ଜେଲ୍‌ ସ୍ଥିତିକୁ ନେଇ ହାଇକୋର୍ଟ କ୍ଷୁବ୍ଧ

ଚୌଦ୍ବାର ଓ ଅନ୍ୟ ଜେଲ୍‌ ଗସ୍ତ କରି ସ୍ଥିତି ସଜାଡ଼ିବେ ଡିଜି, ପରବର୍ତ୍ତୀ ଶୁଣାଣି ସମୟରେ ହାଜର ହେବେ

କଟକ :  ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ରାଜ୍ୟର ଅଧିକାଂଶ ଜେଲ୍‌ର ସ୍ଥିତି ସୁଧୁରି ନାହିଁ। ରାଜ୍ୟର ଜେଲ ଗୁଡିକରେ କଏଦୀଙ୍କ ପାଇଁ ରହିଥିବା ୱାର୍ଡ ଓ ଶୌଚାଳୟର ଅବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ଖାଦ୍ୟର ମାନରେ କୌଣସି ଉନ୍ନତି ହୋଇନାହିଁ। ଏଭଳି ସ୍ଥିତିକୁ ନେଇ ଆଜି ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ତୁରନ୍ତ ଜେଲ୍‌ଗୁଡିକ‌ରେ ଆବଶ୍ୟକ ମରାମତି, ମୌଳିକ ସୁବିଧାରେ ଉନ୍ନତି, ଉପଯୁକ୍ତ ମାନର ଖାଦ୍ୟ ବ୍ୟବସ୍ଥା କରିବାକୁ ହାଇକୋର୍ଟ ପୁଣି ଆଜି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟକ୍ତିଗତଭାବେ ଜେଲ୍‌ ଗସ୍ତ କରି ସ୍ଥିତିରେ ସୁଧାର ପାଇଁ ପଦକ୍ଷେପ ନେବାକୁ ଜେଲ୍‌ ଡିଜିଙ୍କୁ ହାଇକୋର୍ଟ କହିଛନ୍ତି।
ଗୁରୁବାର ଦିନ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଜେଲ୍‌ ଗୁଡିକର ସ୍ଥିତି ସଂକ୍ରାନ୍ତରେ ସବୁ ଜିଲ୍ଲା ଆଇନସେବା ପ୍ରାଧିକରଣ (ଡିଏଲଏସଏ) ତରଫରୁ ରିପୋର୍ଟ ସହିତ ଭିଡିଓ କ୍ଲିପିଂ ଓ ଫଟୋଗ୍ରାଫ ଦାଖଲ କରାଯାଇଥିଲା। ଡିଏଲଏସଏ ରିପୋର୍ଟ ସବୁକୁ ଅନୁଧ୍ୟାନ କରି ଆମିକସ୍ କ୍ୟୁରୀ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ‌ତଥ୍ୟ ରଖିଥିଲେ। ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ବାଲିଗୁଡା ଓ ନୟାଗଡ଼ ସବ୍‌ଜେଲର ସ୍ଥିତିରେ କୌଣସି ପ୍ରକାର ଉନ୍ନତି ହୋଇନାହିଁ। ରିପୋର୍ଟରେ ଥିବା ତଥ୍ୟ ଆଧାରରେ ରହିଥିବା ସମସ୍ୟା ତୁରନ୍ତ ଦୂର ପାଇଁ ପଦକ୍ଷେପ ନେବାକୁ ଏହି ଦୁଇ ସବ୍‌ଜେଲର କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ନନ୍-ଅଫିସିଆଲ ଭିଜିଟରଙ୍କ ସହିତ ସଂପୃକ୍ତ ଜିଲ୍ଲାର ଜିଲ୍ଲା ଜଜ୍ ଏହି ଦୁଇ ଜେଲ ଗସ୍ତ କରି ଭିତ୍ତିଭୂମି ତଦାରଖ କରିବେ। ରାଜ୍ୟ ଆଇନସେବା ପ୍ରାଧିକରଣ ସଦସ୍ୟ ସଚିବ ଏହି ଦୁଇ ଜିଲ୍ଲା ଜଜଙ୍କ ସହିତ ସମନ୍ବୟ ରକ୍ଷା କରି ପରବର୍ତ୍ତୀ ଶୁଣାଣି ସମୟରେ ନିର୍ଦ୍ଦେଶ କାର୍ଯ୍ୟକାରୀ ସଂପର୍କିତ ରିପୋର୍ଟ ଦାଖଲ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପଟେ ପୁରୀ ଜିଲ୍ଲା ଜେଲ, ମାଲକାନଗିରି ଓ ଦିଗପହଣ୍ଡି ସବ୍‌ଜେଲ, ରାଉରକେଲା ସ୍ପେଶାଲ ଜେଲ, ଆଠଗଡ ମଡେଲ ଜେଲ, ପାଲଲହଡା, ଅନୁଗୁଳ, ତାଳଚେର, ନରସିଂହପୁର, ବଡମ୍ବା, ଆର.ଉଦୟଗିରି, ପାରଳାଖେମୁଣ୍ଡି, ଝାରସୁଗୁଡ଼ା, କୁଜଙ୍ଗ, ରଣପୁର ଜେଲ ଗୁଡିକର ଶୋଚନୀୟ ସ୍ଥିତି ସଂପର୍କରେ ତଥ୍ୟ ରଖାଯାଇଥିଲା।
ଏହି ଅବସରରେ, ଜେଲ୍‌ଗୁଡିକରେ ବନ୍ଦୀମାନଙ୍କ ପାଇଁ ‌ନିୟମ ଅନୁସାରେ ମୌଳିକ ସୁବିଧା ପ୍ରସଙ୍ଗ ତଦାରଖ ଜାରି ରଖାଯିବ ବୋଲି ହାଇକୋର୍ଟ କହିଛନ୍ତି। ଏଥିପାଇଁ ହାଇକୋର୍ଟ ମେ ୨୧ ତାରିଖ ଦିନ ସ୍ବତନ୍ତ୍ର ସିଟିଂରେ ଏ ସଂପର୍କିତ ଆବେଦନର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହିଦିନ ଶୁଣାଣି ସମୟରେ ଜେଲ ଡିଜି ଭର୍ଚୁଆଲ ମୋଡରେ ଉପସ୍ଥିତ ରହିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସମ୍ବନ୍ଧିତ ଖବର