ହାଇକୋର୍ଟଙ୍କ ହସ୍ତକ୍ଷେପ: ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସିଇଓଙ୍କ ନିଯୁକ୍ତି କାଏମ୍  

୪.୫୬ କୋଟିର ଆଦାୟ ନିର୍ଦ୍ଦେଶ ପାଣିରେ ପଡ଼ିଲା

ସୁନ୍ଦରଗଡ଼: ହାଇକୋର୍ଟଙ୍କ ଆଦେଶକ୍ରମେ, ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଭାବେ   ସୁରେଶଚନ୍ଦ୍ର ଦାଶ ପୁଣି ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ପରେ  ତାଙ୍କ ନିଯୁକ୍ତିକୁ ନେଇ ଉଠିଥିବା ବିବାଦର ଆପତତଃ ଅନ୍ତ ଘଟିଛି।  ସବୁଠାରୁ ବଡ଼ କଥା ହେଲା ଶ୍ରୀ ଦାଶଙ୍କ ନିଯୁକ୍ତି ବେନିୟମ ଦର୍ଶାଇ ତାଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ପ୍ରାୟ ୪.୫୬ କୋଟିର ଆର୍ଥିକ କାରବାର ଉପରେ ଓଡ଼ିଶା ସମବାୟ ଅଡିଟ୍ ନିର୍ଦ୍ଦେଶକ  ପ୍ରଶ୍ନ କରିବା ସହ ଏସବୁ ଅର୍ଥ ସିଇଓ,  କମିଟି ସଭାପତି, ସଭ୍ୟମାନଙ୍କ ଠାରୁ ତୁରନ୍ତ ଆଦାୟ ପାଇଁ ସମବାୟ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏବେ ସିଇଓ ଶ୍ରୀ ଦାଶଙ୍କ ନିଯୁକ୍ତି ବୈଧ ଘୋଷିତ ହେବା ପରେ ଏ ଆର୍ଥିକ ଅନିୟମିତତା ଓ ଭରଣା ନିର୍ଦ୍ଦେଶ ଉପରେ ପାଣି ପଡ଼ିଯାଇଥିବା ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ୨୦୧୯ ଫେବ୍ରୁଆରିରେ ଆରବିଆଇ ଓ ନାବାର୍ଡ ମାର୍ଗଦର୍ଶିକା ଅନୁଯାୟୀ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସୁରେଶଚନ୍ଦ୍ର ଦାସଙ୍କୁ ବ୍ୟାଙ୍କ ନିଯୁକ୍ତି ଦେଇଥିଲା। କିନ୍ତୁ ରାଜ୍ୟ ସମବାୟ ବ୍ୟାଙ୍କ ରେଜିଷ୍ଟ୍ରାରଙ୍କ ଅନୁମୋଦନ ଲଭି ନଥିବା ଦର୍ଶାଇ ତାଙ୍କୁ ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ।  ଏହା ବିରୋଧରେ ବ୍ୟାଙ୍କ ପରିଚାଳନା କମିଟି ଓ ଖୋଦ୍ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦାସ ଉଚ୍ଚ ନ୍ୟାୟାଳୟରୁ ୨୦୨୦ ଜୁନ ୩ରେ ରହିତାଦେଶ ଆଣିଥିଲେ। ତାହା ବଳବତ୍ତର ରହିଥିବା ସତ୍ତ୍ବେ ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ଗୋପବନ୍ଧୁ ଶତପଥୀ ଶ୍ରୀ ଦାସଙ୍କ ନାମରେ  ବ୍ୟାଙ୍କ ପାଣ୍ଠିର ଅପବ୍ୟବହାର ତଥା ଆର୍ଥିକ ଅନିୟମିତତା ଅଭିଯୋଗ ଉଠାଇ  ତାଙ୍କୁ ନିଲମ୍ବିତ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ଶ୍ରୀ ଦାସଙ୍କୁ ଇସ୍ତଫା ଦେଇ ଚାଲିଯିବାକୁ ଚାପ ପକାଯାଉଥିବା ଅଭିଯୋଗ ହୋଇଥିଲା। ଏପରିକି  ଗୋପବନ୍ଧୁ ଶତପଥି ୨୦୨୦ ଜୁଲାଇ ୧ରେ ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ଭାବେ ଯୋଗ ଦେବା ପରଠାରୁ ସୁନ୍ଦରଗଡ଼ ବ୍ୟାଙ୍କକୁ ପୁନଃଋଣ ଯୋଗାଣ ବନ୍ଦ କରି ଦେଇଥିବା ଅଭିଯୋଗ ହୋଇଥିଲା। ଅନ୍ୟପଟେ ମାମଲା କୋର୍ଟରେ ବିଚରାଧୀନ ଥିବା ଓ ରହିତାଦେଶ ବଳବତ୍ତର ଥିବା ସତ୍ତ୍ବେ  ଗତ ୨୦୨୨ ଜାନୁଆରି ୩୧ରେ  ସୁନ୍ଦରଗଡ଼ ସମବାୟ ବିଭାଜନ ନିବନ୍ଧକ ତଥା ବ୍ୟାଙ୍କ ମ୍ୟାନେଜମେଣ୍ଟ ଇନଚାର୍ଜ ଶ୍ରୀ ଦାଶଙ୍କୁ ଏକତରଫା ଭାବେ ବହିଷ୍କୃତ କରିଥିଲେ।

ଏହା ପରେ ପରେ  ୨୦୧୮ ଅପ୍ରେଲ ୧ରୁ ୨୦୨୧ ମେ ୩୧ ଯାଏ ବ୍ୟାଙ୍କର ସ୍ବତନ୍ତ୍ର ଅଡିଟ୍ ଜରିଆରେ ୪ କୋଟି ୫୬ ଲକ୍ଷ ୩୬ ହଜାର ୫୭୭ ଟଙ୍କାର ଆର୍ଥିକ ଅନିୟମିତତା  ହୋଇଥିବା ଦର୍ଶାଇ ୨୦୨୨ ଫେବ୍ରୁଆରି ୨ ତାରିଖରେ  ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଓ ପରିଚାଳନା କମିଟି ସଭାପତି ଓ ସଭ୍ୟମାନଙ୍କ ଠାରୁ ଏସବୁ ଅର୍ଥ ଆଦାୟ କରିବାକୁ ନିର୍ଦ୍ଦେଶ ହୋଇଥିଲା। ତେବେ ସିଇଓ ଶ୍ରୀ ଦାଶ ବହିଷ୍କାର ବିରୋଧରେ ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହା ପରେ କୋର୍ଟ ଗତ ୨୬.୪.୨୦୨୨ରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଆଦେଶ କରିଥିଲେ। ଏହା ପରେ  ଶ୍ରୀ ଦାଶ ଗୁରୁବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହି ପରିପ୍ରେକ୍ଷିରେ ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ୟୁନିୟନ ପକ୍ଷରୁ ସଭାପତି ବିମଳ କୁମାର ବୋଷ, ସାଧାରଣସମ୍ପାଦକ ପ୍ରଦ୍ୟୁମ୍ନ କୁମାର ନନ୍ଦ ତାଙ୍କୁ ସ୍ବାଗତ କରିବା ସହ ଜିଲ୍ଲାର ଲକ୍ଷାଧିକ ଚାଷୀ, ସ୍ବୟଂ ସହାୟକ ଗୋଷ୍ଠୀ ତଥା ମିଳିତ  ଦେୟ ଗୋଷ୍ଠୀ ଉପକୃତ ହେବେ ବୋଲି ପ୍ରକାଶ କରିଛନ୍ତି। ସେହିପରି ବ୍ୟାଙ୍କ ସେବା ନିବୃତ୍ତ କର୍ମଚାରୀ ସଂଘ ସଭାପତି ଉମେଶ ବାବୁ, ଆରଏସପି ସମନ୍ବୟ କମିଟି ସମେତ  ବିଜେଡି ବରିଷ୍ଠ ନେତା ଜନ୍ମେଜୟ ମହାପାତ୍ର, ପୂର୍ବତନ କର୍ମଚାରୀ ସଂଘର ଅକ୍ଷୟ ପଣ୍ଡା, ତାରାଚାନ୍ଦ ପଟ୍ଟନାୟକ, ଅଶୋକ ରାଉତ, ଯଶୋବନ୍ତ ନାରାୟଣ ଗୁରୁ ପ୍ରମୁଖ ଶ୍ରୀ ଦାଶଙ୍କୁ ସ୍ବାଗତ ଜଣାଇଥିଲେ।

ସମ୍ବନ୍ଧିତ ଖବର