ହାଇକୋର୍ଟରେ ଦୀପକ ଗୁପ୍ତାଙ୍କ ଜାମିନ ଶୁଣାଣି ଶେଷ

କଟକ : ବହୁଚର୍ଚ୍ଚିତ ଉଲିବୁରୁ ଖଣି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଦୀପକ୍‌ ଗୁପ୍ତାଙ୍କ ନିୟମିତ ଜାମିନ ଆବେଦନର ଆଜି ହାଇକୋର୍ଟରେ ପୂର୍ଣ୍ଣାଙ୍ଗ ଶୁଣାଣି ହୋଇଛି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ମାମଲାର ଶୁଣାଣି ସମୟରେ ଆବେଦନକାରୀ ଓ ଭିଜିଲାନ୍ସ ବିଭାଗ ପକ୍ଷରୁ ଚୂଡାନ୍ତ ପର୍ଯ୍ୟାୟ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ମୂଳ ନିୟମିତ ଜାମିନ ଆବେଦନ ସହିତ ଅନ୍ତରୀଣ ଜାମିନ ଆବେଦନର ମଧ୍ୟ ଶୁଣାଣି ହୋଇଥିଲା।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବରୁ ହାଇକୋର୍ଟରେ ଦୀପକଙ୍କ ଜାମିନ ଆବେଦନ ୫ଥର ଖାରଜ ହୋଇଥିବାବେଳେ ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ଜାମିନ ଆବେଦନ ପୂର୍ବରୁ ଅଗ୍ରାହ୍ୟ କରିଥିଲେ। ଏହାପରେ ପୁନର୍ବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ଜାମିନ ପାଇଁ କରିଥିବା ଆବେଦନ ଖାରଜ ହେବାପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୧୯ ଅଗଷ୍ଟ ୭ରେ ହାଇକୋର୍ଟ ଦୀପକଙ୍କ ନିୟମିତ ଜାମିନ ଆବେଦନ ଖାରଜ କରିବା ସହିତ ନିମ୍ନ ଅଦାଲତରେ ବିଚାରାଧୀନ ମାମଲାର ତ୍ବରିତ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପାଳନରେ ଅବହେଳା କରାଯାଇଛି, ନିମ୍ନ ଅଦାଲତ ଶୁଣାଣିରେ ବିଶେଷ ଅଗ୍ରଗତି ହୋଇ ନାହିଁ ବୋଲି ଜାମିନ ଆବେଦନର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ୨୦୧୯ ଅଗଷ୍ଟ ୨୨ଠାରୁ ବିଚାରାଧୀନ ମାମଲାରେ ନିମ୍ନ ଅଦାଲତଙ୍କ ଅର୍ଡର-ସିଟ୍ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ନିମ୍ନ ଅଦାଲତରେ ମାମଲାର ଶୁଣାଣିର ସ୍ଥିତି ସଂପର୍କରେ ମଧ୍ୟ ହାଇକୋର୍ଟରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଭିଜିଲାନ୍ସ ପକ୍ଷରୁ ସ୍ବତନ୍ତ୍ର ଭାବେ ନିଯୁକ୍ତ ବରିଷ୍ଠ ଆଇନଜୀବୀ ଏନ୍‌.ସି ପାଣିଗ୍ରାହୀ ମାମଲା ପରିଚାଳନା କରୁଥିବାବେଳେ ଆଇନଜୀବୀ ସାଗର ରଂଜନ ପାଣିଗ୍ରାହୀ ସହାୟତା କରୁଛନ୍ତି।

ସମ୍ବନ୍ଧିତ ଖବର