ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ: କଣ୍ଟ ପୂରିଲା, ଚାପ ପଡ଼ିଲାନି

ଆଜିଠୁ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ବିଧାନସଭା ଅଧିବେଶନ ଶେଷ ପର୍ଯ୍ୟନ୍ତ ଜାରି

ସମ୍ବଲପୁର: ଅବଧି ପୂରି ୪ ଦିନ ଅତିକ୍ରାନ୍ତ ହେଲା। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସଙ୍ଗ ନେଇ କେନ୍ଦ୍ର ସରକାରଙ୍କୁ ଠୋସ ପତ୍ର ଦେଲେନି ମୁଖ୍ୟମନ୍ତ୍ରୀ। ଏଭଳି ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରିଛି ସମ୍ବଲପୁର ଜିଲ୍ଲା ଓକିଲ ସଂଘ। ଆସନ୍ତାକାଲି (ବୁଧବାର) ଠାରୁ ୨୦ ତାରିଖ ବିଧାନସଭା ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନର ଘୋଷଣା କରିଛି ଓକିଲ ସଂଘ। ଏହି ଆନ୍ଦୋଳନ ପରିପ୍ରେକ୍ଷୀରେ ବୁଧବାର ଠାରୁ ବିଚାର ବିଭାଗୀୟ ଅଦାଲତ ଏବଂ ୬ ତାରିଖ ଠାରୁ ରାଜସ୍ୱ ଅଦାଲତ- ଆରଡିସି, ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲ ବନ୍ଦ କରାଯିବ ବୋଲି ଓକିଲ ସଂଘ ସଭାପତି ବିଜିତେନ୍ଦ୍ରୀୟ ପ୍ରଧାନ କହିଛନ୍ତି। ସାଧାରଣ ନିର୍ବାଚନ ନେଇ ପ୍ରଶାସନର ପ୍ରସ୍ତୁତିରେ ବାଧା ଉପୁଜାଇବା ଏହି ଆନ୍ଦୋଳନର ମୁଖ୍ୟ ଲକ୍ଷ୍ୟ ରହିବ ବୋଲି ସଂଘ କହିଛି। ଅନ୍ୟ ସରକାରୀ କାର୍ଯ୍ୟାଳୟକୁ ଏଥିରେ ବାଦ ଦିଆଯାଇଛି। ଏହି ଅବସରରେ ଆନ୍ଦୋଳନରତ ଓକିଲମାନେ ନେଲସନ ମଣ୍ଡେଲା ଛକରେ ବିକ୍ଷୋଭ ପ୍ରଦର୍ଶନ କରି ପିକେଟିଂ କରିବେ। ପରବର୍ତ୍ତୀ ସମୟରେ ଆନ୍ଦୋଳନରେ ସାମାଜିକ ସଙ୍ଗଠନକୁ ମଧ୍ୟ ସାମିଲ କରାଯିବ।ହାଇକୋର୍ଟ ବେଞ୍ଚ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ନେଇ ସଂଘର ବୈଠକ ହୋଇଥିଲା।

ପ୍ରକାଶ ଥାଉକି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ନେଇ ଅଗଷ୍ଟ ୬ ତାରିଖରେ ସିଏସିର ୧୫ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏହି ଅବସରରେ ଶାସକ ଦଳ ଉପମୁଖ୍ୟସଚେତକ ଇଂ ରୋହିତ ପୂଜାରୀ, ବିଧାୟିକା ଡା.ରାସେଶ୍ୱରୀ ପାଣିଗ୍ରାହୀ ଉପସ୍ଥିତ ଥିଲେ। ସେତେବେଳେ ପ୍ରତିଶ୍ରୁତି ମିଳିଥିଲା, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀ ଠୋସ ପଦକ୍ଷେପ ନେବେ। ଦ୍ୱିତୀୟ ଥର ପାଇଁ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ପତ୍ର ଦିଆଯିବ। ଆବଶ୍ୟକସ୍ଥଳେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଭେଟିବା ପାଇଁ ପ୍ରତିନିଧି ଦଳକୁ ପଠାଯିବ। ଅଗଷ୍ଟ ୩୧ ତାରିଖ ସୁଦ୍ଧା ଏହି ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏଥିଯୋଗୁଁ ରାଜ୍ୟ ମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ ନେଇ ଓକିଲ ସଂଘର ଘୋଷଣା ମଧ୍ୟ ସ୍ଥଗିତ ରଖାଯାଇ ଥିଲା। ମାତ୍ର ଅବଧି ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀ ପଦକ୍ଷେପ ଗ୍ରହଣ କଲେ ନାହିଁ। ଅନ୍ୟଦିଗରେ କେନ୍ଦ୍ର ସରକାର ମଧ୍ୟ ହାଇକୋର୍ଟ ବେଞ୍ଚ ନେଇ ପଦକ୍ଷେପ ନେଇ ନାହାନ୍ତି। ଏଥିଯୋଗୁଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନଙ୍କୁ ପୂର୍ବ ପରି କଳା ପତାକା ପ୍ରଦର୍ଶନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ବୈଠକରେ ପ୍ରଦୀପ ବହିଦାର, ବିପିନ ବିହାରୀ ନାୟକ, ଆର୍ତତ୍ରାଣ ମିଶ୍ର, ସୁରେଶ୍ୱର ମିଶ୍ର, ରବୀନ୍ଦ୍ର ନାଥ ଦେବତା, ପ୍ରଫୁଲ୍ଲ ହୋତା, ନବୀନ ଶତପଥୀ, ରବି ରଂଜନ ପୂଜାରୀ, ଅରବିନ୍ଦ ନାୟକ, ସୁରଜ ବିଶ୍ୱାଳ, ସତ୍ୟ ନାରାୟଣ ପଣ୍ଡା, ସୁନିଲ ମିଶ୍ର, ଚନ୍ଦ୍ରକାନ୍ତ ମହନ୍ତି, ଦିଲୀପ ବିଶି, ଅକ୍ଷୟ ଦାଶ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର