କଟକ : ବାଲେଶ୍ବର ଲୋକସଭା ନିର୍ବାଚନ ସଂପର୍କିତ ମାମଲାରେ ହାଇକୋର୍ଟ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ନୋଟିସ୍ ଜାରି କରିଛନ୍ତି। ନାମାଙ୍କନ ସମୟେର ଦାଖଲ ସତ୍ୟପାଠରେ ତଥ୍ୟ ଲୁଚାଇଥିବାରୁ ବାଲେଶ୍ବର ଆସନରୁ ଶ୍ରୀ ଷଡଙ୍ଗୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ ବୋଲି ଦର୍ଶାଇ ବାଲେଶ୍ବର ଅଞ୍ଚଳର ଜଣେ ଭୋଟର ମହମ୍ମଦ ସହିରୁଲ ହକ୍ଙ୍କ ପକ୍ଷରୁ ଦାୟର ମାମଲାକୁ ଶୁଣାଣି ପାଇଁ ହାଇକୋର୍ଟ ଗ୍ରହଣ କରି ଶ୍ରୀ ଷଡଙ୍ଗୀଙ୍କ ସହିତ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୩କୁ ଧାର୍ଯ୍ୟ କରାଯାଇଛି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ ଦାଖଲ ପାଇଁ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ନିର୍ବାଚନୀ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ବାଲେଶ୍ବର ଲୋକସଭା ଆସନରୁ ଶ୍ରୀ ଷଡଙ୍ଗୀଙ୍କ ନିର୍ବାଚନକୁ ଚାଲେଞ୍ଜ କରି ଦାୟର ଏହି ନର୍ବାଚନୀ ମାମଲାରେ ଆବେଦନକାରୀ ଦର୍ଶାଇଛନ୍ତି ଯେ ବିଜେପି ପ୍ରାର୍ଥୀ ଶ୍ରୀ ଷଡ଼ଙ୍ଗୀ ନାମାଙ୍କନ ଦାଖଲ ବେଳେ ଦେଇଥିବା ସତ୍ୟପାଠ ସଂପୂର୍ଣ୍ଣ ନୁହେଁ। ଏଥିରେ ସେ ସବୁ ତଥ୍ୟ ଦେଇ ନାହାନ୍ତି। ବହୁ ତଥ୍ୟ ଲୁଚାଇଛନ୍ତି। ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲା, ସଂପତ୍ତି ଓ ଅନ୍ୟ କେତେକ ପ୍ରସଂଗରେ ସେ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରି ନାହାନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରାର୍ଥୀ ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିଲେ ନିର୍ବାଚନ ଫଳାଫଳ ରଦ୍ଦ ହେବ। ଏପରି ପରିସ୍ଥିତିରେ ସାଂସଦ ଭାବେ ଶ୍ରୀ ଷଡଙ୍ଗୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ ବୋଲି ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ଏଥିସହିତ ନିର୍ବାଚନରେ ଦ୍ବିତୀୟ ସ୍ଥାନରେ ରହିଥିବା ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଠାରେ ସୂଚନାଯୋଗ୍ୟ ବାଲେଶ୍ବର ଲୋକସଭା ଆସନ ପାଇଁ ଅନୁଷ୍ଠିତ ନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ୪,୮୩, ୮୫୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର କୁମାର ଜେନା ୪,୭୦, ୯୦୨ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାଶ ମାମଲା ପରିଚାଳନା କରୁଛନ୍ତି।