କଟକ: ଅନୁଗୁଳ ଜିଲ୍ଲା ତାଳଚେର ଠାରେ ପ୍ରସ୍ତାବିତ ମେଡିକାଲ କଲେଜ ଓ ହସ୍ପିଟାଲ ୨୦୨୩, ଅକ୍ଟୋବର ୧ରୁ କାର୍ଯ୍ୟକ୍ଷମ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମହାନଦୀ କୋଲ ଫିଲ୍ଡସ ଲିମିଟେଡ (ଏମସିଏଲ) ଆର୍ଥିକ ସମ୍ବଳ ଯୋଗାଇବାକୁ ଥିବା ବେଳେ ରାଜ୍ୟ ସରକାର ତାଳଚେର ଠାରେ ମେଡିକାଲ କଲେଜ ଚଳାଇବା ଦାୟିତ୍ବ ନେଇଛନ୍ତି। ଏଭଳି ସ୍ଥିତିରେ ଅକ୍ଟୋବର ୧ରୁ ଏହି ମେଡିକାଲ କଲେଜ କାର୍ଯ୍ୟକ୍ଷମ ସହିତ ଏହାର ପରିଚାଳନା ଦାୟିତ୍ବ ରାଜ୍ୟ ସରକାର ନିର୍ବାହ କରିବେ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ତାଳଚେର ଠାରେ ପ୍ରସ୍ତାବିତ ମେଡିକାଲ କଲେଜ (ମହାନଦୀ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଅାଣ୍ଡ ରିସର୍ଚ୍ଚ) କାର୍ଯ୍ୟକ୍ଷମ ପ୍ରସଂଗରେ ଅବହେଳା ଅଭିଯୋଗ କରି ଦାୟର ଜନସ୍ବାର୍ଥ ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାର ଓ ଏମସିଏଲ ମଧ୍ୟରେ ତାଳଚେର ଠାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସ୍ବାକ୍ଷରିତ ହୋଇଥିବା ବୁଝାମଣାପତ୍ର (ଏମ୍ଓୟୁ) ଉପସ୍ଥାପନ କରାଯାଇଥିଲା। ଏଥି ସହିତ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବଙ୍କ ନିକଟରୁ ମିଳିଥିବା ତଥ୍ୟ ସରକାରଙ୍କ ତରଫରୁ ଦାଖଲ କରାଯାଇଥିଲା। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ ଏମଓୟୁ ଅନୁସାରେ ପିପିପି ମୋଡରେ ତାଳଚେରଠାରେ ଏମସିଏଲ ତରଫରୁ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବା କଥା। କର୍ପୋରେଟ ସୋସିଆଲ ରେସପନସିବିଲିଟି(ସିଏସଆର) ପଦକ୍ଷେପ ସ୍ବରୂପ ଏମସିଏଲ ଏଥି ପାଇଁ ଭିତ୍ତିଭୂମି ନିର୍ମାଣ କରିଥିଲା। ୨୦୨୦-୨୧ ଶିକ୍ଷା ବର୍ଷରୁ ଶହେ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଆରମ୍ଭ ପାଇଁ ଅନୁମତି ସଂପର୍କିତ ଦରଖାସ୍ତ କରିବା ଲାଗି ଏମସିଏଲ ଅନୁରୋଧ ଅନୁସାରେ ରାଜ୍ୟ ସରକାର ୨୦୧୯, ଜୁଲାଇ ୨ରେ ଏସେନସିଆଲିଟି ସାର୍ଟିଫିକେଟ ପ୍ରଦାନ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏମସିଏଲ ବିଭିନ୍ନ କାରଣରୁ ମେଡିକାଲ କଲେଜ ଖୋଲିବାରେ ସଫଳ ହୋଇ ପାରି ନଥିଲା। ୨୦୨୨୨, ଏପ୍ରିଲ ୨୧ରେ ଏମସିଏଲ ସିଏମଡି ଏକ ଚିଠି ଲେଖି ପ୍ରସ୍ତାବିତ ମେଡିକାଲ କଲେଜ ଓ ହସ୍ପିଟାଲକୁ ହାତକୁ ନେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ମେଡିକାଲ କଲେଜ ଚଳାଇବାକୁ ସିଏସଆର ପାଣ୍ଠିରୁ ଉପଯୁକ୍ତ ଅର୍ଥ (ଭାଏବିଲିଟି ଗ୍ୟାପ୍ ଫଣ୍ଡ) ପ୍ରଦାନ ପାଇଁ ଏମସିଏଲ ପ୍ରତିଶ୍ରୁତି ଦେଇଥିଲା। ମେଡିକାଲ କଲେଜ ଓ ହସ୍ପିଟାଲ ଚଳାଇବା ଖର୍ଚ୍ଚ ଏମସିଏଲ ଏହାର ସିଏସଆର କାର୍ଯ୍ୟର ଅଂଶ ଭାବେ ବହନ କରିବା ସର୍ତ୍ତରେ ରାଜ୍ୟ ସରକାର ମେଡିକାଲ କଲେଜକୁ ହାତକୁ ନେଇଥିଲେ। ପ୍ରାରମ୍ଭିକ ବର୍ଷ ଗୁଡିକରେ ଅତିରିକ୍ତ ଖର୍ଚ୍ଚ ମଧ୍ୟ ଏମସିଏଲ ବହନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା।
ଏଭଳି ସର୍ତ୍ତ ସଂପର୍କରେ ରାଜ୍ୟ ସରକାର ୨୦୨୨, ମେ ୧୨ରେ ଏମସିଏଲକୁ ଚିଠି ଲେଖିଥିଲେ। ଶହେ ଏମବିବିଏସ ସିଟ ବିଶିଷ୍ଟ ମେଡିକାଲ କଲେଜ ଆରମ୍ଭ ପାଇଁ ଅନୁମତି ଲାଗି ଜାତୀୟ ମେଡିକାଲ କମିସନ (ଏନଏମସି) ନିକଟରେ ଆବେଦନ କରିବା ପୂର୍ବରୁ ଅତି କମରେ ୩୩୦ ଶଯ୍ୟା ବିଶିଷ୍ଟ ଟିଚିଂ ହସ୍ପିଟାଲ ୨ ବର୍ଷ ଧରି କାର୍ଯ୍ୟକ୍ଷମ ରହିବା ଆବଶ୍ୟକ। ଏନଏମସିର ଏଭଳି ନିୟମ ରହିଛି। ଏଭଳି ସ୍ଥିତିରେ ଅକ୍ଟୋବର ୧ରୁ ୩୩୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାର ଓ ଏମସିଏଲ ମିଳିତ ଭାବେ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସ୍ବତନ୍ତ୍ର ସଚିବଙ୍କ ପକ୍ଷରୁ ଦାଖଲ ତଥ୍ୟରେ ଉଲ୍ଲେଖ କରାଯାଇଥିଲା। ସ୍ବାସ୍ଥ୍ୟ ବିଭାଗର ଏପରି ତଥ୍ୟକୁ ହାଇକୋର୍ଟ ବିଚାରକୁ ନେଇ ଅକ୍ଟୋବର ୧ରୁ ତାଳଚେର ମେଡିକାଲ କଲେଜ ଓ ହସ୍ପିଟାଲ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ତାଳଚେର ଠାରେ ମେଡିକାଲ କଲେଜ ପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ୨୦୧୮ରୁ ଶେଷ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ କରାଯାଉ ନାହିଁ ବୋଲି ଆବେଦନକାରୀ ଦର୍ଶାଇଥିଲେ। ନିର୍ମାଣ କାର୍ଯ୍ୟ ପାଇଁ ଏମସିଏଲ ତରଫରୁ ପ୍ରାୟ ୫୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବା ସତ୍ବେ ମେଡିକାଲ କଲେଜ ଓ ହସ୍ପିଟାଲ କାର୍ଯ୍ୟକ୍ଷମ ନହେବା ଦ୍ୱାରା ସ୍ଥାନୀୟ ଲୋକ ତଥା ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସୁଜାତା ଜେନା ମାମଲା ପରିଚାଳନା କରୁଥିଲେ।