ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଜାରି

ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ଉଦ୍ୟମର ପ୍ରତିବାଦ

ହାଇକୋର୍ଟ ସମେତ ସମସ୍ତ ନିମ୍ନ ଅଦାଲତ, ଟ୍ରିବ୍ୟୁନାଲରେ ଅଚଳାବସ୍ଥା

କଟକ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ କିଛି ରାଜନୈତିକ ଦଳ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ଉଦ୍ୟମ କରିବା ଘଟଣାର ପ୍ରତିବାଦରେ ଗୁରୁବାର ମଧ୍ୟାହ୍ନରୁ ଆରମ୍ଭ ହୋଇଥିବା ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ମଧ୍ୟ ଜାରି ରହିଛି। ହାଇକୋର୍ଟ ବାର୍‌ ଆସୋସିଏସନ୍‌ ପକ୍ଷରୁ ଗୁରୁବାର ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁସାରେ ଆଜି ଆଇନଜୀବୀମାନେ କୋର୍ଟ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି। ଆଜି କଟକରେ ଆଇନଜୀବୀମାନେ କୋର୍ଟ କାର୍ଯ୍ୟରେ ଯୋଗ ନ ଦେବାରୁ ହାଇକୋର୍ଟ ସହିତ ଜିଲ୍ଲା ଓ ଦୌରା ଜଜ ଅଦାଲତ, ଅନ୍ୟ ସମସ୍ତ ନିମ୍ନ ଅଦାଲତ, କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ, ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ, ଡିଆରଟି, ଖାଉଟି ଅଦାଲତରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଅଦାଲତରେ ବିଚାରପତି ଉପସ୍ଥିତ ଥିବା ବେଳେ ଆଇନଜୀବୀଙ୍କ ଅନୁପସ୍ଥିତି ଯୋଗୁ କୋର୍ଟ କାର୍ଯ୍ୟ ହୋଇ ପାରି ନଥିଲା।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପ୍ରଧାନ ବିଚାରପତିଙ୍କ ବିରୋଧରେ କିଛି ରାଜନୈତିକ ଦଳ ମହାଭିଯୋଗ ଆଣିବା ପାଇଁ ଉଦ୍ୟମ କରିବା ଘଟଣାକୁ ହାଇକୋର୍ଟ ବାର୍‌ ଆସୋସିଏସନ୍‌ ପକ୍ଷରୁ ନିନ୍ଦା କରାଯାଇଥିଲା। ଗୁରୁବାର ମଧ୍ୟାହ୍ନରେ ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସାଧାରଣ ପରିଷଦର ଜରୁରି ବୈଠକରେ ଏ ନେଇ ଆଲୋଚନା କରାଯାଇଥିଲା। ଏଭଳି ଘଟଣାର ପ୍ରତିବାଦରେ ଗୁରୁବାର ମଧ୍ୟାହ୍ନରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଶୁକ୍ରବ୍ରାର ଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ହାଇକୋର୍ଟ ବାର୍‌ ଆସୋସିଏସନ୍‌ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି ନିଷ୍ପତ୍ତି ସଂପର୍କରେ ଅନ୍ୟ ସମସ୍ତ ଓକିଲ ସଂଘକୁ ଅବଗତ କରାଯାଇଥିଲା। କଟକର ସମସ୍ତ ବାର୍‌ ଆସୋସିଏସନ୍‌ ଆଜି ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର