ସମ୍ବଲପୁର : ଅଦାଲତ ଅବମାନନା ମାମଲାରେ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ଅଡ଼ୁଆ ବଢ଼ିପାରେ। ମାନ୍ୟବର ଓଡ଼ିଶା ହାଇକୋର୍ଟ ଆସନ୍ତା ୨୩ ତାରିଖ ଦିନ ସକାଳ ସାଢ଼େ ୧୦ଟାରେ ହାଇକୋର୍ଟରେ ହାଜର ହେବାକୁ ନୋଟିସ୍ ଜାରି କରିଛନ୍ତି । ଅବଶ୍ୟ ପ୍ରଫେସର ମିତ୍ତଲ ନିଜେ ହାଜର ନହେଲେ ବି ଚଳିବ। ତାଙ୍କୁ ବ୍ୟକ୍ତିଗତ ଭାବେ କିମ୍ବା ନିଜ ଓକିଲଙ୍କ ଜରିଆରେ କିମ୍ବା ନିଜ ଏଜେଣ୍ଟଙ୍କ ଜରିଆରେ ହାଇକୋର୍ଟରେ ଉପସ୍ଥିତ ହୋଇ ଅଦାଲତ ଅବମାନନା ମାମଲାରେ କାହିଁକି ତାଙ୍କ ବିରୋଧରେ ପ୍ରସିଡିଂ ଆରମ୍ଭ କରାଯିବ ନାହିଁ, ତାହାର କାରଣ ଦର୍ଶାଇବାକୁ ଏହି ଆଦେଶରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ପୁଣି କାହିଁକି ହାଇକୋର୍ଟ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଦେଶ ଜାରି କରିବେ ନାହିଁ, ସେ ସଂପର୍କରେ ମଧ୍ୟ କାରଣ ଦର୍ଶାଇବାକୁ ଏଥିରେ କହାଯାଇଛି। ଯଦି ଉପରୋକ୍ତ ବିଷୟରେ କାରଣ ଦର୍ଶାଇବାରେ ଅସମର୍ଥ ହୁଅନ୍ତି, ତାହେଲେ ହାଇକୋର୍ଟ ଆଇନ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମଧ୍ୟ ସ୍ପଷ୍ଟ କରି ଦେଇଛନ୍ତି।
ହାଇକୋର୍ଟଙ୍କ ଆଦେଶକ୍ରମେ ରେଜିଷ୍ଟ୍ରାର(ଜୁଡିସିଆଲ)ଙ୍କ ଦ୍ବାରା ଏହି ନୋଟିସ୍ ଜାରି କରାଯାଇଥିବା ଜଣାପଡ଼ିଛି।
ଉଲ୍ଳେଖଯୋଗ୍ୟ ଯେ, ସମ୍ବଲପୁରର ଲଜପତ ରାୟ ଆଇନ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ପୁରାତନ ଛାତ୍ରସଂଘ(ଆଲ୍ମୁନି ଏସୋସିଏସନ୍) ପକ୍ଷରୁ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଅନେକ ଥର ଦୃଷ୍ଟି ଆକର୍ଷଣ କରିଥିଲା। ସମସ୍ୟାର ସମାଧାନ କରାନଯିବାରୁ ପୁରାତନ ଛାତ୍ର ସଂଘ ବାଧ୍ୟ ହୋଇ ଏହାର ସଂପାଦକ ଦୁର୍ଗା ପାଢ଼ୀଙ୍କ ଜରିଆରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ମାନ୍ୟବର ହାଇକୋର୍ଟ ଡବ୍ଲ୍ୟୁପିସି ନଂ.୧୫୩୩/୨୦୨୧ର ବିଚାରକରି ଏଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କୁ ଆଦେଶ ଦେଇଥିଲେ। ମାତ୍ର କୁଳପତି ଆଦେଶ କାର୍ଯ୍ୟକାରୀ କରାନଯିବାରୁ ପୁରାତନ ଛାତ୍ରସଂଘ ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ମାନ୍ୟବର ହାଇକୋର୍ଟଙ୍କ ଆଦେଶର ଅବମାନନା କରାଯାଇଥିବା ଦର୍ଶାଇ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଥିଲେ। ମାନ୍ୟବର ହାଇକୋର୍ଟ ୪୧୨୮/ ୨୦୨୧ ଉପରେ ବିଚାରକରି କୁଳପତିଙ୍କୁ ଆଦେଶ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନେବାକୁ କହିଥିଲେ। ଏହା ସତ୍ତ୍ବେ କୁଳପତି ଆଦେଶ କାର୍ଯ୍ୟକାରୀ କରିନଥିବା ଦର୍ଶାଇ ପୁରାତନ ଛାତ୍ର ସଂଘ ପୁଣି ଥରେ ମାନ୍ୟବର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ଏହି ଆବେଦନ ଉପରେ ବିଚାର କରି ଗତ ୧ ତାରିଖ ଦିନ ପ୍ରଫେସର ମିତ୍ତଲଙ୍କୁ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ରେଜିଷ୍ଟ୍ରାର(ଜୁଡିସିଆଲ) ଏହି ଆଦେଶ ଜାରି କରିଥିବା ଜଣାପଡ଼ିଛି।