ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ହାଇକୋର୍ଟଙ୍କ ନୋଟିସ୍

ସମ୍ବଲପୁର : ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ଅଡ଼ୁଆ ବଢ଼ିବ। ଅଦାଲତ ଅବମାନନା ମାମଲାରେ ମାନ୍ୟବର ହାଇକୋର୍ଟ ପ୍ରଫେସର ମିତ୍ତଲଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।

ସମ୍ବଲପୁରର ଲଜପତ ରାୟ ଆଇନ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ପୁରାତନ ଛାତ୍ରସଂଘ(ଆଲ୍‌ମୁନି ଏସୋସିଏସନ୍‌) ପକ୍ଷରୁ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଅନେକ ଥର ଦୃଷ୍ଟି ଆକର୍ଷଣ କରିଥିଲା। ସମସ୍ୟାର ସମାଧାନ କରାନଯିବାରୁ ପୁରାତନ ଛାତ୍ର ସଂଘ ବାଧ୍ୟ ହୋଇ ଏହାର ସଂପାଦକ ଦୁର୍ଗା ପାଢ଼ୀଙ୍କ ଜରିଆରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ମାନ୍ୟବର ହାଇକୋର୍ଟ ଡବ୍ଲ୍ୟୁପିସି ନଂ.୧୫୩୩/୨୦୨୧ର ବିଚାରକରି ଏଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କୁ ଆଦେଶ ଦେଇଥିଲେ। ମାତ୍ର ଆଦେଶ କାର୍ଯ୍ୟକାରୀ କରାନଯିବାରୁ ପୁରାତନ ଛାତ୍ରସଂଘ ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ମାନ୍ୟବର ହାଇକୋର୍ଟଙ୍କ ଆଦେଶର ଅବମାନନା କରାଯାଇଥିବା ଦର୍ଶାଇ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଥିଲେ। ମାନ୍ୟବର ହାଇକୋର୍ଟ ୪୧୨୮/ ୨୦୨୧ ଉପରେ ବିଚାର କରି କୁଳପତିଙ୍କୁ ଆଦେଶ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନେବାକୁ କହିଥିଲେ।

ଏହା ସତ୍ତ୍ବେ କୁଳପତି ଆବଶ୍ୟକ ଭିତ୍ତିଭୂମି, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତି ସହିତ କଲେଜର ସୁପରିଚାଳନା ଦିଗରେ ଉପଯୁକ୍ତ ପଦକ୍ଷେପ ନେଇନଥିଲେ। ଏଭଳି ସ୍ଥିତିରେ ଆଦେଶ କାର୍ଯ୍ୟକାରୀ ହୋଇନଥିବା ଦର୍ଶାଇ ପୁରାତନ ଛାତ୍ର ସଂଘ ପୁଣି ଥରେ ମାନ୍ୟବର ହାଇକୋର୍ଟଙ୍କ ଦ୍ବାରସ୍ଥ କରିଥିଲେ। ମାନ୍ୟବର ହାଇକୋର୍ଟ ଗତ ୧୮ ନଭେମ୍ବର ଦିନ ଆଦେଶ ଅବମାନନା ସଂପର୍କିତ ମାମଲା ୫୫୪୮/୨୦୨୧ ଉପରେ ବିଚାର କରି କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୪ ସପ୍ତାହ ପରେ କରାଯିବାକୁ ଏହି ଆଦେଶରେ କହିଛନ୍ତି।

ସମ୍ବନ୍ଧିତ ଖବର