ମାଟ୍ରିକ ଖାତା ଦେଖା ପ୍ରସଙ୍ଗରେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ଖାତା ଦେଖୁଥିବା ସମସ୍ତ ଶିକ୍ଷକଙ୍କ ରହଣି ଓ ଖାଦ୍ୟ ବ୍ୟବସ୍ଥା କରିବେ ସରକାର

କଟକ: ମାଟ୍ରିକ୍ ଖାତା ମୂଲ୍ୟାୟନ ବେଳେ କୋଭିଡ-୧୯ ନିୟମାବଳୀର କଡ଼ାକଡି ପାଳନ ହେବ। ଏହି ସମୟରେ କୋଭିଡ-୧୯ ନିୟମାବଳୀ ଯେପରି ଉଲ୍ଲଂଘନ ନ ହୁଏ ଏଥି ପାଇଁ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ), ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିବେ। ମାଟ୍ରିକ୍ ଖାତା ମୂଲ୍ୟାୟନ ପାଇଁ ଯଦି କୌଣସି ଶିକ୍ଷକ/ଶିକ୍ଷୟିତ୍ରୀ ୧୦ କି.ମି.ଠାରୁ ଅଧିକ ଦୂରତ୍ବ ଅତିକ୍ରମ କରି ଆସୁଥାନ୍ତି ତେବେ ତାଙ୍କ ରହିବା, ଖାଇବା ସହିତ ଅନ୍ୟ ସୁବିଧା ସରକାର ସୁନିଶ୍ଚିତ କରିବେ।

ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଆସୋସିଏସନ୍ (ଓଷ୍ଟା) ଓ ମଧୁସୂଦନ ଦେଙ୍କ ପକ୍ଷରୁ ଦାୟର ପୃଥକ ମାମଲାର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ-୧୯କୁ ଦୃଷ୍ଟିରେ ରଖି ୩.୦ ନିୟମାବଳୀ ଏବେ ବଳବତ୍ତର ରହିଥିବା ବେଳେ ଯଦି ପରବର୍ତ୍ତୀ ସମୟ‌େର ନୂଆ ନିୟମାବଳୀ ୪.୦ ଜାରି କରାଯାଏ ତେବେ ଏହା ଖାତା ମୂଲ୍ୟାୟନ ବେଳେ କଡାକଡି ପାଳନ କରାଯିବ। ଏଥି ସହିତ କୋଭିଡ-୧୯ ପରିପ୍ରେକ୍ଷୀରେ ଦୂର ସ୍ଥାନରୁ ଯାତାୟତ ଓ ଭିଡ ଏଡ଼ାଇବା ପାଇଁ ଯଦି ‌ପରବର୍ତ୍ତୀ ସମୟରେ କୌଣସି ନିର୍ଦ୍ଦେଶ ଜାରି କରାଯାଏ ତେବେ ଶିକ୍ଷକଙ୍କ ମନରେ ରହିଥିବା ଏ ସଂପର୍କିତ ଆଶଙ୍କା ଦୂର ପାଇଁ ସରକାର ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ମାର୍ଚ୍ଚ ୧୮ରୁ ମାଟ୍ରିକ ଖାତା ମୂଲ୍ୟାୟନ କାର୍ଯ୍ୟ ହୋଇଥିବା ବେଳେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହା ସ୍ଥଗିତ ରଖାଯାଇଥିଲା। ଏହାପରେ ମେ’୨୦ ତାରିଖରୁ ପୁଣି ଖାତା ମୂଲ୍ୟାୟନ ଆରମ୍ଭ କରିବା ପାଇଁ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ପୂର୍ବରୁ ଖାତା ଦେଖା ପାଇଁ ୧୭ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଏବେ ପ୍ରାୟ ୨୩ ହଜାର ଶିକ୍ଷକଙ୍କୁ ନେଇ ଖାତା ଦେଖା କାର୍ଯ୍ୟ ଜାରି ରଖିବାକୁ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ୬୦ଟି କେନ୍ଦ୍ରରେ ମାଟ୍ରିକ, ମଧ୍ୟମା, ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତା ମୂଲ୍ୟାୟନ କରାଯିବାକୁ ଥିବା ବେଳେ ପ୍ରତି କେନ୍ଦ୍ରରେ ପ୍ରାୟ ୩୮୩ ଜଣ ଶିକ୍ଷକଙ୍କ ପାଇଁ ବ୍ୟବସ୍ଥା କରାଯାଇ ୨୦ ଦିନରେ ମୂଲ୍ୟାୟନ କାର୍ଯ୍ୟ ସାରିବାକୁ ବୋର୍ଡ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ପ୍ରତି ମୂଲ୍ୟାୟନ କେନ୍ଦ୍ରରେ କୋଭିଡ୍-୧୯ର ନିୟମାବଳୀକୁ କଡ଼ାକଡ଼ି ଭା‌ବେ ପାଳନ କରାଯିବ।

ମୂଲ୍ୟାୟନ ବେଳେ ସାମାଜିକ ଦୂରତ୍ବ ରକ୍ଷା କରିବା ପାଇଁ ମୂଲ୍ୟାୟନ କେନ୍ଦ୍ରକୁ ତିନି ପର୍ଯ୍ୟାୟରେ ପରୀକ୍ଷକମାନେ ପ୍ରବେଶ କ‌ରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। କିନ୍ତୁ ଖାତା ମୂଲ୍ୟାୟନ ବେଳେ କୋଭିଡ-୧୯ ନିୟମାବଳୀ ପାଳନ ଓ ଶିକ୍ଷକଙ୍କ ସୁରକ୍ଷାକୁ ଅଣଦେଖା କରାଯାଇଛି ବୋଲି ଅଭିଯୋଗ ହୋଇଥିଲା। ଏ ନେଇ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା। ଗୋଟିଏ ଖାତାର ମୂଲ୍ୟାୟନ ବେ‌ଳେ ଏହା ବିଭିନ୍ନ ପର୍ଯ୍ୟାୟରେ ଏକାଧିକ ଶିକ୍ଷକଙ୍କ ନିକଟକୁ ଆସିବାର ବ୍ୟବସ୍ଥା ରହିଛି। ଗୋଟିଏ ମୂଲ୍ୟାୟନ କେନ୍ଦ୍ରରେ ପ୍ରାୟ ଚାରି ଶହ ଲୋକଙ୍କ ଉପସ୍ଥିତି ଯୋଗୁଁ ସାମାଜିକ ଦୂରତ୍ବ ନିୟମ ପାଳନକୁ ନେଇ ସନ୍ଦେହ ରହିଛି। ଏହା ଦ୍ବାରା କରୋନା ଭୂତାଣୁ ସଂକ୍ରମଣର ଆଶଙ୍କା ରହିଛି। ଏଥି ସହିତ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଶେଷ ପରେ ମେ’ ୧୮ରୁ ନୂଆ ନିୟମାବଳୀ ଜାରି କରାଯିବାର ସମ୍ଭାବନା ରହିଛି।

ମେ’୨୦ରୁ ଖାତା ମୂଲ୍ୟାୟନ ଆରମ୍ଭ କରାଯିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ନୂଆ ନିୟମାବଳୀ ପାଳନ କରି ଶିକ୍ଷକମାନେ କେନ୍ଦ୍ରରେ ପହଞ୍ଚିବା ସମ୍ଭବ ହେବ କି ନାହିଁ କହିବା ଏବେ କଷ୍ଟକର। ରାଜ୍ୟରେ ୬୦ଟି କେନ୍ଦ୍ର କରାଯାଇଥିବା ବେଳେ ବହୁ ଶିକ୍ଷକଙ୍କୁ ଶତାଧିକ କିଲୋମିଟର ଦୂରତ୍ବ ଅତିକ୍ରମ କରି ପହଞ୍ଚିବାକୁ ପଡିବ। ଲକ୍‌ଡାଉନ ‌ଯୋଗୁଁ ସାଧାରଣ ପରିବହନ ସେବା ଏକ ପ୍ରକାର ବନ୍ଦ ହୋଇଯାଇଥିବା ବେଳେ ସବୁ ଶିକ୍ଷକ ଗାଡି ଚଳାଇ ଶିଖି ନାହାନ୍ତି। ଏଥି ସହିତ ଲକ୍‌ଡାଉନ ଯୋଗୁଁ ଦୂରରୁ ଯାଉଥିବା ଶିକ୍ଷକଙ୍କ ରହିବା ଓ ଖାଇବାରେ ସମସ୍ୟା ରହିବ। ଏ ସବୁ ସମସ୍ୟା ଯୋଗୁଁ ଶିକ୍ଷକମାନେ ଅସୁରକ୍ଷିତ ମନେ କରୁଥିବା ଅଭିଯୋଗ ହୋଇଥିଲା। ହୋମ୍ ଇଭାଲ୍ୟୁସନ୍ ବ୍ୟବସ୍ଥା କିମ୍ବା ଅଧିକ ସଂଖ୍ୟକ କେନ୍ଦ୍ର କରାଯାଉ ବୋଲି ମାମଲାରେ ଦର୍ଶାଯାଇଥିଲା। ଏଥି ସହିତ ଶିକ୍ଷକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ ମହାନ୍ତି ଓ ବୁଦ୍ଧଦେବ ରାଉତରାୟ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ଶୁଭଦତ୍ତ ରାଉତରାୟ ଓ ନିରଂଜନ ନାୟକ ସହାୟତା କରୁଥିଲେ।

ସମ୍ବନ୍ଧିତ ଖବର