ହାଇକୋର୍ଟରେ ଦୁଷ୍କର୍ମର ଶିକାର ନାବାଳିକାର ଗର୍ଭପାତ ମାମଲା: ବିଶେଷଜ୍ଞ କମିଟିଙ୍କ ମତାମତ ପରେ ନିଆଯିବ ପଦକ୍ଷେପ

କଟକ: ଦୁଷ୍କର୍ମର ଶିକାର ନାବାଳିକାଙ୍କ ଗର୍ଭପାତ ଅନୁମତି ପ୍ରସଂଗକୁ ନେଇ ଦାୟର ମାମଲାରେ ତିନି ଜଣ ମେଡିକାଲ ‌ଏକ୍ସପର୍ଟଙ୍କୁ ନେଇ ଏକ ବୋର୍ଡ ଗଠନ ପାଇଁ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଅଧୀକ୍ଷକଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତିନି ଜଣ ବିଶେଷଜ୍ଞଙ୍କୁ ନେଇ ଗଠିତ ଏହି ବୋର୍ଡ ଏପ୍ରିଲ ୯ ତାରିଖ ସଂଧ୍ୟାରେ ବା ୧୦ ତାରିଖ ଦିନ ୧୨ଟା ସୁଦ୍ଧା ପୀଡିତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବ। ଯଦି ବୋର୍ଡ ଗର୍ଭପାତ ସପକ୍ଷରେ ମତ ଦିଏ ତେବେ କୋର୍ଟଙ୍କ ଆଉ କୌଣସି ନିର୍ଦ୍ଦେଶକୁ ଅପେକ୍ଷା ନ କରି ଏହି ପ୍ରସଂଗରେ ପଦକ୍ଷେପ ଗ୍ରହଣ କରାଯିବ। ଏଭଳି କ୍ଷେତ୍ରରେ ନାବାଳିକା ପୀଡିତା ୨୩ ମାସର ଗର୍ଭବତୀ ଥିବା ପ୍ରସଂଗକୁ ବିଚାରକୁ ନେଇ ତୁରନ୍ତ ଗର୍ଭପାତ (ମେଡିକାଲ ଟର୍ମିନେସନ୍ ଅଫ୍ ପ୍ରେଗନାନ୍ସ(ଏମ୍‌ଟିପି)) ପାଇଁ ଏସସିବି ଅଧୀକ୍ଷକ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବେ ବୋଲି ହାଇକୋର୍ଟଙ୍କ ରାୟରେ ସ୍ପଷ୍ଟ କରାଯାଇଛି। ଏହି ପ୍ରସଂଗରେ ହୋଇଥିବା ଅଗ୍ରଗତି ସଂକ୍ରାନ୍ତରେ ପରବର୍ତ୍ତୀ ଶୁଣାଣି ସମୟରେ ହାଇକୋର୍ଟଙ୍କୁ ଅବଗତ କରାଯିବ। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଏପ୍ରିଲ ୧୨ ତାରିଖକୁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ପୁରୀ ଜିଲ୍ଲାର ପୀଡିତା ନାବାଳିକା ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହେଇଥିଲେ। ପୀଡିତାଙ୍କ ପରିବାର ପକ୍ଷରୁ ମାର୍ଚ୍ଚ ୧୪ରେ ଦାଖଲ ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା। ୨୦୨୧, ମାର୍ଚ୍ଚ ୨୧ରେ ପୀଡିତାଙ୍କ ଡାକ୍ତରୀ ପରୀକ୍ଷା ଓ ଅଲଟ୍ରାସାଉଣ୍ଡ କରାଯାଇଥିଲା। ୧୪ ବର୍ଷୀୟା ପୀଡିତାଙ୍କ ଗର୍ଭରେ ଗୋଟିଏ ଭ୍ରୂଣ ଥିବା ଜଣା ପଡିଥିଲା। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ପୀଡିତାଙ୍କ ଗର୍ଭପାତ ପାଇଁ ଏସସିବି ମେଡିକାଲକୁ ଅନୁମୋଦନ କରାଯାଇଥିଲା। ପୀଡିତା ୨୧ ସପ୍ତାହର ଗର୍ଭବତୀ ବୋଲି ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଉଲ୍ଲେଖ କରାଯାଇଥିଲା। ୨୦୨୧, ମାର୍ଚ୍ଚ ୩୦ରେ ଏସସିବି ଅଧୀକ୍ଷକଙ୍କ ପକ୍ଷରୁ ଏକ ଚିଠି ଏହି ପ୍ରସଂଗରେ ମେଡିକାଲ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ (ଡିଏମଇଟି)ଙ୍କୁ ଲେଖାଯାଇଥିଲା। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ ପୀଡିତାଙ୍କ ଗର୍ଭ ୨୦ ସପ୍ତାହରୁ ଅଧିକ ହୋଇଥିବାରୁ ଏମଟିପି ଆଇନ, ୧୯୭୧ ଅନୁସା‌ରେ ଗର୍ଭପାତ କରାଯାଇ ପାରିବ ନାହିଁ। ଏଥି ପାଇଁ କୋର୍ଟଙ୍କ ସ୍ବତନ୍ତ୍ର ଅନୁମତି ଆବଶ୍ୟକ। ଏହାପରେ ପୀଡିତାଙ୍କ ବାପା ଏହି ପ୍ରସଂଗ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେ ଦର୍ଶାଇଥିଲେ ଯେ ଦୁଷ୍କର୍ମର ଶିକାର ପୀଡିତା ମାନସିକ ବେଦନା ପାଇଥିଲେ। ଏହି ମାନସିକ ଅବସ୍ଥାରୁ ସେ ବାହାରି ନଥିବା ବେଳେ ଦୁଷ୍କର୍ମ ଯୋଗୁଁ ଗର୍ଭବତୀ ହେବା ପ୍ରସଂଗ ତାଙ୍କ ଦୁର୍ଦ୍ଦଶା ବଢାଇ ଦେଇଛି। ତେଣୁ ସମ୍ବିଧାନର ଧାରା ୨୧ ଅନୁସାରେ ଗର୍ଭପାତ ପାଇଁ ଅନୁମତି ଦିଆଯାଉ। ମାମଲାର ଶୁଣାଣି ସମୟରେ ଅାବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଏମଟିପି ଆଇନ, ୨୦୨୧ର ସଂଶୋଧନ କରାଯାଇଛି।

ସଂଶୋଧିତ ବ୍ୟବସ୍ଥା ଅନୁସାରେ ଗର୍ଭଧାରଣର ଅବଧି ୨୦ ସପ୍ତାହରୁ ଅଧିକ ଓ ୨୪ ସପ୍ତାହରୁ କମ୍ ହୋଇଥିଲେ ପଞ୍ଜୀକୃତ ମେଡିକାଲ ପ୍ର‌ାକ୍ଟିସନରଙ୍କ ଦ୍ବାରା ଗର୍ଭପାତ କରାଯାଇ ପାରିବ। ଏଥି ସହିତ ଚନ୍ଦ୍ରକାନ୍ତ ଜୟନ୍ତୀଲାଲ ସୁଥାର ବନାମ ଗୁଜରାଟ ସରକାର ମାମଲାରେ ସୁପ୍ରିମକୋର୍ଟଙ୍କ ରାୟର ନଜିର ଉପସ୍ଥାପନ କରାଯାଇଥିଲା। ଏଥିରେ ଦୁଷ୍କର୍ମର ଶିକାର ଜଣେ ୧୪ ବର୍ଷୀୟା ନାବାଳିକାର ଗର୍ଭପାତ ସପକ୍ଷରେ ସର୍ବୋଚ୍ଚ ଅଦାଲତ ରାୟ ଦେଇଥିଲେ। ମାମଲାରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ, ଏସସିବି ମେଡିକାଲ ଅଧୀକ୍ଷକ ଓ ଡିଏମଇଟିଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଓମକାର ଦେବଦାସ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର