ବେଳାମାର୍ଗରେ ଇଡ୍‌କୋକୁ ଜମି ହସ୍ତାନ୍ତର ପ୍ରକ୍ରିୟା ମାମଲାରେ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

କୋଣାର୍କ : କୋଣାର୍କରେ ହୋଟେଲ ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଇଡ୍‌କୋକୁ ୭୦ ଏକ ଜମି ଯୋଗାଇ ଦିଆଯିବା ପାଇଁ ଯୋଜନା କରାଯାଇଛି। ବେଳାମାର୍ଗରେ ଇଡ୍‌କୋକୁ ଜମି ହସ୍ତାନ୍ତର ମାମଲାରେ ହାଇକୋର୍ଟ ସରକାରଙ୍କୁ ଜବାବ ତଲବ କରିଛନ୍ତି। ଜଷ୍ଟିସ କେ ଆର୍‌ ମହାପାତ୍ରଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଉକ୍ତ ଜବାବ ଚଳିତ ମାସ ୧୧ ସୁଦ୍ଧା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀ ଦର୍ଶାଇଛନ୍ତି, ଉକ୍ତ ଜମି ମଧ୍ୟରେ ଥିବ‌ା ୫୦ ହଜାରରୁ ଅଧିକ ଝାଉଁ ଓ କାଜୁ ଗଛ କଟାଯିବା ପାଇଁ ବନବିଭାଗ ପକ୍ଷରୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଗଛ କଟାଗଲେ ବଙ୍ଗୋପସାଗରର ଲୁଣା ପବନ ସିଧା ସୂର୍ଯ୍ୟମନ୍ଦିର ସଂସ୍ପର୍ଶରେ ଆସି ପଥରଦେହରେ ଖୋଦିତ ସୂକ୍ଷ୍ମ କାରୁକାର୍ଯ୍ୟକୁ କ୍ଷତି ପହଞ୍ଚାଇବ। ଏହାସହିତ ନିକଟରେ ଥିବା ସଂରକ୍ଷିତ ଜଂଗଲ ପରିବେଶକୁ ମଧ୍ୟ କ୍ଷତି ପହଞ୍ଚାଇବ। ଉଲ୍ଲେଖଯୋଗ୍ୟ ଯେ ବିଗତ ଦିନରେ କରମଙ୍ଗା-ଶ୍ରୀକଣ୍ଠପୁର ଇଡିସି ସଦସ୍ୟଙ୍କ ସହିତ ପରିବେଶବିତ ଡ.ଦିଲୀପ ଶ୍ରୀଚନ୍ଦନ ମଧ୍ୟ ରାଜ୍ୟ ସରକାରଙ୍କ ଏହି ଯୋଜନାକୁ ନାପସନ୍ଦ କରି ଆନ୍ଦୋଳନାତ୍ମକ ପଦକ୍ଷେପ ଆପଣେଇଥିଲେ। ମାତ୍ର ସରକାର ଇଡ୍‌କୋକୁ ଜମି ଦେବା ପ୍ରସଙ୍ଗରେ କୌଣସି ବିକଳ୍ପ ପଦକ୍ଷେପ ନ ନେବା ହେତୁ ଏବେ ଏହି ମାମଲା ହାଇକୋର୍ଟରେ ପହଞ୍ଚିଛି। ଆବେଦନକାରୀଙ୍କ ପକ୍ଷରୁ କୋଣାର୍କ ବାର୍‌ ଆସୋସିଏସନ ସଭାପତି ଆଇନଜୀବୀ ଶ୍ରୀଜୟ କୁମାର ବରାଳ ଓ ଆଇନଜୀବୀ ଶିବଶଙ୍କର ମହାନ୍ତି ନ୍ୟାୟାଳୟରେ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର