ନିମ୍ନ ଅଦାଲତଙ୍କ ପାଇଁ ହାଇକୋର୍ଟଙ୍କ ସାନି ନିର୍ଦ୍ଦେଶନାମା : ଏପ୍ରିଲ ୧୫ ପର୍ଯ୍ୟନ୍ତ ଭିଡିଓ କନଫରେନ୍ସିଂ ଉପରେ ଗୁରୁତ୍ବାରୋପ

କଟକ : ‘କରୋନା’କୁ ନେଇ ଦେଖା ଦେଇଥିବା ‌ଦେଶବ୍ୟାପୀ ଲକଡାଉନ୍ ପରିସ୍ଥିତିରେ ହାଇକୋର୍ଟ ପକ୍ଷରୁ ସବ୍-ଅର୍ଡିନେଟ୍ କୋର୍ଟ (ନିମ୍ନ ଅଦାଲତ) ଗୁଡିକ ପାଇଁ ସାନି ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ କେତେକ କଟକଣା ଜାରି କରାଯାଇଛି। ନିମ୍ନ ଅଦାଲତଙ୍କ ସ୍ବାଭାବିକ କାର୍ଯ୍ୟ ମାର୍ଚ୍ଚ ୨୬ରୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସାମୟିକ ଭାବେ ସ୍ଥଗିତ ରହିବ ବୋଲି ହାଇକୋର୍ଟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି। କାର୍ଯ୍ୟାଳୟର ସ୍ବାଭାବିକ କାର୍ଯ୍ୟ ମଧ୍ୟ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସାମୟିକ ଭାବେ ସ୍ଥଗିତ ରହିବ। ପ୍ରଡକ୍ସନ୍, ରିମାଣ୍ଡ ସଂପର୍କିତ ମାମଲା ସହିତ ଜରୁରୀ ଜାମିନ ଆବେଦନ ଗୁଡିକର ଶୁଣାଣି ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ଦ୍ବାରା କରିବା ପାଇଁ ନି‌ର୍ଦ୍ଦେଶ ଦିଆଯାଇଛି।

ଭିଡିଓ କନଫରେନ୍ସିଂ ବ୍ୟବସ୍ଥା କାର୍ଯ୍ୟକ୍ଷମ କରିବା ଉପରେ ବିଜ୍ଞପ୍ତିରେ ଗୁରୁତ୍ବାରୋପ କରାଯାଇଛି। ଯେଉଁଠି ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ନାହିଁ କିମ୍ବା ଥାଇ କାର୍ଯ୍ୟକ୍ଷମ କରାଯାଇ ପାରୁନାହିଁ, ସେଠାରେ ଏଭଳି ମାମଲାର ଶୁଣାଣି କୋର୍ଟରେ କିମ୍ବା ପ୍ରିଜାଇଡିଂ ଅଫିସରଙ୍କ ଆବାସିକ କାର୍ଯ୍ୟାଳୟରେ କରାଯିବ। ଅଦାଲତର ପ୍ରିଜାଇଡିଂ ଅଫିସରଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ପ୍ରସଂଗରେ ନିଷ୍ପତ୍ତି ଗ୍ରହଣ କରାଯିବ। ଏହି ନିର୍ଦ୍ଦେଶନାମା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ସହିତ ଦୁଇ ଜଣିଆ ଖଣ୍ଡପୀଠ ଜାରି କରିଥିବା ସମସ୍ତ ଅନ୍ତରୀଣ ନିର୍ଦ୍ଦେଶର ଅବଧି ୨୦୨୦, ଏପ୍ରିଲ ୧୫ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ହାଇକୋର୍ଟ ମାର୍ଚ୍ଚ ୨୫ରେ ନିର୍ଦ୍ଦେଶ (ଜେନେରାଲ୍ ଅର୍ଡର) ଜାରି କରିଛନ୍ତି ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ୨୧ ଦିନ ପାଇଁ ସାରା ଦେଶରେ ଲକଡାଉନ ପାଇଁ କେନ୍ଦ୍ର ସରକାର ‌ଘୋଷଣା କରିବା ପରିପ୍ରେକ୍ଷୀରେ ହାଇକୋର୍ଟ ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, କରୋନାକୁ ନେଇ ଦେଖାଦେଇଥିବା ଅଦ୍ଭୂତପୂର୍ବ ପରିସ୍ଥିତିରେ ପୂର୍ବରୁ ମାର୍ଚ୍ଚ ୧୬ରେ ହାଇକୋର୍ଟଙ୍କ ପକ୍ଷରୁ ସବ୍-ଅର୍ଡିନେଟ୍ କୋର୍ଟ (ନିମ୍ନ ଅଦାଲତ) ଗୁଡିକ ପାଇଁ ଜାରି କରାଯାଇଥିବା ପରାମର୍ଶବଳୀରେ ସ୍ପଷ୍ଟ କରାଯାଇଥିଲା ଯେ ପକ୍ଷଙ୍କ ବ୍ୟକ୍ତିଗତ ହାଜିରା ଯଦି ଅନିବାର୍ଯ୍ୟ ନଥିବ ତେବେ ଏଥିପାଇଁ ବାଧ୍ୟ କରାଯିବ ନାହିଁ। ଜେଲରୁ ବିଚାରାଧୀନ ବନ୍ଦୀଙ୍କ ହାଜିରା ପାଇଁ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ଅଧିକାଂଶ କ୍ଷେତ୍ରରେ ବ୍ୟବହାର କରାଯିବ। ଲକ୍-ଅପ୍ (ହାଜତ) ଗୁଡିକ ନିୟମିତ ଭାବେ ସାନିଟାଇଜ୍ କରାଯିବା ସହିତ ହାଜତରେ ଭିଡକୁ ଏଡାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଥଣ୍ଡା, କଫ ଓ ଛିଙ୍କ ହେଉଥିବା କୋର୍ଟ କର୍ମଚାରୀଙ୍କୁ ଡାକ୍ତରୀ ପରାମର୍ଶ କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଦିଆଯିବ। କୋର୍ଟ ପରିସର, କୋର୍ଟ ରୁମ୍, ଅଫିସ୍ ଚେୟାର, ଟେବୁଲ, ଆସବାବପତ୍ର, ଡୋର୍ ନବ୍ସ୍, ହ୍ୟାଣ୍ଡ୍-ରେଲିଂ ଇତ୍ୟାଦି ଆବଶ୍ୟକ ରସାୟନିକ ଜୀବାଣୁ ବିଶୋଧକ ଦ୍ବାରା ପୋଛା ଓ ସଫେଇ ସୁନିଶ୍ଚିତ କରାଯିବ।

ସମ୍ବନ୍ଧିତ ଖବର