କନିଷ୍ଠ ଅଧ୍ୟାପକଙ୍କ କ୍ଷେତ୍ରରେ ପୁରୁଣା ପେନ୍‌ସନ ନିୟମ ଲାଗୁ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ନିୟମରେ ସଂଶୋଧନ ପୂର୍ବରୁ ନିଯୁକ୍ତ କନିଷ୍ଠ ଅଧ୍ୟ‌ାପକଙ୍କ ‌ପାଇଁ ପୁରୁଣା ୧୯୯୨ ପେନସନ୍ ନିୟମ ଲାଗୁ ହେବ। ୨୦୦୫, ମେ ୧୭ରେ ରାଜ୍ୟ ସରକାର ଓଡ଼ିଶା ସିଭିଲ ସର୍ଭିସ ପେନସନ୍ ରୁଲ୍ସ, ୧୯୯୨ରେ ସଂଶୋଧନ ସଂପର୍କିତ ବିଜ୍ଞପ୍ତି ପ୍ରକାଶ କରିଥିବା ବେ‌େଳ ଏହା ପୂର୍ବରୁ ଆବେଦନକାରୀ କନିଷ୍ଠ ଅଧ୍ୟାପକ ଭାବେ ନିଯୁକ୍ତି ପାଇ ସାରିଥିଲେ। ଏଭଳି ସ୍ଥିତିରେ ଆବେଦନକାରୀଙ୍କ କ୍ଷେତ୍ରରେ ନୂଆ ସଂଶୋଧିତ ପେନସନ୍ ଯୋଜନା ଲାଗୁ ହେବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଆବେଦନକାରୀଙ୍କ କ୍ଷେତ୍ରରେ ପୁରୁଣା ଓଡ଼ିଶା ସିଭିଲ ସର୍ଭିସ ପେନସନ୍ ରୁଲ୍ସ, ୧୯୯୨ ଲାଗୁ ‌କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆର.କେ.ସାହୁ ଓ ଅନ୍ୟ ଦୁଇ ଜଣଙ୍କ ତରଫରୁ ଦାୟର ତିନୋଟି ଆବେଦନର ଏକତ୍ର ଶୁଣାଣି କରି ଏପରି ରାୟ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଓଡ଼ିଶା ଲୋକସେବା ଆୟୋଗ ତରଫରୁ ୨୦୦୨, ମାର୍ଚ୍ଚ ୧୪ରେ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ଆବେଦନକାରୀ କନିଷ୍ଠ ଅଧ୍ୟାପକ ଭାବେ ନିଯୁକ୍ତି ପାଇଥିଲେ। ୨୦୦୫, ମେ ୧୭ରେ ରାଜ୍ୟ ସରକାର ଓଡ଼ିଶା ସିଭିଲ ସର୍ଭିସ ପେନସନ୍ ରୁଲ୍ସ, ୧୯୯୨ରେ ସଂଶୋଧନ କରି ବିଜ୍ଞପ୍ତି ପ୍ରକାଶ କରିଥିଲେ। ସଂଶୋଧିତ ନିୟମ ୨୦୦୫, ଜାନୁଆରି ୧ରୁ ଲାଗୁ ହେବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା। ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ୨୦୦୫, ମେ ୧୭ରେ ବିଜ୍ଞପ୍ତି ପ୍ରକାଶ କରି ସଂଶାଧିତ ପେନସନ୍ ନିୟମ ପୁରୁଣା ତାରିଖ ୨୦୦୫, ଜାନୁଆରି ୧ରୁ କାର୍ଯ୍ୟକାରୀ ପାଇଁ କୁହାଯିବା ଆଇନ ଅନୁସାରେ ଗ୍ରହଣୀୟ ନ‌ୁହେଁ। ଆବେଦନକାରୀ ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ନିଯୁକ୍ତ ପାଇଥିବାରୁ ସେମାନଙ୍କ ପାଇଁ ସଂଶୋଧିତ ନିୟମାବଳୀ ଲାଗୁ ହୋଇ ପାରିବ ନାହିଁ। ଚୟନ ଓ ନିଯୁକ୍ତି ସମୟରେ ବଳବତ୍ତର ଥିବା ପେନସନ୍ ନିୟମ ଲାଗୁ ପାଇଁ ସରକାରଙ୍କ ନିକଟରେ ଆବେଦନକାରୀ ଦାଖଲ କରିଥିବା ଆବେଦନ ଖାରଜ ହୋଇଥିଲା। ସରକାରଙ୍କ ଏପରି ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଆବେଦନକାରୀଙ୍କ କ୍ଷେତ୍ରରେ ପୁରୁଣା ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ (ଓଡ଼ିଶା) ରୁଲ୍ସ ଓ ସଂଶୋଧନ ପୂର୍ବରୁ ଥିବା ଓଡ଼ିଶା ସିଭିଲ ସର୍ଭିସ ପେନସନ୍ ରୁଲ୍ସ, ୧୯୯୨ ଲାଗୁ ହେବ ବୋଲି ହାଇକୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର