ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ପ୍ରସଂଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ : ଆଇନ ପ୍ରକ୍ରିୟା ଅନୁସରଣ ନ କରି ନିର୍ମାଣ ଭଙ୍ଗାଯାଇ ପାରିବନାହିଁ

କଟକ : ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ପ୍ରକ୍ରିୟା ସଂପର୍କିତ ମାମଲାରେ ହାଇକୋର୍ଟ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ଆଇନର ପ୍ରକ୍ରିୟା ଅନୁସରଣ ନ କରି ଆବେଦନକାରୀଙ୍କ ଜମି ଉପରୁ ନିର୍ମାଣ ଭଙ୍ଗାଯାଇ ପାରିବନାହିଁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ଜମି ଉପରୁ କୋଠା/ସୌଧ ଉଚ୍ଛେଦ ପ୍ରସଂଗରେ ପ୍ରଶାସନ ଯଦି ପଦକ୍ଷେପ ନିଏ ତେବେ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ।

ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିବାବେଳେ ଏ ନେଇ ପୁରୀ ସହର ଚୂଡାଙ୍ଗସାହିସ୍ଥିତ ଗୋପଳଜିଉ ମହାପ୍ରଭୁ ବିଜେ, ଗୋପାଳଭବନ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ଶ୍ରୀମନ୍ଦିରର ୭୫ ମିଟର ପରିଧି ଭିତରେ ସେମାନଙ୍କ ଜମି ରହିଥିବାବେଳେ ଏହାଉପରେ ରହିଥିବା ନିର୍ମାଣ ଉଚ୍ଛେଦ କରାଯିବାର ସମ୍ଭାବନା ରହିଛି। ଉଚ୍ଛେଦ ସଂପର୍କିତ ପଦକ୍ଷେପ ପୂର୍ବରୁ କର୍ତ୍ତୃପକ୍ଷ ଉପଯୁକ୍ତ କ୍ଷତିପୂରଣ ସଂକ୍ରାନ୍ତ ନିୟମ ସହିତ ଭୂମି ଅଧିଗ୍ରହଣ ସଂପର୍କିତ ଆଇନ ପାଳନ କରିବା ଉଚିତ। କିନ୍ତୁ ଆଇନରେ ଥିବା ପ୍ରକ୍ରିୟା ଅନୁସରଣ ନ କରି ଆବେଦନକାରୀଙ୍କ ଜମି ଉପରୁ ନିର୍ମାଣ ଉଚ୍ଛେଦ କରାଯିବାର ସମ୍ଭାବନ ରହିଛି। ସମାନ ପରିସ୍ଥିତିରେ ଥିବା ଅନ୍ୟ ମାମଲାରେ ହାଇକୋର୍ଟ ୨୦୧୯, ନଭେମ୍ବର ୨୫ରେ ପ୍ରଦାନ କରିଥିବା ରାୟ ପ୍ରସଂଗରେ ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏଥିସହିତ ଏ ସଂପର୍କିତ ସୁପ୍ରିମକୋର୍ଟଙ୍କ ରାୟର ନଜିର ମଧ୍ୟ ଦାଖଲ କରାଯାଇଥିଲା। ଆଇନର ପ୍ରକ୍ରିୟା ଅନୁସରଣ ନ କରି ଉଚ୍ଛେଦ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟଙ୍କ ରାୟ ରହିଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ଜମି ଉପରୁ ଆଇନ ଅନୁସାରେ ପ୍ରକ୍ରିୟା ଅନୁସରଣ ନ କରି କୌଣସି ନିର୍ମାଣ ଉଚ୍ଛେଦ କରାଯାଇ ପାରିବ ନାହିଁ ବୋଲି ଜଷ୍ଟିସ୍ କେ.ଆର୍‌ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ଗୋପଳଜିଉ ମହାପ୍ରଭୁ ବିଜେଙ୍କ ତରଫରୁ ଆଇନଜୀବୀ ଅଶୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଥିଲେ। ମାମଲାରେ ରାଜ୍ୟ ସରକାର, ପୁରୀ ଜିଲ୍ଲାପାଳ, କେନ୍ଦ୍ର ସରକାର ଓ ଏଏସ୍‌ଆଇ ମହାନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।

ସମ୍ବନ୍ଧିତ ଖବର