ହାଇକୋର୍ଟ ଖବର

ଦୁର୍ଘଟଣାର ୬ ମାସ ପରେ ହୋଇପାରିବନି କ୍ଷତିପୂରଣ ମାମଲା
କଟକ : ସଂଶୋଧିତ ମୋଟର ଯାନ ଆଇନ ଅନୁସାରେ ଦୁର୍ଘଟଣାର ୬ ମାସ ପରେ ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ ସଂପର୍କିତ କୌଣସି ଆବେଦନ ଗ୍ରହଣୀୟ ନୁହେଁ। ୨୦୧୯ର ସଂଶୋଧିତ ଆଇନ ଆସିବା ପୂର୍ବରୁ ବଳବତ୍ତର ଥିବା ମୋଟର ଯାନ ଆଇନରେ ଏଥିପାଇଁ କୌଣସି ସମୟସୀମା ନଥିଲା। ମୋଟର ଯାନ ଆଇନ(ସଂଶୋଧନ), ୨୦୧୯ର ଧାରା ୫୩ ଜରିଆରେ ମୂଳ ଆଇନର ଧାରା ୧୬୬(୩) ଯୋଡ଼ା ଯାଇଥିଲା। ସଂ‌ଶୋଧିତ ଆଇନରେ କ୍ଷତିପୂରଣ ଦରଖାସ୍ତ ଦାଖଲର ସମୟସୀମା ୬ ମାସ ଧାର୍ଯ୍ୟ ପ୍ରସଂଗକୁ ଚାଲେଞ୍ଜ କରି ଦାୟର ଜନସ୍ବାର୍ଥ ମାମଲାର ହାଇକୋର୍ଟ ଶୁଣାଣି କରି କେନ୍ଦ୍ର ଆଇନ ମନ୍ତ୍ରାଳୟ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ନିକଟରୁ ଜବାବ ତଲବ କରିଛନ୍ତି। ୮ ସପ୍ତାହ ଭିତରେ ଏହି ମାମଲାରେ ଜବାବ ଦାଖଲ ପାଇଁ ଏହି ଦୁଇ ମନ୍ତ୍ରଣାଳୟକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୋଟର ଯାନ ଆଇନର ଧାରା ୧୬୬(୩)କୁ ବିରୋଧ କରି ଆଇନଜୀବୀ ଅନଙ୍ଗ କୁମାର ଓତା ଦାଖଲ କରିଥିବା ଜନସ୍ବାର୍ଥ ଆବେଦନର ଶୁଣାଣି କରି ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ କର, ନଚେତ ହାଜର ହେବେ ଅର୍ଥ ସଚିବ
କଟକ : ସଚିବାଳୟରେ ରାଜ୍ୟ ଅର୍ଥ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ତିନି ଜଣ ଡ୍ରାଇଭରଙ୍କ ଚାକିରି ନିୟମିତ କରିବା ପ୍ରସଂଗରେ ୨୦୨୦, ସେପ୍ଟେମ୍ବର ୧୦ରେ ହାଇକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶ ଜାନୁଆରି ୧୮ ତାରିଖ ସୁଦ୍ଧା କାର୍ଯ୍ୟକାରୀ କରାଯିବ। ଏହି ଆଦେଶ କାର୍ଯ୍ୟକାରୀ କରି ଅର୍ଥ ସଚିବ ସତ୍ୟପାଠ ମାଧ୍ୟମରେ ହାଇକୋର୍ଟଙ୍କୁ ଅବଗତ କରିବେ। ଯଦି ଏଥିରେ ଅବହେଳା ହୁଏ ତେବେ ଅର୍ଥ ସଚିବ ଜାନୁଆରି ୧୮ରେ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଅଦାଲତ ଅବମାନନା ମାମଲାରେ କାରଣ ଦର୍ଶାଇବେ। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ ଅଭିଯୋଗ ନେଇ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର