ଆଡଭୋକେଟ୍‌ସ କ୍ଲର୍କ ୱେଲଫେୟାର ଫଣ୍ଡ ମାମଲାରେ ସରକାରଙ୍କୁ ନୋଟିସ୍

କଟକ : ଆଡଭୋକେଟ୍‌ସ୍ କ୍ଲର୍କଙ୍କ ନିମନ୍ତେ ଓଡିଶା ଆଡଭୋକେଟ୍‌ସ କ୍ଲର୍କ ୱେଲଫେୟାର ଆକ୍ଟ ଆଧାରରେ ସ୍ବତନ୍ତ୍ର ପାଣ୍ଠି ଗଠନ ସମ୍ପର୍କିତ ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଓ ଜଷ୍ଟିସ କେ.ଆର୍ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ମେ’୬ ତାରିଖ ସୁଦ୍ଧା ଜବାବ ରଖିବାକୁ ରାଜ୍ୟ ସରକାର ଓ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ପ୍ରଫୁଲ କୁମାର ନାୟକ ଓ ଅନ୍ୟ ତିନି ଜଣଙ୍କ ପକ୍ଷରୁ ଆଇନନଜିବୀ ପ୍ରଭୁ ପ୍ରସନ୍ନ ବେହେରା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଆଡଭୋକେଟ୍‌ସ୍ କ୍ଲର୍କଙ୍କ ନିମନ୍ତେ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ ପାଇଁ ଏହି ମାମଲା ଦାୟର ହୋଇଛି। ସ୍ବତନ୍ତ୍ର ପାଣ୍ଠି ଗଠନ କରାଯାଇ ସେମାନଙ୍କୁ ସ୍ଥାୟୀ ଲାଇସେନସ୍ ପ୍ରଦାନ କରାଯାଉ। ମୃତ୍ୟୁକାଳୀନ ସହାୟତା ରାଶି ୫୦ ହଜାର ଟଙ୍କା ବଦଳରେ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ପଦକ୍ଷେପ ନିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ସେହିପରି ମୃତ୍ୟୁ ପରେ ଆଡଭୋକେଟ୍‌ସ୍ କ୍ଲର୍କଙ୍କ ପରିବାର ସଦସ୍ୟଙ୍କୁ ପେନସନ ଓ ଅନ୍ୟାନ୍ୟ ଆର୍ଥିକ ସହାୟତା ପ୍ରଦାନ ସହିତ ଆଡଭୋକେଟ୍‌ସ୍ କ୍ଲର୍କ ୱେଲଫେୟାର ଫଣ୍ଡ କମିଟିକୁ ଅଧିକ କ୍ରିୟାଶୀଳ କରାଯାଉ। ଆଡଭୋକେଟ୍‌ସ୍ କ୍ଲର୍କ ୱେଲଫେୟାର ଷ୍ଟାମ୍ପକୁ ୧୦ ଟଙ୍କାକୁ ବୃଦ୍ଧି ଓ ପାଣ୍ଠିକୁ ଏକ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ପୂର୍ବରୁ ଆବେଦନକାରୀ ଉପରୋକ୍ତ ପ୍ରାର୍ଥନା ସମ୍ବଳିତ ସ୍ମାରକପତ୍ର ରାଜ୍ୟ ସରକାରଙ୍କ ଆଇନ ବିଭାଗ ସଚିବଙ୍କୁ ପ୍ରଦାନ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ଏହାପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାରେ ଆଇନ ବିଭାଗ, ଗୃହ ବିଭାଗ, ଅର୍ଥ ବିଭାଗ, ମୁଖ୍ୟ ଶାସନ ସଚଚି, ରାଜ୍ୟ ଆଇନଜୀବୀ ପରିଷଦ, ଓଡିଶା ଆଡଭୋକେଟ୍‌ସ କ୍ଲର୍କ ୱେଲଫେୟାର ଫଣ୍ଡ କମିଟିକୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର