କଟକ : ରାଜ୍ୟରେ ମନ୍ଦିର ଓ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦାବି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଯେଉଁ ଦୁଇଟି ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା, ତାର ଆଜି ଶୁଣାଣି ହୋଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ୍ ରଫିକ୍ ଓ ଡକ୍ଟର ଜଷ୍ଟିସ୍ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ନଜରରେ ରଖି ରାଜ୍ୟ ସରକାର ନିଷ୍ପତ୍ତି ନିଅନ୍ତୁ ବୋଲି ମତ ରଖିଛନ୍ତି।
ସୂଚନାଯୋଗ୍ୟ, ପୁରୀର ତ୍ରିଲୋଚନ ରଥଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଥିଲା ଯେ କେନ୍ଦ୍ର ସରକାର ଜାରି କରିଥିବା ନିୟମାବଳୀ ଅନୁସାରେ ଧର୍ମାନୁଷ୍ଠାନ ଖୋଲା ରହିପାରିବ। କିନ୍ତୁ ରାଜ୍ୟ ସରକାର କେନ୍ଦ୍ରର ନିୟମାବଳୀ ଉଲ୍ଲଂଘନ କରି ଜୁଲାଇ ୩୧ରେ ଜାରି କରିଥିବା ନିୟମାବଳୀରେ ପୂର୍ବ ଭଳି ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ଏହା କେନ୍ଦ୍ର ସରକାରଙ୍କ ମେ ୩୦ ନିୟମାବଳୀର ଉଲ୍ଲଂଘନ। ରାଜ୍ୟ ସରକାର ମଦ ଦୋକାନଠାରୁ ଆରମ୍ଭ କରି ସପିଂ ମଲ୍ ପର୍ଯ୍ୟନ୍ତ ସବୁ କିଛି ଖୋଲିବାକୁ ଅନୁମତି ଦେଇ ସାରିଛନ୍ତି। ଏଥିସହିତ ଅନ୍ୟାନ୍ୟ ବିଭିନ୍ନ ପ୍ରକାର କାର୍ଯ୍ୟକଳାପକୁ ମଧ୍ୟ କଟକଣା ନିୟମ ମାନି ଜାରି ରଖିବାକୁ ଅନୁମତି ମିଳିଛି।ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ କୋଭିଡ-୧୯ ନିୟମାବଳୀ ଓ କେନ୍ଦ୍ର ସରକାରଙ୍କ ନିୟମ ପାଳନ କରି ମନ୍ଦିରରେ ସାଧାରଣ ଦର୍ଶନ ବ୍ୟବସ୍ଥା ପାଇଁ ଅନୁମତି ଦେବାରେ କିଛି ବାଧା ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।
ମନ୍ଦିରରେ କଟକଣା ମଧ୍ୟରେ ଦର୍ଶନ ପାଇଁ ଅନୁମତି ନ ଦେବା ଭକ୍ତଙ୍କ ସାମ୍ବିଧାନିକ ଅଧିକାର କ୍ଷୁଣ୍ଣ କରୁଛି। ଏଥିସହିତ ଜୁଲାଇ ୩୧ରେ ସୁପ୍ରିମକୋର୍ଟ ନିଶିକାନ୍ତ ଦୁବେ ବନାମ କେନ୍ଦ୍ର ସରକାର ମାମଲାରେ ପ୍ରଦାନ କରିଥିବା ରାୟ ପ୍ରସଂଗରେ ଆବେଦନରେ ଉଲ୍ଲେଖ କରାଯିବା ସହିତ ଧର୍ମାନୁଷ୍ଠାନରେ ସାଧାରଣ ଦର୍ଶନ ବ୍ୟବସ୍ଥାରେ କିଛି ଆଇନଗତ ବାଧା ନାହିଁ ବୋଲି ଦର୍ଶାଯାଇଛି।
ଶ୍ରୀଜଗନ୍ନାଥ ମନ୍ଦିର ସହିତ ଅନ୍ୟ ସମସ୍ତ ଦେବାଦେବୀ ମନ୍ଦିରରେ ସାଧାରଣ ଦର୍ଶନ ବ୍ୟବସ୍ଥା ପାଇଁ ଅନୁମତି ଦେବାକୁ ତୁରନ୍ତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଓ ଦେବୋତ୍ତର କମିସନରଙ୍କୁ ନିର୍ଦ୍ଦେଶ ଦିଆଯାଉ। ଏଥିସହିତ ଜୁଲାଇ ୩୧ରେ ରାଜ୍ୟ ସରକାର ଧର୍ମାନୁଷ୍ଠାନରେ ସାଧାରଣ ଦର୍ଶନ ଉପରେ ଜାରି କରିଥିବା କଟକଣା ସଂପର୍କିତ ନିୟମକୁ ରଦ୍ଦ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା ଏହି ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ସଂକ୍ରାନ୍ତରେ ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ବିଚାରକୁ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନିଅନ୍ତୁ ବୋଲି ମତ ରଖିଛନ୍ତି।
ଆଇନଜୀବୀ ଜୟନ୍ତ କୁମାର ବଳ ବି ଏହି ପ୍ରସଙ୍ଗରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଅନ୍ୟ ପକ୍ଷରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ରାଜ୍ୟର ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନେଇ ବିଚାର ବିମର୍ଶ ଚାଲିଛି ବୋଲି ଗଣମାଧ୍ୟମକୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/high-court.jpg)