତାଣୁର ବିପଦକୁ ଦୃଷ୍ଟିରେ ରଖି ହାଇକୋର୍ଟ ପକ୍ଷରୁ ସବ୍-ଅର୍ଡିନେଟ୍ କୋର୍ଟ (ନିମ୍ନ ଅଦାଲତ) ଗୁଡିକ ପାଇଁ ଆଜି ସାନି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ମାର୍ଚ୍ଚ ୧୬ର ଏ ସଂପର୍କିତ ବିଜ୍ଞପ୍ତିର ଏହା କ୍ରମାନବୃତ୍ତି ନିର୍ଦ୍ଦେଶାବଳୀ ବୋଲି ଆଜି ହାଇାକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

କରୋନା ସତର୍କତାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡା, ଅନୁଗୁଳ ଜିଲ୍ଲା ସହିତ ପୁରୀ, ରାଉରକେଲା, ସମ୍ବଲପୁର, ଝାରସୁଗୁଡା, ବାଲେଶ୍ବର, ଯାଜପୁର, ଯାଜପୁର ରୋଡ୍, ଭଦ୍ରକ ସହର ମାର୍ଚ୍ଚ ୨୨ ତାରିଖ ସକାଳ ୭ଟାରୁ ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଲକ୍ ଡାଉନ୍ ପାଇଁ ମାର୍ଚ୍ଚ ୨୧ ତାରିଖରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିକୁ ବିଚାରକୁ ନେଇ ନିମ୍ନ ଅଦାଲତ ଗୁଡିକ ପାଇଁ ଏପରି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରାଯାଇଛି। ଲକ୍ ଡାଉନ ତାଲିକାରେ ଥିବା ଜିଲ୍ଲା ଓ ପୌରାଞ୍ଚଳ ଗୁଡିକରେ ସବ୍-ଅର୍ଡିନେଟ୍ କୋର୍ଟ (ନିମ୍ନ ଅଦାଲତ) ଓ କୋର୍ଟ କାର୍ଯ୍ୟାଳୟ ଦିନ ୧୨ଟାରୁ ୧ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଜାମିନ, ପ୍ରଡକ୍ସନ୍, ରିମାଣ୍ଡ ଭଳି ଅତି ଜରୁରୀ ମାମଲା ଗୁଡିକର ଶୁଣାଣି ଏହି ସମୟରେ କରାଯିବ। ଆବଶ୍ୟକ ଅନୁସାରେ ଯଥା ସମ୍ଭବ କମ୍ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ଏହି ସବୁ ଜିଲ୍ଲା ଓ ପୌରାଞ୍ଚଳ ଛଡା ଅନ୍ୟ ଜିଲ୍ଲା ଓ ସ୍ଥାନ ଗୁଡିକରେ ଦିନ ୧୧ଟାରୁ ୧ଟା ପର୍ଯ୍ୟନ୍ତ କୋର୍ଟ ଓ କୋର୍ଟ କାର୍ଯ୍ୟାଳୟ କାର୍ଯ୍ୟ ରହିବ। କେବଳ ଜାମିନ, ପ୍ରଡକ୍ସନ୍, ରିମାଣ୍ତ, ଟେମ୍ପରାରି ଇଞ୍ଜକ୍ସନ୍ ଭଳି ଜରୁରୀ ମାମଲା ଗୁଡିକର ଶୁଣାଣି କରାଯିବ। ଆବଶ୍ୟକ ଅନୁସାରେ ଯଥା ସମ୍ଭବ କମ୍ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ଦିନ ୧ଟା ପରେ କୋର୍ଟ ବନ୍ଦ ରହିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ଜରୁରୀ ମାମଲାର ଶୁଣାଣି ବେଳେ କୋର୍ଟରେ ଗହଳି ଏଡାଇବା ପାଇଁ ପକ୍ଷଙ୍କ ତରଫରୁ କେବଳ ଆଇନଜୀବୀଙ୍କୁ କୋର୍ଟ ଭିତରେ ଉପସ୍ଥିତ ରହିବାକୁ ଅନୁମତି ଦିଆଯିବ। କର୍ମଚାରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କୋର୍ଟର ପ୍ରିଜାଇଡିଂ ଅଫିସର ଜିଲ୍ଲା ଜଜ୍‌ଙ୍କୁ ଅବଗତ କରି ଏହି ପ୍ରସଂଗରେ ନିଷ୍ପତ୍ତି ଗ୍ରହଣ କରିବେ। ଯେଉଁ କୋର୍ଟ କର୍ମଚାରୀଙ୍କୁ ନିୟୋଜିତ କରାଯାଇ ନାହିଁ ସେମାନେ ସର୍ବଦା ଆବଶ୍ୟକ ସ୍ଥଳେ କାର୍ଯ୍ୟରେ ଯୋଗ ଦେବା ପାଇଁ ପ୍ରସ୍ତୁତ ହୋଇ ରହିବେ। ଏହି ସବୁ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ବାର୍ ଆସୋସିଏସନ୍ ଓ ଆଇନଜୀବୀଙ୍କ ସହଯୋଗ ନିଆଯିବ। ଯଦି ଆବଶ୍ୟକ ପଡେ ସେମାନଙ୍କ ଜଜ୍‌ସିପର ଆଡମିନିଷ୍ଟ୍ରେଟିଭ୍ ଜଜଙ୍କ ସହିତ ଜିଲ୍ଲା ଜଜ୍‌ମାନେ ଆଲୋଚନା କରି ଏହି ପ୍ରସଂଗରେ ଦରକାର ବ୍ୟବସ୍ଥା କରିବେ। ଏହି ନିର୍ଦ୍ଦେଶନାମା ମାର୍ଚ୍ଚ ୨୩ରୁ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପୂର୍ବରୁ ମାର୍ଚ୍ଚ ୧୬ରେ ହାଇକୋର୍ଟ ପକ୍ଷରୁ ସବ୍-ଅର୍ଡିନେଟ୍ କୋର୍ଟ (ନିମ୍ନ ଅଦାଲତ) ଗୁଡିକ ପାଇଁ ଜାରି କରାଯାଇଥିବା ଆଡଭାଇଜରିରେ ସ୍ପଷ୍ଟ କରାଯାଇଥିଲା ଯେ ପକ୍ଷଙ୍କ ବ୍ୟକ୍ତିଗତ ହାଜିରା ଯଦି ଅନିବାର୍ଯ୍ୟ ନଥିବ ତେବେ ଏଥିପାଇଁ ବାଧ୍ୟ କରାଯିବ ନାହିଁ। ଜେଲରୁ ବିଚାରାଧୀନ ବନ୍ଦୀଙ୍କ ହାଜିରା ପାଇଁ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ଅଧିକାଂଶ କ୍ଷେତ୍ରରେ ବ୍ୟବହାର କରାଯିବ। କେବଳ ଜରୁରୀ ମାମଲା ଗୁଡିକରେ ମଧ୍ୟସ୍ଥତା ବା କନସିଲିଏସନ୍ କରାଯିବ। ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ପ୍ରତି ଜିଲ୍ଲା କୋର୍ଟ କଂପ୍ଲେକ୍ସରେ ଏକ ଉତ୍ସର୍ଗିକୃତ ଦଳ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ, ସିଭିଲ କୋର୍ଟ ରେଜିଷ୍ଟ୍ରାର, କୋର୍ଟ ମ୍ୟାନେଜର ଓ ଦୁଇ ବରିଷ୍ଠ ପ୍ରଶାସନିକ କର୍ମଚାରୀଙ୍କୁ ନେଇ ଗଠିତ କରାଯିବ। କମିଟି ପ୍ରତିଦିନ ସ୍ଥିତି ଅନୁଧ୍ୟାନ କରିବା ସହିତ ଉପଯୁକ୍ତ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିବ। ଆବଶ୍ୟକ ସ୍ଥଳେ ଜିଲ୍ଲା ଜଜ୍‌ମାନେ ସଂପୃକ୍ତ ଜିଲ୍ଲାର ସିଡିଏମଓଙ୍କ ସହିତ ପରାମର୍ଶ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ହାଇକୋର୍ଟ ପକ୍ଷରୁ ଜାରି ଆଡଭାଇଜରିରେ ଉଲ୍ଲେଖ କରାଯାଇଥିଲା।

ସମ୍ବନ୍ଧିତ ଖବର