‘ସିଭିଲ୍କୁ କ୍ରିମିନାଲ୍ ମାମଲାର ରୂପ ଦେବା ପ୍ରକ୍ରିୟା ବନ୍ଦ ହେଉ’
ହାଇକୋର୍ଟ ବିଚାରପତି ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କ ଗୁରୁତ୍ବପୂର୍ଣ୍ଣ ରାୟ
କଟକ: ଦେୱାନି (ସିଭିଲ) ମାମଲାକୁ ଆପରାଧିକ (କ୍ରିମିନାଲ୍) ମାମଲାର ରୂପ ଦିଆଯାଉଛି। ରାୟକୁ ନିଜ ସପକ୍ଷରେ ନେବା ପାଇଁ ଏହି ବିବାଦରେ ପକ୍ଷଭୁକ୍ତ ବ୍ୟକ୍ତି ଏଭଳି ଘଟଣା ଘଟାଉଛନ୍ତି। ଏଥିରେ ଆଇନଗତ ପ୍ରକ୍ରିୟାର ଦୂରୁପଯୋଗ ହେଉଛି। ଏଭଳି ଘଟଣା ଉପରେ ଅଙ୍କୁଶ ଲାଗିବା ଉଚିତ। ଚୁକ୍ତି ସଂପର୍କିତ ବିବାଦ ବା ଦେୱାନି ମାମଲାକୁ ଅପରାଧ ମାମଲାରେ ବଦଳାଇବା ଭଳି ଘଟଣାରେ ଏତଲା ଦାୟର ପୂର୍ବରୁ ପୁଲିସ ପ୍ରାଥମିକ ତଦନ୍ତ କରିବା ବାଧ୍ୟତାମୂଳକ ହେବା ଅତି ଆବଶ୍ୟକ ହୋଇପଡ଼ିଛି। ତାହେଲେ ଯାଇ ଆଇନର ଅପବ୍ୟବହାର ଉପରେ ଅଙ୍କୁଶ ଲାଗିପାରିବ। ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ଏକ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଏସ.ରଂଜନ ରାଜୁଙ୍କ ଜାମିନ ଆବେଦନର ଶୁଣାଣି କରି ତାଙ୍କୁ ଜାମିନ ପ୍ରଦାନ ପାଇଁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେବା ସହିତ ଏଭଳି ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ରଖିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ, ନ୍ୟାସନାଲ୍ ମିସନ୍ ଫର୍ ଜଷ୍ଟିସ୍ ଡେଲିଭରି ଆଣ୍ଡ ଲିଗାଲ ରିଫର୍ମସ୍ର ଆଡଭାଇଜରି କାଉନସିଲ ସ୍ପଷ୍ଟ କରିଥିଲା ଯେ ଦେଶର ବିଭିନ୍ନ ନିମ୍ନ ଅଦାଲତରେ ବିଚାରାଧୀନ ୧୮.୬ ନିୟୁତ ଆପରାଧିକ ମାମଲା ମଧ୍ୟରୁ ୨.୮ ନିୟୁତ ମାମଲା ଗୁରୁତର ଅପରାଧ ସଂପର୍କିତ। ଦେୱାନି ବିବାଦକୁ ପ୍ରତିଶୋଧପରାୟଣ ହୋଇ ଅପରାଧିକ ମାମଲାରେ ପରିଣତ କରାଯିବା ଦ୍ବାରା ଏପରି ଅପରାଧିକ ବିବାଦ ସଂଖ୍ୟା ବୃଦ୍ଧି ପାଉଛି ବୋଲି ଏଥିରୁ ସ୍ପଷ୍ଟ ହୋଇଛି। ଏଭଳି ଉଦ୍ୟମ ବନ୍ଦ ହେବା ଉଚିତ। ଯାହା ଦ୍ବାରା ଆପରାଧିକ ମାମଲା ବିଚାର କରୁଥିବା ଅଦାଲତ ସମାଜକୁ ପ୍ରଭାବିକ କରୁଥିବା ଗୁରୁତର ଅପରାଧ ପ୍ରସଂଗ ଉପରେ ଅଧିକ ଦୃଷ୍ଟି ଦେଇପାରିବେ। ସୁପ୍ରିମକୋର୍ଟ ମଧ୍ୟ ଏହି ପ୍ରସଂଗକୁ ଗୁରତ୍ବର ସହିତ ଗ୍ରହଣ କରି କରିଛନ୍ତି। ଦେୱାନି ଆଇନ ସଂପର୍କତ ପ୍ରକ୍ରିୟା ଅଧିକ ସମୟ ସାପେକ୍ଷ ହୋଇଥିବା ଭାବି ଲୋକମାନେ ଆପରାଧିକ ମାମଲା ରୁଜୁ କରିବାକୁ ଗୁରୁତ୍ବ ଦେଉଛନ୍ତି। ପାରିବାରିକ ବିବାଦ କ୍ଷେତ୍ରରେ ଏଭଳି ଧାରା ଦେଖିବାକୁ ମିଳୁଥିବାବେଳେ ଏହା ବିବାହ ସଂପର୍କ ଭାଙ୍ଗିଥାଏ। ଯଦି କୌଣସି ବ୍ୟକ୍ତିକୁ କୌଣସି ପ୍ରକାର ଆପରାଧିକ ମାମଲାରେ ସଂପୃକ୍ତ କରି ଦିଆଯାଏ ତେବେ ଅନ୍ୟ ବିବାଦର ତୁରନ୍ତ ସମାଧାନର ସମ୍ଭାବନା ରହିଛି ବୋଲି ଅଧିକାଂଶ ଲୋକଙ୍କ ଧାରଣା ରହିଛି। ଏଭଳି ଚିନ୍ତାଧାରାକୁ ପ୍ରତିହିତ କରାଯିବା ଉଚିତ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ଏଥିସହିତ, ଆପରାଧିକ ଆଇନ୍ର ମେସିନାରି ବ୍ୟବହାର କରି ଦେୱାନି ବିବାଦର ସମାଧନ କରିବାକୁ ଚାହୁଁଥିବା ମୋକଦ୍ଦମାକାରୀଙ୍କ ଦ୍ବାରା ଆଇନ୍ ପ୍ରକ୍ରିୟାର ଅପବ୍ୟବହାର ହେବାର ଉଦାହରଣ ଏବେ ନିୟମିତ ଦେଖିବାକୁ ମିଳୁଛି। ଫଳରେ, ଗୁରୁତ୍ବପୂର୍ଣ୍ଣ ଆପରାଧିକ ମାମଲା ଉପରେ ଧ୍ୟାନକୈନ୍ଦ୍ରିତ କରାଯାଇପାରୁନାହିଁ ବୋଲି ହାଇକୋର୍ଟ କହିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, କାଲାକୁରି ଗୋଲା ବାବୁ ନାମକ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ ଫ୍ଲାଟ ଦେବାକୁ କହି ଆବେଦନକାରୀ ତାଙ୍କ ନିକଟରୁ ଟଙ୍କା ନେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଆବେଦନକାରୀ ତାଙ୍କୁ ଫ୍ଲାଟ୍ ଦେଇ ନଥିଲେ। ୨୦୨୦, ଜାନୁଆରି ୨୨ ସଂଧ୍ୟାରେ ଏହି ପ୍ରସଂଗକୁ ନେଇ ଅଭିଯୋଗକାରୀ ଓ ଆବେଦନକାରୀଙ୍କ ମଧ୍ୟରେ ଚଣ୍ଡିଖୋଲ ପେଟ୍ରୋଲପମ୍ପ ନିକଟରେ ବଚସା ହୋଇଥିଲା। ଆବେଦନକାରୀ ତାଙ୍କୁ ଆକ୍ରମଣ କରିଥିଲେ ବୋଲି ଅଭିଯୋଗକାରୀ ଦର୍ଶାଇ ଏକ କଂପ୍ଲେନ୍ କେସ୍ କରିଥିଲେ। ସିଆରପିସିର ଧାରା ୧୫୬(୩)ରେ ଏହି ମାମଲାରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଚଣ୍ଡିଖୋଲ ଜେଏମ୍ଏଫସି ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଏ ନେଇ ବଡଚଣା ଥାନା ପୁଲିସ ଏକ ମାମଲା ରୁଜୁ କରି ଆବେଦନକାରୀଙ୍କୁ ୨୦୨୦, ଫେବ୍ରୁଆରି ୧୨ରେ ଗିରଫ କରିଥିଲା। ଫେବ୍ରୁଆରି ୨୦ରେ ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅଭିଯୋଗକାରୀ ଓ ତାଙ୍କ ମଧ୍ୟରେ ୧୫ ବର୍ଷରୁ ଅଧିକର ବ୍ୟାବସାୟିକ ସଂପର୍କ ରହିଥିବା ବେଳେ ଉଦ୍ଦେଶ୍ୟମୂଳକ ଭାବେ ଏଭଳି ମୋକଦ୍ଦମା ରୁଜୁ କରାଯାଇଛି ବୋଲି ଆବେଦନକାରୀ ଦର୍ଶାଇଥିଲେ। ଖଣ୍ଡପୀଠ ମାମଲାରେ ଆବେଦନକାରୀଙ୍କୁ ଜାମିନ ମଞ୍ଜୁର କରିଛନ୍ତି। ନିମ୍ନ ଅଦାଲତ ଆବଶ୍ୟକ ସର୍ତ୍ତାରୋପ କରି ଆବେଦନକାରୀଙ୍କୁ ଜାମିନରେ ଛାଡିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।