ପୂର୍ବାଦେଶ କାର୍ଯ୍ୟକାରୀ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଚେତାବନୀ : ଆଇନ, ଅର୍ଥ ସଚିବଙ୍କ ଦରମା ଅଟକ ରଖାଯିବ

କଟକ : ୨୦୧୯ ଡିସେମ୍ବର ୧୨ରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ପାଳନରେ ଅବହେଳା ପାଇଁ ଆଜି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଭର୍ତ୍ସନା କରିଛନ୍ତି। ଯଦି ପରବର୍ତ୍ତୀ ଶୁଣାଣି ପୂର୍ବରୁ ୨୦୧୯ ଡିସେମ୍ବର ୧୨ର ନିର୍ଦ୍ଦେଶ ପାଳନ କରା ନ ଯାଏ ତେବେ ଆଇନ ସଚିବ ଓ ଅର୍ଥ ସଚିବଙ୍କ ଡିସେମ୍ବର ମାସର ଦରମା ଅଟକ ରଖାଯିବ ବୋଲି ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମିଠୁରାମ ଭୋଇଙ୍କ ପକ୍ଷରୁ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟ ୨୦୧୯ ଡିସେମ୍ବର ୧୨ରେ ନିର୍ଦ୍ଦେଶ ପ୍ରଦାନ କରିଥିବାବେଳେ ଇତିମଧ୍ୟ‌ରେ ଏକ ବର୍ଷ ଅତିବାହିତ ହୋଇଥିଲା। କିନ୍ତୁ ସରକାର ଏହି ନିର୍ଦ୍ଦେଶ ପାଳନ କରି ନଥିଲେ। ଏ ନେଇ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରାଯାଇଥିଲା। ଅଦାଲତ ଅବମାନନା ମାମଲାରେ ପ୍ରତିପକ୍ଷଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ୨୦୨୦ ଡିସେମ୍ବର ୭ରେ ଜଳସଂପଦ ବିଭାଗ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ଆବେଦନକାରୀଙ୍କ ପ୍ରସଂଗରେ ସରକାରଙ୍କ ଅନୁମୋଦନ ଆଣିବା ପୂର୍ବରୁ ଆଇନ/ଅର୍ଥ ବିଭାଗର ସମ୍ମତି ଆବଶ୍ୟକ। ଏଭଳି ସ୍ଥିତିରେ ଅଧିକ ସମୟ ଲୋଡ଼ା ବୋଲି ସ୍ପଷ୍ଟ ହୋଇଥିଲା। ୨୦୧୯ ଡିସେମ୍ବର ୧୨ର ନିର୍ଦ୍ଦେଶ ଏକବର୍ଷ ପରେ ମଧ୍ୟ କାର୍ଯ୍ୟକାରୀ କରାଯାଇ ନଥିବାରୁ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ବୁର୍ଲାସ୍ଥିତ ମୁଖ୍ୟ ଡ୍ୟାମ୍ ଡିଭିଜନରେ ଷ୍ଟୋର ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରି ୧୯୯୮ରେ ଅବସର ଗ୍ରହଣ କରିଥ‌ିଲେ। ସେ ୱାର୍କଚାର୍ଜ କର୍ମଚାରୀ ହୋଇଥିବାରୁ ତାଙ୍କ ଚାକିରି ନିୟମିତ କରାଯାଇ ନଥିଲା ଓ ପେନସନ୍ ମଧ୍ୟ ମିଳି ନଥିଲା। ଚାକିରି ନିୟମିତ ଓ ପେନସନ୍ ପ୍ରସଂଗ ନେଇ ସେ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲରେ ମାମଲା ରୁଜୁ କରିଥିଲେ। ୨୦୧୫ ସେପ୍ଟେମ୍ବର ୮ରେ ସ୍ୟାଟ୍ ଆବେଦନକାରୀଙ୍କ ସପକ୍ଷରେ ରାୟ ଦେଇଥିଲେ। ଏହି ରାୟକୁ ଚାଲେଞ୍ଜ କରି ସରକାର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୧୯ ଡିସେମ୍ବର ୧୨ରେ ହାଇକୋର୍ଟ ମାମଲାର ଶୁଣାଣି କରି ୨୦୨୦ ଫେବ୍ରୁଆରି ୧ ତାରିଖରୁ ଆବେଦନକାରୀଙ୍କୁ ପେନସନ୍ ପ୍ରଦାନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଏପ୍ରିଲ ୧ ତାରିଖ ସୁଦ୍ଧା ଆବେଦନକାରୀଙ୍କୁ ସମସ୍ତ ବକେୟା ପ୍ରାପ୍ୟ ପ୍ରଦାନ ପାଇଁ ହାଇକୋର୍ଟ କହିଥିଲେ। କିନ୍ତୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ୮୨ ବର୍ଷରୁ ଅଧିକ ବୟସ୍କ ଆବେଦନକାରୀ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ।

ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଭବାନୀ ଶଙ୍କର ତ୍ରିପାଠୀ ମାମଲା ପରିଚାଳନା କରୁଥିବାବେଳେ ଅମିତ କୁମାର ସାହୁ ଓ ଅତୁଲ ତ୍ରିପାଠୀ ସହାୟତା କରୁଛନ୍ତି।

ସମ୍ବନ୍ଧିତ ଖବର