ସ୍କୁଲ୍‌ ଫି’ ସମ୍ପୂର୍ଣ୍ଣ ନଦେବା ଘଟଣାରେ ହାଇକୋର୍ଟଙ୍କ ହସ୍ତକ୍ଷେପ : ଟିସି ପାଇଥିବା ଛାତ୍ରଙ୍କୁ ପଢ଼ିବା ପାଇଁ ଅନୁମତି

କଟକ : ବର୍ଦ୍ଧିତ ସ୍କୁଲ ଫି’ ସଂପୂର୍ଣ୍ଣ ଭାବେ ନ ଦେବାରୁ ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ଟିସି ଦେବା ଘଟଣାକୁ ବିରୋଧ କରି ଦାୟର ମାମଲାରେ ହାଇକୋର୍ଟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଏଥିସହିତ ଆବେଦନକାରୀଙ୍କ ନାବାଳକ ପୁଅକୁ ସ୍କୁଲର ତୃତୀୟ ଶ୍ରେଣୀରେ ଶିକ୍ଷା ଗ୍ରହଣ ପାଇଁ ଅନୁମତି ଦିଆଯିବ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ପ୍ରଚଳିତ ଥିବା ବ୍ୟବସ୍ଥା ଅନୁସାରେ ଛାତ୍ର ଜଣକ କ୍ଲାସ୍‌ରେ ଯୋଗଦେବେ। ଏଥିପାଇଁ ଅନୁମତି ଦେବାକୁ ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ପି.କେ.ବାରିକଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ଆବେଦନକାରୀଙ୍କ ପୁଅ ରାଉରକେଲାର ସେକ୍ଟର-୨୨ରେ ଥିବା ଏକ ଘରୋଇ ପବ୍ଲିକ୍ ସ୍କୁଲରେ ପଢୁଥିବାବେଳେ ସ୍କୁଲ କର୍ତ୍ତୃପକ୍ଷ ଫି’ ବୃଦ୍ଧି କରିଥିଲେ। ଅତ୍ୟଧିକ ସ୍କୁଲ ଫି’ ବୃଦ୍ଧିକୁ ଆବେଦନକାରୀଙ୍କ ସହିତ ଅନ୍ୟ କେତେକ ଅଭିଭାବକ ବିରୋଧ କରିଥିଲେ। ସ୍କୁଲ କର୍ତ୍ତୃପକ୍ଷ ଟିଉସନ୍ ଫି’ ୮ ପ୍ରତିଶତରୁ ଅଧିକ ବୃଦ୍ଧି କରିପାରିବେ ନାହିଁ ବୋଲି ଅଭିଭାବକମାନେ ଦର୍ଶାଇଥିଲେ। ଏହାପରେ ଆବେଦନକାରୀ ଟିଉସନ୍ ଫି’ ଅର୍ଥ ବାବଦ ଚେକ୍ ସହିତ ଦରଖାସ୍ତ ସ୍କୁଲ ଅଧ୍ୟକ୍ଷଙ୍କ ନିକଟରେ ଦାଖଲ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ପୁଅକୁ ବାଧ୍ୟତାମୂଳକ ଭାବେ ସ୍କୁଲ କର୍ତ୍ତୃପକ୍ଷ ଟିସି ପ୍ରଦାନ କରିଥିଲେ। ଏଭଳି ବେଆଇନ ପଦକ୍ଷେପକୁ ଆବେଦନକାରୀ ବିରୋଧ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ମାମଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲାପାଳ, ଆଇସିଏସଇ ନିର୍ଦ୍ଦେଶକ ଓ ଘରୋଇ ସ୍କୁଲ ଅଧ୍ୟକ୍ଷଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର