ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ପ୍ରସଂଗ: ହାଇକୋର୍ଟ କହିଲେ- ଜମି ହରାଇଥିବା ବ୍ୟକ୍ତିଙ୍କୁ ୬ ସପ୍ତାହ ଭିତରେ ବିବାଦ ନଥିବା ଜମି ଦିଅ

କଟକ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ପ୍ରକ୍ରିୟାରେ ଜମି ହରାଇଥିବା ବ୍ୟକ୍ତିଙ୍କୁ ୬ ସପ୍ତାହ ଭିତରେ ଜମି ଯୋଗାଇ ଦେବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କୁ ବିବାଦ ନଥିବା ବାସପୋଯୋଗୀ ଜମି ଯୋଗାଇ ଦେବାକୁ ପୁରୀ ଜିଲ୍ଲାପାଳଙ୍କୁ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଜମି ହରାଉଥିବା ବ୍ୟକ୍ତି ନିଜ ମୌଳିକ ଅଧିକାର ପାଇବା ପାଇଁ ଯେପରି ହଇରାଣ ନ ହୁଅନ୍ତି ତାହା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବଶେଳିସାହି ଥାନା ଅନ୍ତର୍ଗତ ପଶ୍ଚିମଦ୍ବାର ନିକଟର ବାସିନ୍ଦା କୃଷ୍ଣଚନ୍ଦ୍ର ଲେଙ୍କା ଓ ଅଞ୍ଚଳର ଅନ୍ୟ ୬ଜଣଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଶ୍ରୀମନ୍ଦିରର ୭୫ ମିଟର ପରିଧି ଭିତରେ ଆବେଦନକାରୀଙ୍କ ଜମି ଓ ଘର ରହିଥିବା ବେଳେ ଏହାକୁ ଅଧିଗ୍ରହଣ କରିବାକୁ ସରକାର ‌ନିଷ୍ପତ୍ତି ନେଇଥିଲେ। ୭୫ ମିଟର ପରିଧି ଭିତରେ ଜମି ଓ କୋଠା ହରାଉଥିବା ବ୍ୟକ୍ତିଙ୍କୁ ଥଇଥାନ ପାଇଁ ସରକାର ଘୋଷଣା କରିଥିଲେ। ଏଥି ପାଇଁ ବିକଳ୍ପ ଘରବାଡ଼ି ଜମି ଓ କ୍ଷତିପୂରଣ ଅର୍ଥ ପ୍ରଦାନ ପାଇଁ ସରକାର ଘୋଷଣା କରିଥିଲେ। ଆବେଦନକାରୀଙ୍କ ଜମି ଅଧିଗ୍ରହଣ ପାଇଁ ସରକାର ନିଷ୍ପତ୍ତି ନେଇଥିବା ବେଳେ ସେମାନଙ୍କୁ ନିଜ ଘର ଓ ଜମି ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ ଆବେଦନକାରୀ ଥଇଥାନ ଯୋଜନାରେ ପ୍ରଦାନ କରାଯିବାକୁ ଥିବା ଜମି ସଂପର୍କରେ ତଥ୍ୟ ମାଗିଥିଲେ ପ୍ରଶାସନ ନିକଟରୁ।

ପୁରୀସହର ମୌଜାର ୟୁନିଟ-୩ ମାଟିମଙ୍ଗଳା ଠାରେ ବିକଳ୍ପ ଜମି ଆବେଦନକାରୀଙ୍କୁ ପ୍ରଦାନ କରାଯାଇଥିଲା। ପୁରୀ ଜିଲ୍ଲାପାଳ ଆବେଦନକାରୀଙ୍କ ନାଁରେ ଏ ନେଇ ବିକ୍ରି କବଲା କରିଥିଲେ। କବଲା ପଞ୍ଜୀକରଣ ପରେ କିନ୍ତୁ ଜମିର ମ୍ୟୁଟେସନ୍ କରି ଜମି ପଟ୍ଟା (ଆରଓଆର) ପ୍ରଦାନ କରାଯାଇ ନଥିଲା। ଏଥି ସହିତ ଜମି ଦଖଲ ଆବେଦନକାରୀଙ୍କୁ ଦିଆଯାଇ ନଥିଲା। ଅନ୍ୟପକ୍ଷରେ ଆବେଦନକାରୀଙ୍କ ମୂଳ ଘର ଓ ଜମିରୁ ଉଚ୍ଛେଦ ପ୍ରକ୍ରିୟା ପ୍ରଶାସନ ଆରମ୍ଭ କରିଥିଲା। ଏପରି ଘଟଣାର ଆବେଦନକାରୀ ପ୍ରତିବାଦ କରିବାରୁ ଗତ ସେପ୍ଟେମ୍ବର ୮ରେ ବିକ୍ରି କବଲା ଆଧାରରେ ଆବେଦନକାରୀଙ୍କୁ ଆରଓଆର୍ ପ୍ରଶାସନ ପ୍ରଦାନ କରିଥିଲା। ପ୍ରଦାନ କରାଯାଇଥିବା ଜମିକୁ ଦଖଲ କରି ଘର ନିର୍ମାଣ ପାଇଁ ଆବେଦନକାରୀ ଯାଇଥିବା ବେଳେ କେତେକ ବ୍ୟକ୍ତି ଆପତ୍ତି କରିଥିଲେ। ସଂପୃକ୍ତ ଲୋକମାନେ ଏହି ଜମି ଉପରେ ଅଦାଲତଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶ ଥିବା ଜଣାଇବା ସହିତ ଅଦାଲତଙ୍କ ନିର୍ଦ୍ଦେଶନାମାର କପି ଦେଖାଇଥିଲେ। ଏହି ଜମିକୁ ନେଇ ଅଦାଲତରେ ବିବାଦ ବିଚାରାଧୀନ ରହିଥିବା ପ୍ରଶାସନ ଜଣି ମଧ୍ୟ ଆବେଦନକାରୀଙ୍କୁ ଏଠାରେ ଥଇଥାନ ଯୋଜନାରେ ପ୍ଲଟ ଦେଇଥିଲା ବୋଲି ଆବେଦନକାରୀ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣି ନଥିଲେ।

ସମସ୍ୟା ସମାଧାନ ପାଇଁ କିଛି ପଦକ୍ଷେପ ନେଇ ନଥିଲେ ସରକାର। ଏହାପରେ ଆବେଦନକାରୀ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଦାଖଲ ଜବାବରେ ଏହି ଜମିକୁ ନେଇ ବିବାଦ ରହିଥବା ସ୍ବୀକାର କରାଯାଇଥିଲା। ଏହାପରେ ହାଇକୋର୍ଟ ବିବାଦ ନଥିବା ଜମି ପ୍ରଦାନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବି.ପଶାୟତ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର