ଭୁବନେଶ୍ବର: ଏବେ ଆରଟିଓ ସାମ୍ନାରେ ପୂର୍ବପରି ଏଜେଣ୍ଟ ରହିପାରିବେ। ଆରଟିଓରେ ଏଜେଣ୍ଟ ବା ମଧ୍ୟସ୍ଥି କାମ କରିବା ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ । ମଧ୍ୟସ୍ଥି କାମ କରିବା ନେଇ ସରକାର ଲଗାଇଥିବା କଟକଣାକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ବିଚାର କରି ଏହି ରାୟ ଦେଇଛନ୍ତି ହାଇକୋର୍ଟ। ମଧ୍ୟସ୍ଥିଙ୍କୁ ଚିହ୍ନଟ କରିବା ସହ ଥଇଥାନ କରିବାକୁ ପରିବହନ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ଏବେ ଆରଟିଓ ଅଫିସରେ ଏଜେଣ୍ଟଙ୍କ ପ୍ରବେଶ ଉପରେ କଟକଣା ଲାଗିବନି। କୋର୍ଟ କହିଛନ୍ତି ଏଥିରେ ମଧ୍ୟସ୍ଥିମାନଙ୍କର ଜୀବିକା ଜଡ଼ିତ ରହିଥିବାରୁ ଏହାକୁ ବିଚାର କରାଯିବା ଆବଶ୍ୟକ। ଆରଟିଓ ଅଫିସରୁ ଏଜେଣ୍ଟ ବ୍ୟବସ୍ଥା ଉଚ୍ଛେଦ ନେଇ ସରକାର ଦେଇଥିବା ନିର୍ଦ୍ଦେଶ ବିରୋଧରେ ହୋଇଥିବା ଆବେଦନର ବିଚାର କରି ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ। ସରକାରଙ୍କ ନିର୍ଦ୍ଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ମୋଟର ଭେଇକିଲ୍‌ ଫିଲ୍‌ଡ ୱାର୍କର ସଂଘ।

ନୂଆ ମୋଟର ଯାନ ଆଇନ ଆସିବା ପରେ ଆରଟିଓ ଅଫିସରେ ଏଜେଣ୍ଟ୍‌ ସଂଖ୍ୟା ବୃଦ୍ଧି ପାଇଥିଲା। ଲୋକଙ୍କ ଠାରୁ ଅଧିକ ଟଙ୍କା ନେଇ ଲାଇସେନ୍‌ସ କରାଉଥିବା ଅଭିଯୋଗରେ ଆରଟିଓ ଅଫିସରେ ଏଜେଣ୍ଟ ପ୍ରବେଶ ଉପରେ କଟକଣା ଲାଗୁ କରିଥିଲେ ସରକାର। ଅଫିସ ପରିସରରେ ଏଜେଣ୍ଟ ଦେଖାଗଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ନିର୍ଦ୍ଦେଶକୁ ନେଇ ଆଜି ହାଇକୋର୍ଟ ରାୟ ଶୁଣାଇଛନ୍ତି।