ଦୁଷ୍କର୍ମ ପୀଡିତା ଗର୍ଭବତୀ ହେବା ପ୍ରସଂଗରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: କ୍ଷତି ପୂରଣ ପ୍ରଦାନ କରାଯିବ

‌ପ୍ରତି ଜିଲ୍ଲାରେ ଗଠନ ହେବ ମେଡିକାଲ ବୋର୍ଡ, ମାଗଣା ଚିକତ୍ସା ସୁବିଧା ଦିଆଯିବ

କଟକ: ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିବା ପୀଡିତାଙ୍କୁ ଆବଶ୍ୟକସ୍ଥଳେ ଉଚ୍ଚସ୍ତରୀୟ ଚିକିତ୍ସା ସରକାର ପ୍ରଦାନ କରିବେ। ଏହି ପ୍ରକ୍ରିୟାରେ ଯଦି ଶିଶୁ ଜନ୍ମ ନିଏ ତେବେ ପୀଡିତାଙ୍କ ସହିତ ଶିଶୁକୁ ଆବଶ୍ୟକ ଉଚ୍ଚସ୍ତରୀୟ ଚିକିତ୍ସା ସରକାରଙ୍କ ଖର୍ଚ୍ଚରେ ଯୋଗାଇ ଦିଆଯିବ। ଏଥି ମଧ୍ୟରେ ଆଟେଣ୍ଡାଣ୍ଟଙ୍କ ଯାତ୍ରା, ରହିବା, ଖାଦ୍ୟ ଓ ଅନ୍ୟାନ୍ୟ ବାବଦ ଖର୍ଚ୍ଚ ଅନ୍ତର୍ଭୁକ୍ତ। ଆଇନ ଶୃଙ୍ଖଳା କର୍ତ୍ତୃପକ୍ଷଙ୍କ ବିଫଳତା ପାଇଁ ପୀଡିତାଙ୍କ ସହିତ ଏପରି ଘଟଣା ଘଟୁଥିବା ଦୃଷ୍ଟିରୁ ରାଜ୍ୟ ସରକାରଙ୍କୁ ଏପରି ନିର୍ଦ୍ଦେଶ ପ୍ରଦାନ କରାଯାଇଛି ବୋଲି ହାଇକୋରର୍ଟଙ୍କ ପକ୍ଷରୁ ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି।

ଦୁଷ୍କର୍ମର ଶିକାର ପୀଡିତା ଗର୍ଭବତୀ ହେବା ପ୍ରସଂଗ ସଂପର୍କିତ ମାମଲାର ଶୁଣାଣି କରି ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରକାଶ କରିଥିବା ରାୟରେ ରାଜ୍ୟ ସରକାରଙ୍କ ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରାଯାଇଛି। ପ୍ରକାଶିତ ରା‌ୟରେ ଉଲ୍ଲେଖ କରାଯାଇଛି ଯେ ଯଦି ଜଣେ ମାନସିକ, ଶାରୀରିକ ଦୃଷ୍ଟିରୁ ଅନଗ୍ରସର ନାବାଳିକା, ଅବିବାହିତା, ବିବାହିତା ସାବାଳିକା ପୀଡିତା ଦୁଷ୍କର୍ମର ଶିକାର ହୋଇ ୮ ସପ୍ତାହ ଅବଧି ଭିତରେ ଗର୍ଭବତୀ ଥିବା ପୁଲିସ ନିକଟରେ ରିପୋର୍ଟ ଦାଖଲ ହୁଏ ତେବେ ପୁଲିସ ଓ ସିଡିଏମଓ ପୀଡିତାଙ୍କ ଅବିଭାବକ-ମା’ଙ୍କ ନିକଟରୁ ପୀଡିତା ଗର୍ଭଧାରଣ କରିବାକୁ ଆଗ୍ରହୀ ବା ଗର୍ଭପାତ ପାଇଁ ଇଚ୍ଛୁକ ସେ ନେଇ ଅନୁମତି ନେବେ।

ଯଦି ପୀଡିତା ସାବାଳିକା ଓ ଶାରୀରିକ ଦୃଷ୍ଟିରୁ ଭିନ୍ନକ୍ଷମ ଥିବେ ତେବେ ଏହି ପ୍ରସଂଗରେ ତାଙ୍କ ଅନୁମତି ନିଆଯିବ। ଯଦି ପୀଡିତା ସାବାଳିକା ଓ ମାନସୀକ ଦୃଷ୍ଟିରୁ ଅନଗ୍ରସର ତେବେ ତାଙ୍କ ମା’ଙ୍କ ନିକଟରୁ ଗର୍ଭଧାରଣ ଜାରି ରଖାଯିବ ନା ଗର୍ଭପାତ କରାଯିବ ସେ ନେଇ ଅନୁମତି ନିଆଯିବ। ଯଦି ଗର୍ଭଧାରଣ ପାଇଁ କୌଣସି ଅଗ୍ରହ ପ୍ରକାଶ ନ ପାଏ ତେବେ ତୁରନ୍ତ କମିଟିର ପ୍ରଥମ ରିପୋର୍ଟ ପରେ ସ୍ଥନୀୟ ସିଡିଏମଓ ମେଡିକାଲ ଟର୍ମିନେସନ୍ ଅଫ୍ ପ୍ରେଗନାନ୍ସି ଆକ୍ଟ (ଏମଟିପି), ୧୯୭୧ ଅନୁସାରେ ଗର୍ଭପାତ ପ୍ରସଂଗରେ ପଦକ୍ଷେପ ଗ୍ରହଣ କରିବେ।

ଯଦି ଗର୍ଭପାତ ପାଇଁ ଆଗ୍ରହ ପ୍ରକାଶ ନ ପାଏ ତେବେ ପୁଲିସ କର୍ତ୍ତୃପକ୍ଷ ଓ ସିଡିଏମଓ ଉଭୟ ମା ଓ ଗର୍ଭସ୍ଥ ଶିଶୁର ଯତ୍ନ ନେବେ। ପିଲା ଜନ୍ମପରେ ମଧ୍ୟ ପୀଡିତା ଓ ଶିଶୁର ଅତି କମରେ ଏକ ବର୍ଷ ପର୍ଯ୍ୟନ୍ତ ଏପରି ଯତ୍ନ ନିଆଯିବ। ସାବାଳିକା ଅବିବାହିତ ଓ ବିବାହିତ ପୀଡିତାଙ୍କ କ୍ଷେତ୍ରରେ ମଧ୍ୟ ଏପରି ପ୍ରକ୍ରିୟା ତାଙ୍କ ଅନୁମତି ନେଇ ଅନୁସରଣ କରାଯିବ।

ଯଦି ଗର୍ଭପାତ କରାଯାଏ ତେବେ ସିଡିଏମଓ ଏ ସଂପର୍କିତ ଡିଏନଏ ନମୂନା ସଂଗ୍ରହ କରି ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର ସୁନିଶ୍ଚିତ କରିବେ। ପୀଡିତାଙ୍କ ପରିଚୟ ସହିତ ଗର୍ଭ ସଂପର୍କରେ ସୂଚନା ଗୋପନ ରଖିବା ସୁନିଶ୍ଚିତ କରାଯିବ। ଗର୍ଭପାତ ସଂପର୍କିତ ତଥ୍ୟ ଓ ଯଦି ପିଲା ଜନ୍ମ ନିଏ ତେବେ ତାର ମଧ୍ୟ ପରିଚୟ ଗୋପନ ରଖାଯିବ। ଆବଶ୍ୟକ ସ୍ଥଳେ ପୀଡିତାଙ୍କୁ ମହିଳା ଥଇଥାନ କେନ୍ଦ୍ରରେ ପିଲାଜନ୍ମ ଓ ପରବର୍ତ୍ତୀ ସମୟରେ ସୁସ୍ଥ ହେବା ପର୍ଯ୍ୟନ୍ତ ରଖାଯିବ।

ଯଦି ପୀଡିତା ଓ ତାଙ୍କ ମା ନିଜ ଘରେ ରହିବାକୁ ଇଚ୍ଛା କରନ୍ତି ତେବେ ସେମାନେ ଏପରି କରି ପାରିବେ। କିନ୍ତୁ ପୀଡିତାଙ୍କୁ ସମସ୍ତ ମେଡିକାଲ ସହାୟତା ରାଜ୍ୟ ସରକାର ନିଜ ଖର୍ଚ୍ଚରେ ପ୍ରଦାନ କରିବେ। ଯଦି ପୀଡିତା ମାନସିକ ବା ଶରୀରିକ ଦୃଷ୍ଟିରୁ ଭିନ୍ନକ୍ଷମ ହୋଇଥିବେ ଓ ସେ ଶିଶୁର ଯତ୍ନ ନେବାକୁ ଅକ୍ଷମ ହୋଇଥିବେ, ତାଙ୍କ ପରିବାରର କୌଣସି ବୟସ୍କ ସଦସ୍ୟ ଯତ୍ନ ନେବାକୁ ନ ଆସନ୍ତି ତେବେ ଶିଶୁର ମଙ୍ଗଳ ପାଇଁ ଜୁଭେନାଇଲ ଜଷ୍ଟିସ କେୟାର ଅନୁସାରେ ଏକ ଏଜେନ୍ସିକୁ ଏହି କାମରେ ନିୟୋଜିତ କରାଯିବ। ଶିଶୁ ଯେପରି ନିଜ ମା ଓ ଘଟିଥିବା ଘଟଣା ବିଷୟରେ ଜାଣି ନ ପାରିବ ତାହା ସୁନିଶ୍ଚିତ କରିବା ଏପରି ସଂସ୍ଥାର ଦାୟିତ୍ବ। ଏଥି ସହିତ ଏଭଳି ମାମଲାରେ ତୁରନ୍ତ ଅନୁକମ୍ପାମୂଳକ ସହାୟତା ମଞ୍ଜୁର କରାଯିବ। ଏଥି ସହିତ ଅପରାଧିକ ମାମଲାର ଶୁଣାଣିରେ ଭିକ୍ଟିମ୍ କମପେନସେସନ୍ ଆକ୍ଟ ଅନୁସାରେ ମଧ୍ୟ ପୀଡିତଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି।

ଏଥି ସହିତ ପ୍ରତି ଜିଲ୍ଲାରେ ଏମଟିପି ଆଇନ ଅନୁସାରେ ତୁରନ୍ତ ମେଡିକାଲ ବୋର୍ଡ ଗଠନ ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏହା ଦ୍ବାରା ଏପରି ମାମଲାରେ ତୁରନ୍ତ ପରୀକ୍ଷା କରାଯିବା ସହିତ ଅନ୍ୟ ଫଳପ୍ରଦ ତ୍ବରିତ ପଦକ୍ଷେପ ଗ୍ରହଣ କରାଯାଇ ପାରିବ। ଏଭଳି ମାମଲାରେ ଡାକ୍ତର ବା ଡାକ୍ତରଙ୍କ ଟିମର ରିପୋର୍ଟ ତୁରନ୍ତ ନିଆଯିବ। ଯଦି କୌଣସି ସରକାରୀ କର୍ତ୍ତୃପକ୍ଷ ବିଳମ୍ବ କରନ୍ତି ତେବେ ଏ ନେଇ ତାଙ୍କୁ ଦାୟୀ କରାଯିବ। ଯେତେବେଳେ ଜଣେ ଗର୍ଭବତୀଙ୍କ ଗର୍ଭପାତ ପ୍ରସଂଗରେ ମେଡିକାଲ ବୋର୍ଡ ଦ୍ବାରା ପରୀକ୍ଷା କରାଯିବ ସେତେବେଳେ ‌ଜଣେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତରଙ୍କ ସହିତ ଶିଶୁରୋଗ ବିଶେଷଜ୍ଞ, ମାନସୀକ ରୋଗ ଡାକ୍ତର, ରେଡିଓଲୋଜି/ସୋନୋଗ୍ରାଫି ଡାକ୍ତର, ମେଡିସିନ ଡାକ୍ତରଙ୍କୁ ଅନ୍ତର୍ଭୁକ୍ତ କରାଯିବ।

ଏଥି ସହିତ ମେଣ୍ଟାଲ ହେଲ୍ଧ କେୟାର ଆକ୍ଟ ଅନୁସାରେ ଗର୍ଭସ୍ଥ ଶିଶୁର ପରୀକ୍ଷା କରାଯିବ।  ସବୁ ଜିଲ୍ଲାରେ ଏମଟିପି ଆଇନ ଅନୁସାରେ ଆବଶ୍ୟକ ସ୍ବୀକୃତିପ୍ରାପ୍ତ ସ୍ଥାନ ଯେପରି ରହିବ ତାହା ସବୁ ଜିଲ୍ଲାସ୍ତରୀୟ କମିଟି ସୁନିଶ୍ଚିତ କରିବେ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ନିର୍ଦ୍ଦେଶ ଆଧାରରେ ରାଜ୍ୟ ସରକାର  ଭବିଷ୍ୟତରେ ନିୟମାବଳୀ ଜାରି କରିବେ। ଏହି ସବୁ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ ପାଇଁ ମୁଖ୍ୟ ଶାସନ ସଚିବ ଏହି ରାୟ ସଂକ୍ରାନ୍ତରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ, ଗୃହ ବିଭାଗ ସଚିବ, ମହିଳା କମିସନ ଅଧ୍ୟକ୍ଷା, ଡିଏମଇଟି, ସମସ୍ତ ପ୍ରମୁଖ ମେଡିକାଲ କଲେଜ ଓ ହସ୍ପିଟାଲର ଅଧୀକ୍ଷକଙ୍କୁ ଅବଗତ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ହାଇକୋର୍ଟ ରେଜିଷ୍ଟ୍ରି ସମସ୍ତ ଜିଲ୍ଲା ଜଜଙ୍କୁ ଏହି ରାୟର କପି ପଠାଇବେ ଓ ଯୌନ ନିର୍ଯାତନା ସଂପର୍କିତ ଅପରାଧିକ ମାମଲା ଶୁଣାଣି କରୁଥିବା ଦୌରା ଅଦାଲତର ପ୍ରିଜାଇଡିଂ ଅଫିସର, ପୋକସୋ କୋର୍ଟ, ଜୁଭେନାଇଲ ଜଷ୍ଟିସ୍ ବୋର୍ଡ ଗୁଡିକୁ ଏ ପ୍ରସଂଗରେ ଅବଗତ କରାଯିବ। ଏଥି ସହିତ ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ରାୟର କପି ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣକୁ ପ୍ରଦାନ କରାଯିବ। ପ୍ରାଧିକରଣ ପକ୍ଷରୁ ସମସ୍ତ ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷମାନଙ୍କୁ ଏ ନେଇ ଅବଗତ କରାଯିବ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି।

ଏଥି ସହିତ ଏହି ମାମଲାରେ ପ୍ରକାଶିତ ରାୟରେ ପୀଡିତାଙ୍କ ଗର୍ଭପାତ ସଂପର୍କିତ ଆବେଦନକୁ ଖଣ୍ଡପୀଠ ଅଗ୍ରାହ୍ୟ କରିଛନ୍ତି। ତାଙ୍କ ସହିତ ହୋଇଥିବା ଦୁଷ୍କର୍ମ ଯୋଗୁଁ ପୀଡିତା ନିର୍ଯାତନା ଭୋଗ କରୁଥିବା ବେଳେ ଏଥି ପାଇଁ ସରକାର ଦାୟୀ ବୋଲି ଖଣ୍ଡପୀଠ ରାୟ ପ୍ରଦାନ କରିଛନ୍ତି। ଏଥି ପାଇଁ ପୀଡିତାଙ୍କୁ ତୁରନ୍ତ ୭ ଦିନ ଭିତରେ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ପାଇଁ ସରକାରଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏହି ଟଙ୍କା ଏକ ଫିକ୍ସଡ୍ ଡିପୋଜିଟ ଭାବେ ଏକ ଜାତୀୟକରଣ ବ୍ୟାଙ୍କରେ ରଖାଯିବ ଓ ଏଥରୁ ମିଳିବାକୁ ଥିବା ସୁଧ ବାବଦ ଅର୍ଥ ପୀଡିତାଙ୍କ ପାଇଁ ଖର୍ଚ୍ଚ ହେବ। ଏ ସଂପର୍କିତ ଆକାଉଣ୍ଟ ପରିଚାଳନା ପୀଡିତାଙ୍କ ମା କରିବେ। ପୀଡିତା ବଞ୍ଚିଥିବା ପର୍ଯ୍ୟନ୍ତ ଏହି ଅର୍ଥ ତାଙ୍କ ପାଇଁ ଖର୍ଚ୍ଚ ହେବ। ଏଥି ସହିତ ଯଦି ପୀଡିତା ଏକ ପୁତ୍ର ସନ୍ତାନକୁ ଜନ୍ମ ଦିଅନ୍ତି ତେବେ ୩ ଲକ୍ଷ ଟଙ୍କା ଓ ଯଦି ଏକ କନ୍ୟାସନ୍ତାନକୁ ଜନ୍ମ ଦିଅନ୍ତି ତେବେ ୫ ଲକ୍ଷ ଟଙ୍କା ସରକାର ପ୍ରଦାନ କରିବେ। ପିଲା ଜନ୍ମ ନେବାର ୧୦ ଦିନ ଭିତରେ ଏହି ଅର୍ଥ ପ୍ରଦାନ କରାଯିବ। ଏହି ଟଙ୍କା ମଧ୍ୟ ଏକ ଫିକ୍ସଡ୍ ଡିପୋଜିଟ ଭାବେ ଏକ ଜାତୀୟକରଣ ବ୍ୟାଙ୍କରେ ରଖାଯିବ। ଶିଶୁ ନାଁରେ ଏକ ସେଭିଙ୍ଗସ ବ୍ୟାଙ୍କ ଆକାଉଣ୍ଟ ଖୋଲାଯିବ ଓ ମାମୁଘର ଆଇ ଏହି ଆକାଉଣ୍ଟ ପରିଚାଳନା କରିବେ। ସୁଧ ବାବଦରେ ମିଳିବାକୁ ଥିବା ଅର୍ଥ ଶିଶୁ ପାଇଁ ଖର୍ଚ୍ଚ କରାଯିବ। ଶିଶୁଟି ସାବାଳକ ହେବା ପରେ ଏହି ଅର୍ଥର ମାଲି‌କ ହେବ। ଏଥି ସହିତ ପୀଡିତାଙ୍କୁ ମଧ୍ୟ ଭିକ୍ଟିମ କମପେନସେସନ୍ ଆକ୍ଟ ଅନୁସାରେ କ୍ଷତିପୂରଣ ପ୍ରଦାନ କରାଯିବ। ପୀଡିତାଙ୍କ ଶରୀରିକ ଓ ମାନସୀକ ଅବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କର ଉପଯୁକ୍ତ ଯତ୍ନ ଏବେ ଆବଶ୍ୟକ ଥିବା ବେଳେ ଏସସିବି ମେଡିକାଲ ଡାକ୍ତରଙ୍କ ତତ୍ବାବଧାନରେ ତାଙ୍କୁ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇ ଦିଆଯିବ। ଜିଲ୍ଲା ସ୍ତରର ଡାକ୍ତର ଏଥିରେ ସହଯୋଗ କରିବେ। ପୂର୍ବରୁ ସେପ୍ଟେମ୍ବର ୧୨ରେ ଦାଖଲ ରିପୋର୍ଟକୁ ଦୃଷ୍ଟିରେ  ରଖି କେବଳ ଏସସିବି ମେଡିକାଲରେ ପୀଡିତାଙ୍କ ଡେଲିଭରି କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଚିକିତ୍ସା ସମୟରେ ଯାତାୟତ, ମେଡିକାଲ ଓ ମେଡିସିନ୍ ବାବଦ ଖର୍ଚ୍ଚ ସହିତ ପୀଡିତା ଓ ତାଙ୍କ ମାଙ୍କ ରହିବା ବାବଦ ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବ। ଏଥି ସହିତ ଜନ୍ମ ନେବାକୁ ଥିବା ପିଲାର ଶିକ୍ଷା ଗ୍ରହଣ ରାଜ୍ୟ ସରକାରଙ୍କ ଦାୟିତ୍ବ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି। ପୀଡିତାଙ୍କ ବାପା ଜଣେ ଶ୍ରମିକ ହୋଇଥିବା ବେଳେ ଜିଲ୍ଲାପାଳ ଜଣେ ଅଧିକାରୀଙ୍କ ପଠାଇ କେତେ ଦୂର ସେ ପୀଡିତା ଓ ତାଙ୍କ ପିଲାର ଯତ୍ନ ନେଇ ପାରିବେ ତାହା ଅନୁଧ୍ୟାନ କରିବେ। ଅଧିକାରୀଙ୍କ ରିପୋର୍ଟ ଆଧାରରେ ପୀଡିତାଙ୍କ ପରିବାରକୁ ‌ଉପଯୁକ୍ତ ଯୋଜନାରେ ସହାୟତା ପ୍ରଦାନ ପାଇଁ ଜିଲ୍ଲାପାଳ ଚାରି ସପ୍ତାହ ଭିତରେ ପଦକ୍ଷେପ ଗ୍ରହଣ କରିବେ ‌େବାଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ପ୍ରଦାନ କରାଯାଇଥିବା ଅର୍ଥର ଯେପରି କୌଣସି ପରିଳାନାଗତ ତ୍ରୁଟି ନ ହୁଏ ତାହା ସୁନିଶ୍ଚିତ ପାଇଁ ପଦକ୍ଷେପ ଗ୍ରହଣ ଲାଗି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଶରୀରିକ ଓ ମାନସିକ ଦୃଷ୍ଟିରୁ ଭିନ୍ନକ୍ଷମ ପୀଡିତା ଦୁଷ୍କର୍ମର ଶିକାର ହେବା ପରେ ଗର୍ଭବତୀ ହୋଇଥିଲେ। ଏ ନେଇ କୁଜଙ୍ଗ ଥାନାରେ ଅଗଷ୍ଟ ୧୩ରେ ଅଭିଯୁକ୍ତ ବିରୋଧରେ ଆଇପିସିର ଦଫା ୩୭୬(୨)(୧), ୨୯୪, ୫୦୬ରେ ମାମଲା ରୁଜୁ ହୋଇଥିଲା। ପୀଡିତା ୨୪ ସପ୍ତାହର ଗର୍ଭବତୀ ଥିବା ବେଳେ ଗର୍ଭପାତ ପାଇଁ ଅନୁମତି ଲୋଡି ତାଙ୍କ ମା’ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅଗଷ୍ଟ ୮ରେ ହାଇକୋର୍ଟ ମାମଲାର ଶୁଣାଣି କରି ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା କିପରି ରହିଛି ଓ ଗର୍ଭସ୍ଥ ଶିଶୁର କଣ ଅବସ୍ଥା ରହିଛି ସେ ନେଇ ରିପୋର୍ଟ ଦାଖଲ ପାଇଁ ଜଗତସିଂହପୁର ସିଡିଏମଓଙ୍କୁ ନି‌େର୍ଦ୍ଦଶ ଦେଇଥିଲେ। ଜଗତସିଂହପୁର ସିଡିଏମଓଙ୍କ ପକ୍ଷରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ଏସସିବି ମେଡିକାଲ କଲେଜର ସ୍ତ୍ରୀ ରୋଗ ବିଭାଗର ଜଣେ ଆସୋସିଏଟ ପ୍ରଫେସର ଓ ଜଣେ ଆସିଷ୍ଟାଣ୍ଟ ପ୍ରଫେସର ଗତ ୯ ତାରିଖ ଦିନ ପୀଡିତାଙ୍କ ଡାକ୍ତରୀ ପରୀକ୍ଷା କରିଥିଲେ। ପୀଡିତା ୨୪ ସପ୍ତାହର ଗର୍ଭବତୀ ରହିଛନ୍ତି ଓ ଏହି ପରିସ୍ଥିତିରେ ଗର୍ଭପାତ ଦ୍ବାରା ତାଙ୍କ ଜୀବନ ପ୍ରତି ବିପଦ ରହିଛି। ରିପୋର୍ଟରେ ଗର୍ଭପାତ ନ କରିବା ସପକ୍ଷରେ ଡାକ୍ତର ମତ ଦେଇଥିଲେ। ଏହାପରେ ଖଣ୍ଡପୀଠ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକାଶ ପାଇଛି। ଆବେଦନକାରୀଙ୍କ ଆଇନଜୀବୀ ସୁବାସ ଚନ୍ଦ୍ର ପୁଷ୍ପାଳକ, ଏଏସସି ବିଦେଶ ରଂଜନ ବେହେରା ଓ ଏଜିଏ ଜ୍ୟୋତି ପ୍ରକାଶ ପଟ୍ଟନାୟକଙ୍କ ସହଯୋଗ ପ୍ରଶଂସନୀୟ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର