କୋଣାର୍କ ଏନ୍‌ଏସି ପକ୍ଷରୁ ନିର୍ମାଣ ହେଉଥିବା ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ କାର୍ଯ୍ୟ ଉପରେ ରୋକ ଲଗାଇଲେ ହାଇକୋର୍ଟ

କଟକ: ବାଲୁଖଣ୍ଡ-କୋଣାର୍କ ବଣ୍ୟପ୍ରାଣୀ ଅଭୟାରଣ୍ୟ ଭିତରେ ବେଆଇନ ଭାବେ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ନିର୍ମାଣ ଅଭିଯୋଗ ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ସ୍ଥିତାବସ୍ଥା ଜାରି କରିଛନ୍ତି। କୋଣାର୍କ ଏନ୍‌ଏସି ଅନ୍ତର୍ଗତ ନିର୍ଦ୍ଦିଷ୍ଟ ଦୁଇଟି ପ୍ଲଟ ଉପରେ ନିର୍ମାଣ କାର୍ଯ୍ୟ ଚାଲିଥିବା ସଂପର୍କରେ ଅଭିଯୋଗ ରହିଥିବା ବେଳେ ଏହି ଜମି ଉପରେ କୌଣସି ନିର୍ମାଣ କାର୍ଯ୍ୟ କରାଯାଇ ପାରିବ ନାହିଁ ଓ ସ୍ଥିତାବାସ୍ଥା ବଜାୟ ରଖାଯିବ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ମାମଲାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମେତ ୧୭ଜଣ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ୍ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଶା ବାୟୋଡାଇଭର୍ସିଟି କଞ୍ଜରଭେସନ୍ ଫାଉଣ୍ଡେସନ୍ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନି‌ର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୪କୁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ଅଞ୍ଚଳର ବର୍ଜ୍ୟବସ୍ତୁ ପରିଚାଳନା ପାଇଁ କୋଣାର୍କ ଏନ୍‌ଏସି ୨ ଟିପିଡି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ନିର୍ମାଣ ପାଇଁ ‌୨୦୧୯, ନଭେମ୍ବର ୧୩ରେ ଟେଣ୍ଡର ଆହ୍ବାନ କରିଥିଲା। ଟେଣ୍ଡର ପ୍ରକ୍ରିୟାରେ ଅଂଶ ଗ୍ରହଣ କରିଥିବା ଏକ ସଂସ୍ଥାକୁ ୨୦୧୯, ଡିସେମ୍ବର ୨୧ରେ ମନୋନୀତ କରାଯାଇଥିଲା। ଏହାପରେ କୋଣାର୍କର ଖାତା ନମ୍ବର ୪୧୫, ପ୍ଲଟ ନମ୍ବର ୧୫୯୯ ଓ ୧୬୦୨ ଉପରେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ନିର୍ମାଣ କରାଯାଉଥିବା ଜମି ବାଲୁଖଣ୍ଡ-କୋଣାର୍କ ବଣ୍ୟପ୍ରାଣୀ ଅଭୟାରଣ୍ୟ ଅଞ୍ଚଳ ମଧ୍ୟରେ ଅନ୍ତର୍ଭୁକ୍ତ ବୋଲି ଅଭିଯୋଗ ହୋଇଥିଲା।

୧୯୮୭, ସେପ୍ଟେମ୍ବର ୧ରେ ବଣ୍ୟଜନ୍ତୁ ସୁରକ୍ଷା ଆଇନର ଧାରା ୧୮ ଅନୁସାରେ ବାଲୁଖଣ୍ଡ-କୋଣାର୍କ ଅଭୟାରଣ୍ୟ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଅଭୟାରଣ୍ୟ ଘୋଷିତ ଅଞ୍ଚଳ ସୁରକ୍ଷିତ ଅଞ୍ଚଳ ହୋଇଥିବା ବେଳେ ଏହି ଜମିରୁ ମଲା ଗଛ ଓ ଘାସ ମଧ୍ୟ ଉଠାଇବା ଉପରେ ଅଙ୍କୁଶ ରହିଛି ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଅଭୟାରଣ୍ୟ ସୀମାର ୫ଶହ ମିଟର ଭିତରେ ଥିବା ଅଞ୍ଚଳ ଇକୋ ସେନ୍‌ସିଟିଭ୍ ଜୋନ୍ ଭାବେ ଗ୍ରହଣ କରାଯିବ ଓ ଏହି ଜୋନରେ କୌଣସି ପ୍ରକାର ନିର୍ମାଣ କରାଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ କୌଣସି ନୂଆ ନିର୍ମାଣ ଏହି ଅଞ୍ଚଳରେ କରାଯାଇ ପାରିବ ନାହିଁ। କିନ୍ତୁ ଏହି ନିୟମ ଉଲ୍ଳଂଘନ କରି ପୁରୀ ପ୍ରଶାସନ ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଏହି ଜମି ସ୍ଥିର କରାଯାଇଥିଲା। ଏ ନେଇ ଟେଣ୍ଡର ଆହ୍ବାନ କରାଯାଇ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଇଥିଲା।

ନିର୍ମାଣ ଚାଲିଥିବା ପ୍ଲଟ ୧୫୯୯ ଓ ୧୬୦୨ ଦୁଇଟି ବାଲୁଖଣ୍ଡ-କୋଣାର୍କ ବଣ୍ୟଜନ୍ତୁ ଅଭୟ‌ାରଣ୍ୟ ପରିସରରେ ରହିଛି। ଏଥି ସହିତ ପ୍ଲଟ୍ ନମ୍ବର ୧୬୦୨ର ଅଂଶ ଇକୋ ସେନ୍‌ସିଟିଭ୍ ଜୋନ୍ ମଧ୍ୟରେ ରହିଥିବା ବେଳେ କୌଣସି ପ୍ରକାର ନିର୍ମାଣ ଏହା ଉପରେ କରାଯାଇ ପାରିବ ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏହି ପ୍ରକଳ୍ପ ଦ୍ବାରା ଅଭୟାରଣ୍ୟର ପରିବେଶ ପ୍ରଭାବିତ ହେବ। ନିକଟରେ ଥିବା ସମୁଦ୍ର ପାଣି ସହିତ ଅଞ୍ଚଳର ବାୟୁ ମଧ୍ୟ ପ୍ରଦୂଷିତ ହେବ ବୋଲି ଆବେଦନକାରୀ ପ୍ରଶାସନକୁ ଅବଗତ କରିବା ପରେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଏ ନେଇ ଅନୁଷ୍ଠାନ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶିବଶଙ୍କର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର