ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ

କଟକ : ଶିକ୍ଷୟିତ୍ରୀଙ୍କ ସଂଶୋଧିତ ଦରମା ନିର୍ଦ୍ଧାରଣ, ବକେୟା ପ୍ରାପ୍ୟ ପ୍ରଦାନ ଓ ସର୍ଭିସ୍ ବୁକ୍ ପଠାଇବାରେ ଅବହେଳା ଅଭିଯୋଗ ସଂପର୍କିତ ମାମଲାର ହାଇକୋର୍ଟ ଶୁଣାଣି କରି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଶୁଣାଣି ସମୟରେ ପୂର୍ବ ନିର୍ଦ୍ଦେଶ ଅନୁସାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆବେଦନକାରୀଙ୍କ ସଂପର୍କିତ ତଥ୍ୟ ଉପସ୍ଥାପନ କରାଯାଇ ନଥିଲା। ଏଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଅଧିକ ସମୟ ଲୋଡ଼ା ଯାଇଥିଲା। ହାଇକୋର୍ଟ ଏଥିପାଇଁ ଗଣଶିକ୍ଷା ବିଭାଗକୁ ଶେଷ ସୁଯୋଗ ପ୍ରଦାନ କରିଛନ୍ତି। ଏଥିସହିତ ଯଦି ପରବର୍ତ୍ତୀ ଶୁଣାଣି ପୂର୍ବରୁ ପୂର୍ବ ଆଦେଶ ଅନୁସାରେ ତଥ୍ୟ ଦାଖଲ କରା ନ ଯାଏ ତେବେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହେବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ବୀଣାପାଣି ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ବରେ ଥିବା ସଂଧ୍ୟାରାଣୀ ଲେଙ୍କାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ଶେଷ ସପ୍ତାହକୁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୯୦, ଜୁଲାଇ ମାସରେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଅନ୍ତର୍ଗତ ଆଖୁଆ ଅଡ଼ଙ୍ଗ ସ୍କୁଲରେ ଆବେଦନକାରୀ ଆସିଷ୍ଟାଣ୍ଟ ସେକ୍‌ସନ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ପାଇଥିଲେ। ଏହାପରେ ୧୯୯୪, ଜୁନ ୭ରେ ସରକାର ତାଙ୍କ ପଦବି ଉପରେ ମୋହର ମାରିଥିଲେ। ଶିକ୍ଷୟିତ୍ରୀଙ୍କ ଚାକିରି ସରକାରଙ୍କ ଅଧିନକୁ ଆସିବା ପରେ ତାଙ୍କୁ ବଦଳି କରାଯାଇଥିଲା। ୧୯୯୭ରେ ତାଙ୍କୁ ଆଖୁଆ ଅଡ଼ଙ୍ଗ ସ୍କୁଲରୁ ଗୟାସପୁର ଅଧିନସ୍ଥ ବୀଣାପାଣି ହାଇସ୍କୁଲକୁ ବଦଳି କରାଯାଇଥିଲା। ପରବର୍ତ୍ତୀ ସମୟରେ ଶିକ୍ଷୟିତ୍ରୀଙ୍କ ସଂଶୋଧିତ ଦରମା ନିର୍ଦ୍ଧାରଣ କରାଯିବାରେ ଟାଳଟୁଳ ନୀତି ଅବଲମ୍ବନ କରାଯାଇଥିଲା। ଏଥିସହିତ ତାଙ୍କ ବକେୟା ପ୍ରାପ୍ୟ ପ୍ରଦାନ କରାଯାଇ ନଥିଲା। ତାଙ୍କ ସର୍ଭିସ୍ ବୁକ୍ ମଧ୍ୟ ଦାଖଲ କରାଯାଇ ନଥିଲା। ଏ ନେଇ ସେ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ (ସ୍ୟାଟ୍)ଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୧୯, ଏପ୍ରିଲ ୧୧ରେ ସ୍ୟାଟ୍ ମାମଲାର ଶୁଣାଣି କରି ୬ ମାସ ଭିତରେ ଶିକ୍ଷୟିତ୍ରୀଙ୍କ ସର୍ଭିସ୍ ବୁକ୍ ପ୍ରସ୍ତୁତ କରାଯିବା ସହିତ ଦରମା ନିର୍ଦ୍ଧାରଣ ଓ ବକେୟା ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇ ନଥିଲା। ଏପରି ପରିସ୍ଥିତିରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ମାମଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଓ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପକ୍ଷ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଡ. ଜିତେନ୍ଦ୍ର କୁମାର ଲେଙ୍କା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର