କଟକ : ଭାରତୀୟ ସମାଜର ପଛୁଆ ଓ ଗରିବ ବର୍ଗର ଲୋକଙ୍କୁ ହାତରେ ମଇଳା କାଢିବା ଓ ସେପ୍ଟିକ୍ ଟାଙ୍କି ସଫେଇ କାର୍ଯ୍ୟରେ ନିୟୋଜିତ କରିବା ଭଳି ଏକ ଲଜ୍ଜାଜନକ ପ୍ରଥା ଏବେ ବି ଜାରି ରହିଛି। ପ୍ରୋହିବିସନ୍ ଅଫ୍ ଏମ୍ପ୍ଲୟମେଣ୍ଟ ଆଜ୍ ମାନୁଆଲ ସ୍କାଭେଞ୍ଜର୍ସ ଆଣ୍ଡ୍ ଦେୟାର ରିହାବିଲିଟେସନ୍ ଆକ୍ଟ, ୨୦୧୩ (ପିଇଏମ୍ଏସ୍ଆର୍) ପ୍ରଣୟନ ପରେ ମଧ୍ୟ ଏଭଳି କାର୍ଯ୍ୟ ଜାରି ରହିବା ନେଇ ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି। କଟକ ସିଡିଏରେ ସ୍ବେରେଜ ଚାମ୍ବର ସଫେଇ ବେଳେ ଦୁଇ ଶ୍ରମିକଙ୍କ ମୃତ୍ୟୁ ପ୍ରସଂଗକୁ ହାଇକୋର୍ଟ ନିଜ ଆଡୁ ବିଚାର ପାଇଁ ଗ୍ରହଣ କରି ଏ ନେଇ ମାମଲା ରୁଜୁ କରିଛନ୍ତି।
ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍. ମୁରଲୀଧର ଓ ଜଷ୍ଟିସ୍ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ପିଇଏମ୍ଏସ୍ଆର୍ ଆଇନ ଓ ଏହା ଅଧୀନରେ କରାଯାଇଥିବା ନିୟମାବଳୀ ସହିତ ଏମ୍ପ୍ଲୟମେଣ୍ଟ ଅଫ୍ ମାନୁଆଲ ସ୍କାଭେଞ୍ଜର୍ସ ଆଣ୍ଡ୍ କନ୍ଷ୍ଟ୍ରକସନ୍ ଅଫ୍ ଡ୍ରାଏ ଲାଟ୍ରିନ୍ସ୍ (ପ୍ରୋହିବିସନ୍) ଆକ୍ଟ, ୧୯୯୩ (ଇଏମ୍ଏସ୍ସିଡିଏଲ୍ପି) ଆଇନ କାର୍ଯ୍ୟକାରୀ ପ୍ରସଂଗରେ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି, ସେ ନେଇ ସତ୍ୟପାଠ ମାଧ୍ୟମରେ ଅବଗତ କରାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୧୯୯୩ରୁ ଏ ପର୍ଯ୍ୟନ୍ତ କେତେ ସଂଖ୍ୟକ ଏଭଳି ସାନିଟେସନ୍ ୱାର୍କରଙ୍କ ମୃତ୍ୟୁ ହୋଇଛି ଓ ଏଭଳି ପ୍ରତି ମୃତ୍ୟୁ ପାଇଁ କେତେ କ୍ଷତିପୂରଣ ପ୍ରଦାନ କରାଯାଇଛି, ସେ ନେଇ ତଥ୍ୟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚିହ୍ନଟ କରାଯାଇଥିବା ଏଭଳି ବ୍ୟକ୍ତିଙ୍କୁ ଥଇଥାନ କରାଯାଇଛି କି ନାହିଁ, ତାହା ସରକାର ସତ୍ୟପାଠରେ ସ୍ପଷ୍ଟ କରିବେ। ଏଥିସହିତ ଏହି ପ୍ରସଂଗରେ ଯେଉଁମାନେ ଆଇନ ଉଲ୍ଲଂଘନ କରିଛନ୍ତି ସେମାନଙ୍କ ବିରୋଧରେ ମାମଲା କରାଯାଇ ଆଇନ ଅନୁସାରେ ଦଣ୍ଡିତ କରାଯାଇଛି କି ନାହିଁ, ସେ ନେଇ ସତ୍ୟପାଠରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏପ୍ରିଲ ୧୫ରେ କଟକ ସିଡିଏ ସେକ୍ଟର-୧୦ରେ ସ୍ବେରେଜ ଲାଇନ ସଫେଇ ବେଳେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣା ସହିତ ମାର୍ଚ୍ଚ ୧୯ରେ ଭୁବନେଶ୍ବରର ବଡଗଡ଼ ଥାନା ଅନ୍ତର୍ଗତ ବ୍ରହ୍ମେଶ୍ବରବାଗରେ ସ୍ବେରେଜ ଟାଙ୍କି ସଫେଇ ବେଳେ ଦୁଇ ଶ୍ରମିକଙ୍କ ପ୍ରାଣହାନି ଘଟଣାରେ ଆଜି ହାଇକୋର୍ଟ କେତେକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଏହି ଦୁଇ ଘଟଣାରେ ପ୍ରାଣ ହରାଇଥିବା ପ୍ରତି ଶ୍ରମିକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ପ୍ରଦାନ ଓ ପିଇଏମ୍ଏସ୍ଆର୍ ଆଇନର ଧାରା ୯ ଅନୁସାରେ ଫୌଜଦାରୀ ଆଇନ ପ୍ରକ୍ରିୟା ଅନୁସରଣକୁ ସୁନିଶ୍ଚିତ କରାଯିବ। ଘଟଣାରେ ଯଦି କୌଣସି ପୀଡିତ ଅନୁସୂଚିତ ଜାତି ବା ଜନଜାତି ବର୍ଗର ହୋଇଥାନ୍ତି ତେବେ ଏସ୍ସି ଆଣ୍ଡ ଏସ୍ଟି (ପିଓଏ) ଆକ୍ଟ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ। କଟକରେ ହୋଇଥିବା ଘଟଣାର କ’ଣ ସ୍ଥିତି ରହିଛି ସେ ସମ୍ପର୍କରେ ଅବଗତ କରାଯିବ। ଯଦି ତଦନ୍ତ ସରିଥାଏ ତେବେ ତଦନ୍ତ ରିପୋର୍ଟ ସହିତ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ବିବରଣୀ ହାଇକୋର୍ଟରେ ଦାଖଲ ହେବ। କଟକ ଓ ଭୁବନେଶ୍ବରରେ ଘଟିଥିବା ଏଭଳି ଦୁଃଖଦାୟକ ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କୁ କ’ଣ ପାଇଁ ଏଭଳି ବିପଦପୂର୍ଣ୍ଣ ସ୍ବେରେଜ ଲାଇନ ଓ ସେପ୍ଟିକ୍ ଟାଙ୍କି ସଫେଇ କାର୍ଯ୍ୟ କରିବାକୁ କୁହାଯାଇଥିଲା ସେ ନେଇ ପୃଥକ୍ ଭାବେ ସତ୍ୟପାଠ ଦେବାକୁ ପବ୍ଲିକ୍ ହେଲଥ୍ ଇଂଜିନିୟରିଂ ଅର୍ଗାନାଇଜେସନ୍, ଏଲ୍ସି ଇନ୍ଫ୍ରା ପ୍ରୋଜେକ୍ଟ ପ୍ରାଇଭେଟ୍ ଲିମିଟେଡ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଏହି ମାମଲାରେ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ଓ ପାମି ରଥଙ୍କୁ ଆମିକସ୍ କ୍ୟୁରୀ ଭାବେ ହାଇକୋର୍ଟ ନିଯୁକ୍ତି ଦେଇଛନ୍ତି। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ସଦସ୍ୟ ସଚିବ ତୁରନ୍ତ କଟକ ଓ ଭୁବନେଶ୍ବର ଘଟଣାର ପୀଡ଼ିତ ପରିବାର ସହିତ ଯୋଗାଯୋଗ କରିବେ। ଯଦି ପୀଡ଼ିତ ପରିବାର ଆଇନଗତ ସହାୟତା ଆବଶ୍ୟକ କରୁଥାନ୍ତି ତେବେ ଏ ନେଇ ଆମିକସ୍ କ୍ୟୁରୀଙ୍କୁ ଅବଗତ କରାଯିବ। ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ସଦସ୍ୟ ସଚିବ ଭର୍ଚୁଆଲ ମୋଡ୍ରେ ଉପସ୍ଥିତ ରହିବେ ବୋଲି ହାଇକୋର୍ଟ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୦କୁ ଧାର୍ଯ୍ୟ କରାଯାଇଛି।
ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହନିର୍ମାଣ ଓ ନଗର ଉନ୍ନୟନ ସଚିବ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ସଚିବ, ପବ୍ଲିକ୍ ହେଲ୍ଥ ଇଂଜିନିୟରିଂ ଅର୍ଗାନାଇଜେସନ୍, କଟକ ଓ ଖୋର୍ଦ୍ଧା ଜିଲ୍ଲାପାଳ, ସିଏମ୍ସି ଓ ବିଏମ୍ସି କମିସନର, ଏଲ୍ସି ଇନ୍ଫ୍ରାକୁ ନୋଟିସ୍ ଜାରି କରାଯାଇ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି।