ଦୁର୍ଗାପୂଜା ମାମଲା : ସନ୍ଧ୍ୟା ୭ଟା ସୁଦ୍ଧା ମୂର୍ତ୍ତି ଉଚ୍ଚତା ନେଇ କଟକ ଡିସିପିଙ୍କୁ ଜଣାଇବେ ପୂଜା କମିଟି, ଏହା ପରେ ମିଳିବ ଅନୁମତି

ମୂର୍ତ୍ତିର ଉଚ୍ଚତା ସଂପର୍କିତ ନିୟମକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

କଟକ: ପ୍ରସିଦ୍ଧ ଦୁର୍ଗାପୂଜାରେ ମଣ୍ଡପଗୁଡ଼ିକରେ ମୂର୍ତ୍ତିର ଉଚ୍ଚତା କେତେ ରହିବ ସେ ନେଇ କଟକର ବିଭିନ୍ନ ପୂଜା କମିଟି ପକ୍ଷରୁ ଆଜି ସନ୍ଧ୍ୟା ୭ଟା ସୁଦ୍ଧା ଡିସିପିଙ୍କୁ ଅବଗତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ପୂଜା କମିଟି ନିଜ ନିଜର ପୂଜା ମଣ୍ଡପରେ କେତେ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରୁଛନ୍ତି ତାହା ଡିସିପିଙ୍କୁ ଜଣାଇବେ । ଏହା ପରେ ପୁଲିସ ପୂଜା ମଣ୍ଡପ ଯାଇ ମୂର୍ତ୍ତି ଦେଖିବା ପରେ ମୂର୍ତ୍ତି ଉଚ୍ଚତା ପାଇଁ ଅନୁମତି ମିଳିବ ।

ଗତ ସେପ୍ଟେମ୍ବର ୧୦ ତାରିଖରେ ରାଜ୍ୟ ସରକାର କହିଥିଲେ ଯେ, ମଣ୍ଡପରେ ସର୍ବାଧିକ ମୂର୍ତ୍ତିର ଉଚ୍ଚତା ୪ ଫୁଟ ରହିବ । ଏହାକୁ ଚ୍ୟାଲେଞ୍ଜ କରି ବାଲୁବଜାର ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଏହାକୁଆଉ କିଛି ପୂଜା କମିଟି ମଧ୍ୟ ସମର୍ଥନ କରି ପକ୍ଷଭୂତ ହେବା ପାଇଁ ଆବେଦନ କରିଥିଲେ । ଆଜି ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍, ଡ. ଜଷ୍ଟିସ ବିଦ୍ୟୁତ ରଂଜନ ଷଡ଼ଙ୍ଗୀଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା ।

ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ରଖାଯାଇଥିଲା କି, ମୂର୍ତ୍ତି ନିର୍ମାଣ ପାଇଁ ମାଟି ଉଠା କାର୍ଯ୍ୟକ୍ରମ ରାଧାଷ୍ଟମୀ ଠାରୁ ହୋଇଥାଏ । ଗାଇଡଲାଇନ ଆସିବା ବେଳକୁ ମୂତ୍ତି ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚି ଯାଇଥିଲା । ସେପ୍ଟେମ୍ବର ୧୭ ତାରିଖରେ ଖଡ଼ିମାରା ନୀତି ଅନୁଷ୍ଠିତ ହେବ । କଟକରେ ଯେତେ ସବୁ ପୂଜାମଣ୍ଡ ଅଛି, ପ୍ରତିବର୍ଷ ପରଂପରା ଅନୁସାରେ ଏକ ନିର୍ଦ୍ଦିଷ୍ଟ ମୂର୍ତ୍ତିର ଉଚ୍ଚତା ତିଆରି ହୋଇଥାଏ । ଏପରିକି ମୂର୍ତ୍ତିର ମୁଖା ନିର୍ମାଣର ମଧ୍ୟ ନିଦ୍ଦିଷ୍ଟ ଶୈଳୀ ରହିଥାଏ । ମୂର୍ତ୍ତିକୁ କାଠ ଖଡ଼ମା ଉପରେ ତିଆରି ହୋଇଥାଏ, ଯାହାର କି ମଧ୍ୟ ଏକ ନିର୍ଦ୍ଦିଷ୍ଟ ଉଚ୍ଚତା ରହିଛି । ବର୍ଷ ସାରା ଏହି ଖଡ଼ମା ପୂଜା ଘରେ ମଧ୍ୟ ପୂଜା ପାଇଥାଏ । ଏହି ସବୁ ଦୃଷ୍ଟିରୁ ମୂର୍ତ୍ତିର ଉଚ୍ଚତା କମ କରିବା ସମ୍ଭବ ନୁହେଁ ।

ସୂଚନାଯୋଗ୍ୟ, ସରକାରଙ୍କ ପାଖରେ ଥିବା ତଥ୍ୟ ଅନୁସାରେ କଟକ ସହରରେ ୧୬୭ ସ୍ଥାନରେ ଦୁର୍ଗାପୂଜା ଅନୁଷ୍ଠିତ ହେଉଛି । କରୋନା କଟକଣା ଯୋଗୁଁ ମୂର୍ତ୍ତିର ଉଚ୍ଚତା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ବିଭିନ୍ନ ପ୍ରକାରର ବିବାଦ ଦେଖାଯାଉଛି ।

ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ମୂର୍ତ୍ତିର ଉଚ୍ଚତା ୪ ଫୁଟ ମଧ୍ୟରେ ସୀମିତ ରଖିବାକୁ କୁହାଯିବାର ଏକ କାରଣ ଅଛି । ମୂର୍ତ୍ତିର ଉଚ୍ଚତା ୪ ଫୁଟ ରହିଲେ ବିସର୍ଜନ ବେଳେ ଭିଡ଼ ନକରି ଟ୍ରଲି ରିକ୍ସା ଅଥବା ଅଟୋରେ ଏହା ସମାପନ କରାଯାଇପାରିବ । ଯଦି ମୂର୍ତ୍ତିର ଉଚ୍ଚତା ବୃଦ୍ଧି କରାଯାଏ, ତେବେ ବିସର୍ଜନରେ ଅଟୋ କିମ୍ବା ଟ୍ରଲି ରିକ୍ସାରେ ନେବା ଅସୁବିଧା ହେବ । ଏଥି ସହିତ ଅଗଷ୍ଟ ୨୮ରେ ପ୍ରଶାସନ ସହିତ ପୂଜା କମିଟିର ପ୍ରତିନିଧି ଆଲୋଚନା କରି ମୂର୍ତ୍ତିର ଉଚ୍ଚତା କମ ପ୍ରସଙ୍ଗରେ ସହମତି ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ଏହାକୁ ଚ୍ୟାଲେଞ୍ଜ କରାଯିବା ଗ୍ରହଣୀୟ ନୁହେଁ ।

pngimagesfree.com

ଖଣ୍ଡପୀଠ କହିଥିଲେ ଯେ, ପିଟିସନର ଓ ଅନ୍ୟମାନେ କହୁଛନ୍ତି ନିୟମ ଆସିଲା ବେଳକୁ ମୂର୍ତ୍ତି ନିର୍ମାଣ କାମ ଆଗେଇ ଯାଇଥିଲା । ଏସବୁକୁ ଦୃଷ୍ଟିରେ ରଖି ଯେଉଁମାନେ ଅଧିକ ଉଚ୍ଚର ମୂର୍ତ୍ତି ତିଆରି କରିଛନ୍ତି, ସେମାନେ ଆଜି ସନ୍ଧ୍ୟା ୭ଟା ସୁଦ୍ଧା ଏ ନେଇ କମିସନରେଟ ପୁଲିସକୁ ଅବଗତ କରିବେ ଏବଂ ଏହା ପରେ ପୁଲିସ ପୂଜା ମଣ୍ଡପ ଯାଇ ମୂର୍ତ୍ତିର ଉଚ୍ଚତା ଅନୁଧ୍ୟାନ କରିବେ । ଏହାପରେ ଅଦାଲତ ଏଥି ପାଇଁ ଆବଶ୍ୟକ ଅନୁମତି ପ୍ରଦାନ ପ୍ରସଙ୍ଗରେ ନିଷ୍ପତ୍ତି ନେବେ ।

ସମ୍ବନ୍ଧିତ ଖବର