ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୩ ମୃତ୍ୟୁ ଘଟଣା: କ୍ଷତିପୂରଣ ପାଇଁ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ନିର୍ଦେଶ

ରାୟଗଡ଼ା: ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୩ ରାଜମିସ୍ତ୍ରୀଙ୍କ ମୃତ୍ୟୁ ଘଟଣାରେ ହସ୍ତକ୍ଷେପ କରିଛନ୍ତି ହାଇକୋର୍ଟ। ମୃତକଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ରାୟଗଡ଼ା ଜିଲ୍ଲାପାଳଙ୍କୁ କୋର୍ଟ ନିର୍ଦେଶ ଦେଇଛନ୍ତି। ଘଟଣାର ୧୨ ଦିନ ପରେ ମଧ୍ୟ ମୃତକଙ୍କ ପରିବାରକୁ ସରକାର କ୍ଷତିପୂରଣ ପ୍ରଦାନ କରିନଥିବାରୁ ରାୟଗଡ଼ାର ଜିଲ୍ଲାର ଟିକିରି ସମେତ ରାଜ୍ୟର ଅନ୍ୟ କିଛି ଅଞ୍ଚଳରେ ଘଟିଥିବା ଏଭଳି ଘଟଣା ସଂପର୍କିତ ମାମଲାର ଶୁଣାଣି କରି କୋର୍ଟ ଏହି ପଦକ୍ଷେପ ନେଇଛନ୍ତି।

କାଶୀପୁର ବ୍ଲକ୍ ଶଙ୍କରଡ଼ା ପଞ୍ଚାୟତ ପଞ୍ଚାଳି ଗ୍ରାମର ଜଗବନ୍ଧୁ ଗରଡ଼ାଙ୍କ ନୂତନ ଘରର ପାଇଖାନା ଟାଙ୍କି କାମରେ ୩ ରାଜ ମିସ୍ତ୍ରୀ ଓ ଶ୍ରମିକ ନିୟୋଜିତ ହୋଇଥିଲେ। ଟାଙ୍କି ନିର୍ମାଣ ଶେଷ ପରେ ଅକ୍ଟୋବର ୧୮ ତାରିଖରେ ୧୦ ଫୁଟ ଗଭୀର ଟାଙ୍କି ଭିତରକୁ ଫଲସ୍ ଛଡ଼ାଇବାକୁ ରାଜ ମିସ୍ତ୍ରୀ ରୁନା ମାଝି ପ୍ରବେଶ କରିଥିଲେ। କିଛି ସମୟ ଧରି ରୁନା ଟାଙ୍କିରୁ ବାହାରକୁ ନ ଆସିବା ପରେ ସନ୍ଦେହ କରି ଗୋବିନ୍ଦ କୁମ୍ଭାର ଓ ସୀମା ମାଝି ଭିତରକୁ ଯାଇଥିଲେ। ହେଲେ ଗୋବିନ୍ଦ ଓ ସୀମା ମଧ୍ୟ ଭିତରେ ଶ୍ବାସ ରୁଦ୍ଧର ଶିକାର ହୋଇ ବାହାରକୁ ଆସିପାରିନଥିଲେ। ସ୍ଥିତି ଅନୁଧ୍ୟାନ ପାଇ ରାଜା ରାଓ ଟାକିରି ଟାଙ୍କି ଭିତରକୁ ଯାଇଥିବା ବେଳେ ସୌଭାଗ୍ୟବଶତଃ ଅସୁସ୍ଥତା ଅନୁଭବ କରି ବାହାରକୁ ଆସିବା ପରେ ଘଟଣା ସଂପର୍କରେ ଜଣା ପଡିଥିଲା। ଖବର ପାଇ ଟିକିରି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି କାଶୀପୁର ଦମକଳ ବାହିନୀକୁ ଖବର ଦେଇଥିଲେ। କିନ୍ତୁ ଟାଙ୍କି ଭିତରେ ଅମ୍ଳଜାନ ଅଭାବ ଥିବା ଯୋଗୁ ଏପରି ଅଘଟଣ ଘଟିଥିବାରୁ ରାୟଗଡ଼ାରୁ ସ୍ବତନ୍ତ୍ର ଟିମ୍ ଯାଇ ପାଇଖାନା ଟାଙ୍କି ଭିତରୁ ରୁନା ମାଝି, ଗୋବିନ୍ଦ କୁମ୍ଭାର, ସୀମା ମାଝିଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ପ୍ରଶାସନ ପକ୍ଷରୁ ୩ ମୃତକଙ୍କୁ ପରିବାରକୁ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଏବଂ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ଲେଖାଁଏ ପ୍ରଦାନ କରାଯାଇଛି। ଅନ୍ୟ କୌଣସି ସହାୟତା ରାଶି ସରକାର ଘୋଷଣା କରିନଥିବାରୁ ଆଜି ହାଇକୋର୍ଟ ସମସ୍ତ ମୃତକଙ୍କ ପରିବାରକୁ ଉଚିତ୍ କ୍ଷତିପୂରଣ ପ୍ରଦାନ କରିବାକୁ ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର