ଦୋଷୀଙ୍କୁ ଜାମିନ ଦେବା ସହ ଆମ୍ବ ଓ ତେନ୍ତୁଳି ଗଛ ଲଗାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ: ଓଡିଶା ହାଇକୋର୍ଟ ୩ଟି ଗୁରୁତ୍ୱପୂର୍ଣ୍ଣ ଜାମିନ ଆବେଦନର ଶୁଣାଣି କରି ଆବେଦନକାରୀମାନଙ୍କୁ ୫୫୦ଟି ବୃକ୍ଷରୋପଣ କରିବାକୁ ନିର୍ଦେଶ ଦେଇଛନ୍ତି।ଏହା ସହ ଆବେଦନକାରୀ ମାନଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ତିନୋଟି ମାମଲା ମଧ୍ୟରୁ ଦୁଇଟି ପକସୋ ମାମଲା ହୋଇଥିବାବେଳେ ଗୋଟିଏ ହତ୍ୟା ମାମଲା ରହିଛି। ୨୦୧୯ ମସିହା ନଭେମ୍ବର ମାସରେ ଚାନ୍ଦବାଲି ଥାନା ଅଧିନରେ କାଳିପଡିଆକୁ ଯାତ୍ରା ଦେଖିବାକୁ ଯାଇଥିବାବେଳେ ପୀଡିତା ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଏହି ମାମଲାରେ ଆରୋପୀ ପିଣ୍ଟୁ ମହାଲିକ ୨୦୧୯ ମସିହାରୁ ଜେଲରେ ଥିଲା। ତେବେ ଜେଲରେ ତାର ବ୍ୟବହାର ସନ୍ତୋଷଜନକ ଥିବାବେଳେ ତ୍ବରିତ ଶୁଣାଣି ଜଣେ ବ୍ୟକ୍ତିର ମୌଳିକ ଅଧିକାର ବୋଲି ସୁପ୍ରିମକୋର୍ଟ କହିଥିବା ଆବେଦନକାରୀଙ୍କ ଓକିଲ ଖଣ୍ଡପୀଠକୁ କହିଥିଲେ।ତେବେ ସମସ୍ତ ପକ୍ଷରୁ ଶୁଣିବା ପରେ ଜଷ୍ଚିସ ସଂଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଆବେଦନକାରୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।

ସର୍ତ୍ତରେ ସେ ନିଜ ଗାଁ ବେଏରିନପୁରରେ ୧୨୫ଟି ଆମ୍ବ ଓ ତେନ୍ତୁଳି ଗଛ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷା ଋତୁ ଆସିବା ପୂର୍ବରୁ ଏହି କାମ ସାରିବାକୁ ନିର୍ଦ୍ଦେଶ ରହିଛି। ଜିଲ୍ଲା ନର୍ସରୀ ସମସ୍ତ ଗଛ ତାଙ୍କୁ ଯୋଗାଇଦେବା ସହ ଗଛ ଲଗାଇବା କାମ ଆବେଦନକାରୀ କରୁଛନ୍ତି କି ନା ତାହା ସ୍ଥାନୀୟ ଚାନ୍ଦବାଲି ପୁଲିସ ତଦାରଖ କରିବାକୁ ନିର୍ଦ୍ଦେଶ ରହିଛି। ସେହିଭଳି ପ୍ରତ୍ୟେକ ସୋମବାର ଦିନ ସ୍ଥାନୀୟ ଥାନାରେ ଦିନ ୧ଟା ସୁଦ୍ଧା ହାଜିରା ପକାଇବା ଭଳି ସର୍ତ୍ତ ରହିଛି। ଯଦି ଖିଲାପ ହୁଏ ତେବେ ଜାମିନ ଖାରଜ ହେବ ବୋଲି ଖଣ୍ଡପୀଠ କହିଛନ୍ତି।

ସେହିଭଳି କଳାହାଣ୍ଡି କୋକସରା ଥାନାରେ ଥିବା କାର୍ତ୍ତିକ ମାଝୀଙ୍କର ସମାନ ପକସୋ ମାମଲାର ଶୁଣାଣି କରି ନିଜ ଗାଁ ଆମପାଣି ଥାନା ଅନ୍ତର୍ଗତ ରେନିଗୁଡାଗାଁରେ ୨୦୦ ଗଛ ଲଗାଇବା ସହ ସମାନ ସର୍ତ୍ତ ରଖିଛନ୍ତି କୋର୍ଟ।୨୦୨୦ ମସିହାରୁ କାର୍ତ୍ତିକ ମାଝୀ ଜେଲରେ ଅଛନ୍ତି। ସେହିଭଳି ୨୦୧୯ ମସିହାରୁ ଏକ ହତ୍ୟା ମାମଲାରେ ଜେଲରେ ଥିବା ମଂଚେଶ୍ବର ଥାନା ଅନ୍ତର୍ଗତ ରଂଗମାଟିଆ ଗାଁର ସୌମ୍ୟରଂଜନ ପରିଡାଙ୍କୁ କୋର୍ଟ ୨୦୦ ଗଛ ଲଗାଇବା ସହ ସମାନ ସର୍ତ୍ତ ରଖି ଜାମିନ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର