ରେଭେନ୍ସା ପ୍ରାଧ୍ୟାପକ ନିଯୁକ୍ତି ମାମଲା: ହାଇକୋର୍ଟଙ୍କ ନୋଟିସ୍‌

କଟକ: ୟୁଜିସି ନିୟମାବଳୀ ଉଲ୍ଲଘଂନ କରି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରାଧ୍ୟାପକ (ରିଡର) ନିଯୁକ୍ତି ଦିଆଯାଇଥିବା ଅଭିଯୋଗ କରି ରୁଜୁ ମାମଲାରେ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏସ୍‌.ଏନ୍‌.ପ୍ରସାଦଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁବାସ ଚନ୍ଦ୍ର ସାମଲଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ଦର୍ଶାଇଛନ୍ତି ଯେ ୨୦୧୨, ମେ’ ୧ରେ ରେଭେନ୍ସାର ବିଭିନ୍ନ ବିଭାଗରେ ପ୍ରଫେସର, ପ୍ରାଧ୍ୟାପକ ଓ ଅଧ୍ୟାପକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଚୟନ ପ୍ରକ୍ରିୟା ଶେଷ ହେବା ପରେ ବିଭିନ୍ନ ବିଭାଗ ସହିତ ରସାୟନ ବିଜ୍ଞାନ ବିଭାଗରେ ୨୦୧୪, ମେ’ ୧୩ରେ ପ୍ରାଧ୍ୟାପକ ନିଯୁକ୍ତି ପ୍ରଦାନ କରାଯାଇଥିଲା। ରେଭେନ୍ସାରେ ନିୟମିତ ତଥା ଚୁକ୍ତିଭିତ୍ତିକ ପ୍ରଫେସର, ପ୍ରାଧ୍ୟାପକ ଓ ଅଧ୍ୟାପକ ନିଯୁକ୍ତି କ୍ଷେତ୍ରରେ ୟୁଜିସି ନିୟମାବଳୀ ପାଳନ କରାଯିବା କଥା। କିନ୍ତୁ ରସାୟନ ବିଜ୍ଞାନ ବିଭାଗରେ ପ୍ରାଧ୍ୟାପକ ନିଯୁକ୍ତି ସମୟରେ ୟୁଜିସି ନିୟମାବଳୀ ପାଳନ କରାଯାଇ ନଥିଲା ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ୟୁଜିସି ନିୟମାବଳୀ ଅନୁସାରେ ପ୍ରାଧ୍ୟାପକ ପଦବି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କର ଅଧ୍ୟାପନା କିମ୍ବା ରିସର୍ଚ୍ଚ କ୍ଷେତ୍ରରେ ୮ ବର୍ଷର ଅନୁଭବ ରହିବା ଆବଶ୍ୟକ। କିନ୍ତୁ ୨୦୧୨ରେ ପ୍ରକାଶିତ ନିଯୁକ୍ତି ବିଜ୍ଞପ୍ତିରେ ପ୍ରାଧ୍ୟାପକ ପଦ ପାଇଁ ପ୍ରାର୍ଥୀଙ୍କର ୫ ବର୍ଷର ଅନୁଭବ ଆବଶ୍ୟକ ବୋଲି ଉଲ୍ଳେଖ କରାଯାଇଥିଲା। ଏଥି ସହିତ ରସାୟନ ବିଜ୍ଞାନ ବିଭାଗରେ ପ୍ରାଧ୍ୟାପକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିବା ବ୍ୟକ୍ତିଙ୍କର ୫ ବର୍ଷର ମଧ୍ୟ ଅନୁଭବ ନଥିବା ବେଳେ ତାଙ୍କୁ ଚୟନ କମିଟି ବାଛି ଥିଲା ବୋଲି ଆବେଦନରେ ଦର୍ଶାଯାଇଛି। ଏପରି ପରିସ୍ଥିତିରେ ୨୦୧୪, ମେ’ ୧୩ରେ ରସାୟନ ବିଜ୍ଞାନ ବିଭାଗରେ ପ୍ରଦାନ କରାଯାଇଥିବା ପ୍ରାଧ୍ୟାପକ ନିଯୁକ୍ତିକୁ ରଦ୍ଦ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ଉଚ୍ଚଶିକ୍ଷା ବିଭାଗ ସଚିବ, ରେଭେନ୍ସା ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର, କୁଳପତି, ଡକ୍ଟର କୁମାର ସିଦ୍ଧାର୍ଥ କେଶବ ଭରଦ୍ୱାଜ ଓ ୟୁଜିସିକୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଶାଶ୍ୱତ ଦାସ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର