ରାସନ କାର୍ଡ ନଥିବା ଗରିବ ପରିବାରକୁ ମାଗଣା ଖାଦ୍ୟଶସ୍ୟ ପ୍ରସଂଗ : ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍

କଟକ : କରୋନା ଭୂତାଣୁ ସଂକ୍ରମଣକୁ ନେଇ ଦେଖା ଦେଇଥିବା ସ୍ଥିତିରେ ରାସନ କାର୍ଡ ନଥିବା ଗରିବ ପରିବାର ଗୁଡିକୁ ମାଗଣା ଖାଦ୍ୟସାମଗ୍ରୀ ସହିତ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ ପ୍ରସଂଗକୁ ନେଇ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ସମାଜସେବୀ ପ୍ରଫୁଲ୍ଲ ସାମନ୍ତରାଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାକୁ ବିଚାର ପାଇଁ ଗ୍ରହଣ କରି ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ରାସନ କାର୍ଡ ନଥିବା ପରିବାରକୁ ଖାଦ୍ୟସାମଗ୍ରୀ ପ୍ରଦାନ ପ୍ରସଂଗ ନେଇ ବିଚାରାଧୀନ ଥିବା ଆଇନଜୀବୀ ଦିଲ୍ଲୀପ ରାୟଙ୍କ ଆବେଦନ ସହିତ ଏହି ମାମଲର ଏକତ୍ର ଶୁଣାଣି ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ଖାଉଟି ବ୍ୟାପାର ମନ୍ତ୍ରାଳୟ ୱେବସାଇଟରେ ଥିବା ତଥ୍ୟ ଅନୁସାରେ ଏପ୍ରିଲରୁ ଜୁନ୍ ମଧ୍ୟରେ ରାଜ୍ୟ ସରକାର ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆରୁ ୪୮୫୩୯୪ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ଉଠାଇଥିବା ବେଳେ ୪୨୦୧୬୫ ମେଟ୍ରିକ୍ ଟନ୍ ବଣ୍ଟନ କରାଯାଇଛି। ଏବେ ରାଜ୍ୟ ସରକାର ଉଠାଇଥବା ଖାଦ୍ୟଶସ୍ୟରୁ ୬୫୦୦୦ ମେଟ୍ରିକ୍ ଟନ୍ ମହଜୁଦ ରହିଛି। ତେଣୁ ରାସନ କାର୍ଡ ନଥିବା ପରିବାର ଗୁଡିକୁ ଖାଦ୍ୟଶସ୍ୟ ଦେବାରେ କିଛି ଅସୁବିଧା ନାହିଁ। ୩୩ ଲକ୍ଷ ଲୋକ ରାସନ କାର୍ଡ ସହିତ ଆଧାର କାର୍ଡ ସଂଯୋଗ କରି ନ ପାରି ପିଡିଏସ୍ ଯୋଜନାର ହିତାଧିକାରୀ ତାଲିକାରୁ ବାଦ୍‌ ପଡିଛନ୍ତି। ଲକ୍‌ଡାଉନ, ସଟ୍‌ଡାଉନ ଓ ବିଭିନ୍ନ କଟକଣା ସମୟରେ ବହୁ ଜିଲ୍ଲାରେ ଶିଶୁ, ଗର୍ଭବତୀ ମହିଳା ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ପାଇ ପାରୁ ନାହାନ୍ତି। ବିଶେଷକରି ବଲାଙ୍ଗୀର, କଳାହାଣ୍ଡି, ରାୟଗଡା, କୋରାପୁଟ ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡା, ବୌଦ୍ଧ, ବରଗଡ଼, କନ୍ଧମାଳ, କେନ୍ଦୁଝର, ମାଲକାନଗିରି ଜିଲ୍ଲାରେ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ପ୍ରଦାନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ରାଜ୍ୟରେ ବହୁ କ୍ଷୁଧାର୍ତ୍ତ ରହିଥିବାବେଳେ ବଞ୍ଚିରହିବା ପାଇଁ ସମ୍ବିଧାନ ପ୍ରଦାନ କରିଥିବା ଅଧିକାର ଉଲ୍ଲଂଘନ କରାଯାଉଛି ବୋଲି ଆବେଦନରେ ଦର୍ଶାଯାଇଛି।

ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଈଶ୍ବର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର