ଅଲିଭ ରିଡ୍‌ଲେଙ୍କ ସୁରକ୍ଷା ପ୍ରସଂଗ: ତିନି ଜଣିଆ ଟିମ୍ ଗଠନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଗହୀରମଥା ଓ ଋଷିକୂଲ୍ୟା ସମୁଦ୍ରକୂଳ ଅନୁଧ୍ୟାନ କରିବେ, ମାର୍ଚ୍ଚ ୧୦ ସୁଦ୍ଧା ଦାଖଲ ହେବ ରିପୋର୍ଟ

କଟକ: ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପ୍ରସଂଗରେ ହାଇକୋର୍ଟ ଶୁଣାଣି କରି ଏକ ତିନି ଜଣିଆ ଟିମ୍ ଗଠନ କରିଛନ୍ତି। ଏହି ଟିମ୍‌ର ସଦସ୍ୟମାନେ ଅଲିଭ ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ସ୍ଥାନ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ଋଷିକୂଲ୍ୟା ସମୁଦ୍ରକୂଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ। ଏ ନେଇ ହାଇକୋର୍ଟରେ ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଟିମ୍ ସଦସ୍ୟମାନେ ସ୍ଥାନୀୟ ଅଞ୍ଚଳର ମାଛଧରାଳି ଓ ଅନ୍ୟମାନଙ୍କ ସହିତ ଆଲୋଚନା କରି ପାର‌ବେ। ପୂର୍ବରୁ ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପ୍ରସଂଗରେ ହାଇକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଛି କି ନାହିଁ ଓ ସରକାର ଏହି ମାମଲାରେ ଦାଖଲ କରିଥିବା ତଥ୍ୟ ସଂକ୍ରାନ୍ତରେ ଟିମ୍ ସଦସ୍ୟ ଅନୁଧ୍ୟାନ କରିବେ। ଏଥି ସହିତ ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପ୍ରସଂଗରେ କଣ ପଦକ୍ଷେପ ଗ୍ରହଣ କରାଯିବ ସେ ନେଇ ଗଠିତ ଟିମ୍ ପରାମର୍ଶ ପ୍ରଦାନ କରିବେ। ଏହି ଟମ୍‌ରେ ବାଙ୍ଗାଲୋରସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସର ସେଣ୍ଟର ଫର ଇକୋଲୋଜିକାଲ ସାଇନ୍ସର ପ୍ରଫେସର ଡକ୍ଟର କାର୍ତ୍ତିକ ଶଙ୍କର, ପରିବେଶ ନିର୍ଦ୍ଦେଶକ ତଥା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ସିଇଓ ସୁଶାନ୍ତ ନନ୍ଦ ଓ ଆମିକସ୍ କ୍ୟୁରୀ ମୋହିତ ଅଗ୍ରୱାଲଙ୍କୁ ସଦସ୍ୟ ଭାବେ ହାଇକୋର୍ଟ ନିଯୁକ୍ତି ଦେଇଛନ୍ତି।

ଆଜି ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ରାଜନଗର ମାନଗ୍ରୋଭ ଫରେଷ୍ଟ ଡିଭିଜନ (ୱାଇଲ୍ଡ ଲାଇଫ) ଡିଏଫଓ ବିକାଶ ରଂଜନ ଦାଶ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ଗହୀରମଥାରେ ବେଆଇନ ଭାବେ ମାଛ ମାରୁଥିବା ବେଳେ ୩୦ଟି ବୋଟ ଜବତ କରାଯାଇଛି। ୧୬୭ଜଣଙ୍କୁ ଗିରଫ କରାଯାଇଛି। ଟ୍ରଲର ପ୍ରବେଶ ଉପରେ ଅଙ୍କୁଶ ପାଇଁ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସୀମାରେ ୧୫ଟି ଭାସମାନ ଗତିପଥ ପ୍ରଦର୍ଶକ ସ୍ଥାପନ କରାଯାଇଛି। ଏଭଳି ଭାସମାନ ଗତିପଥ ପ୍ରଦର୍ଶକ ସ୍ଥାପନ ପ୍ରକ୍ରିୟା ମାର୍ଚ୍ଚ ୨୦୨୧ ଭିତରେ ଶେଷ ହେବ।

The Logical Indian

ହ୍ବିଲର ଦୀପର ଡିଆରଡିଓ କର୍ତ୍ତୃପକ୍ଷ ଓ ଧାମରା ବନ୍ଦର କର୍ତ୍ତୃପକ୍ଷ ମଧ୍ୟ ଏହି ପ୍ରସଂଗରେ ପଦକ୍ଷେପ ଗ୍ରହଣ କରୁଛନ୍ତି। ମିସାଇଲ ପରୀକ୍ଷା ଏହି ସମୟରେ ବନ୍ଦ ରଖାଯାଇଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷରେ କଇଁଛଙ୍କ ସୁରକ୍ଷା ପାଇଁ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଥର୍ମାଲ ଇମେଜିଂ କ୍ୟାମେରା (ଟିଇସି) ସ୍ଥାପନ ସପକ୍ଷରେ ଆମିକସ୍ କ୍ୟୁରୀ ଯୁକ୍ତି ଉପସ୍ଥାପନ କରିଥିଲେ। ଏହି ପ୍ରସଂଗରେ ପକ୍ଷ ରଖିବାକୁ ସରକାରଙ୍କୁ ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଭାବେ ପୂର୍ବରୁ ହାଇକୋର୍ଟ ଏ ସଂପର୍କିତ ଅନ୍ୟ ଏକ ମାମଲାର ଶୁଣାଣି କରି ଟର୍ଟଲ ଏକ୍ସକ୍ଲୁଡର ଡିଭାଇସ(ଟିଇଡି) ସବୁ ମାଛଧରା ଟ୍ରଲର/ବୋଟରେ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇଛି ବା ନାହିଁ ସେ ନେଇ ସ୍ଥିତି ସ୍ପଷ୍ଟ ନୁହେଁ ବୋଲି ଆମିକସ୍ କ୍ୟୁରୀ ଦର୍ଶାଇଥିଲେ। ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ୧୫ ମାର୍ଚ୍ଚରେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୧ ଜାନୁଆରି ମାସରୁ ୮ଶହ ଅଲିଭ ରିଡଲେ କଇଁଛଙ୍କ ଓଡ଼ିଶା ଉପକୂଳରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ମୃତ୍ୟୁ ହୋଇଥିବା ନେଇ ଗଣମାଧ୍ୟମରେ ଫେବ୍ରୁଆରି ୪ରେ ପ୍ରକାଶିତ ରିପୋର୍ଟକୁ ଆଧାର କରି ହାଇକୋର୍ଟ ନିଜ ଆଡୁ ଏହି ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ ମାଛମରା ଜାଲରେ ଛନ୍ଦି ହୋଇ କଇଁଛଙ୍କ ମୃତ୍ୟୁ ହେଉଛି। କଇଁଛଙ୍କ ମୃତ ଦେହରେ ଜାଲ ଓ ଅନ୍ୟାନ୍ୟ କାରଣରୁ ହୋଇଥିବା କ୍ଷତଚିହ୍ନ ଦେଖିବାକୁ ମିଳୁଛି। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସହିତ ଋଷିକୂଲ୍ୟା ଉପକୂଳରେ ପ୍ଲାଷ୍ଟିକ୍, ପଲିଥିନ୍ ଓ ଅନ୍ୟାନ୍ୟ ଅବର୍ଜନା ବିକ୍ଷିପ୍ତ ହୋଇ ପଡି ରହିଥିବା ବେଳେ ଏହା ସାମୁଦ୍ରିକ କଇଁଛଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ବହୁ ମାଛ ଧରାଳି ସେମାନଙ୍କ ଛିଣ୍ଡିଯାଉଥିବା ମାଛଧରା ଜାଲ, ପ୍ଲାଷ୍ଟିକ୍ ବୋତଲ, ପଲିଥିନ୍ ଓ ବିପଦଜନକ ବସ୍ତୁ ସମୁଦ୍ରରେ ଫୋପାଡି ଦେଉଛନ୍ତି। ଏହା କଇଁଛଙ୍କ ଜୀବନ ପ୍ରତି ବିପଦପୂର୍ଣ୍ଣ ହେଉଛି।

worldwildlife

ସମୁଦ୍ର ଉପକୂଳରେ କଇଁଛଙ୍କ ମୃତ ଦେହରୁ ଦୁର୍ଗନ୍ଧ ନିର୍ଗତ ହେଉଛି ଓ ଏହା ପର୍ଯ୍ୟଟକଙ୍କୁ ଦୂରେଇ ଦେଉଛି। ବନ ବିଭାଗ ପକ୍ଷରୁ କଇଁଛଙ୍କ ମୃତ ଦେହ ଗାତ ଖୋଳି ପୋତି ଦିଆଯାଉଛି। ସମୁଦ୍ର ଉପକୂଳରେ ବିକ୍ଷିପ୍ତ ହୋଇ ଅଲିଭ ରିଡଲେ କଇଁଛଙ୍କ ମୃତ ଦେହର ଅବଶେଷ ପଡି ରହୁଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଫେବ୍ରୁଆରି ୨୩ରେ ହାଇକୋର୍ଟ ମାମଲାର ଶୁଣାଣି କରି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ସଚିବ, ରାଜନଗର ମାନଗ୍ରୋଭ ଫରେଷ୍ଟ ଡିଭିଜନ(ଡବ୍ଳୁଏଲ)ର ଆସିଷ୍ଟାଣ୍ଟ କଂଜରଭେଟର ଅଫ ଫରେଷ୍ଟସ୍, କେନ୍ଦ୍ରାପଡ଼ା ଏଡିଏମ୍, ମତ୍ସ୍ୟବିଭାଗ ଉପସଚିବ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ନୋଟିସ୍ ଜାରି କରିଥିଲେ।

ସମ୍ବନ୍ଧିତ ଖବର