ଦୂରଦର୍ଶନର ଷ୍ଟ୍ରିଞ୍ଜର ବିଜ୍ଞପ୍ତି ବିରୋଧରେ ମାମଲା: ସ୍ଥିତାବାସ୍ଥା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ଭୁବନେଶ୍ବର ଦୂରଦର୍ଶନ କେନ୍ଦ୍ର ରିଜିଓନାଲ ନ୍ୟୁଜ୍ ୟୁନିଟ ପକ୍ଷରୁ ଷ୍ଟ୍ରିଞ୍ଜର ତାଲିକାଭୁକ୍ତ (ଏନପାନେଲମେଣ୍ଟ) ସଂପର୍କିତ ବିଜ୍ଞପ୍ତି ବିରୋଧରେ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ସ୍ଥିତାବସ୍ଥା ଜାରି କରିଛନ୍ତି। ଏଥି ସହିତ ଏହି ମାମଲାରେ ହାଇକୋର୍ଟ ନୋଟିସ୍ ଜାରି କରି କେନ୍ଦ୍ର ସରକାର, ପ୍ରସାର ଭାରତୀ, ଦୂରଦର୍ଶନ ମହାନିର୍ଦ୍ଦେଶକ, ଦୂରଦର୍ଶନ ନ୍ୟୁଜ୍ ଅତିରିକ୍ତ ମହାନିର୍ଦ୍ଦେଶକ, ଭୁବନେଶ୍ବର ଦୂରଦର୍ଶନ କେନ୍ଦ୍ର ରିଜିଓନାଲ ନ୍ୟୁଜ୍ ନିର୍ଦ୍ଦେଶକଙ୍କ ସହିତ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରି ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଷ୍ଟ୍ରିଞ୍ଜର ନିଯୁକ୍ତି ତାଲିକାଭୁକ୍ତ ପ୍ରସଂଗ କୌଣସି ପଦକ୍ଷେପ ଗ୍ରହଣ କରାଯାଇଥିବ ତେବେ ତାହା ବିଚାରାଧୀନ ମାମଲାର ଚୂଡ଼ାନ୍ତ ରାୟ ଉପରେ ନିର୍ଭର କରିବ ବୋଲି ଅନ୍ତରୀଣ ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇଛି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ସଂପତ କୁମାର ଅଗ୍ରୱାଲ ଓ ଅନ୍ୟ ୧୭ଜଣଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଦୂରଦର୍ଶନ ଓ ଆକାଶବାଣୀ (ଏଆଇଆର୍‌)କୁ ଖବର ଯୋଗାଇବା ପାଇଁ ବିଭିନ୍ନ ଜିଲ୍ଲାରେ ପାର୍ଟ ଟାଇମ କରେସ‌ପଣ୍ଡେଣ୍ଟ (ପିଟିସି)ଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହି ପିଟିସିମାନେ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରୁଥିବା ବେଳେ ଭୁବନେଶ୍ବର ଦୂରଦର୍ଶନ କେନ୍ଦ୍ର ରିଜିଓନାଲ ନ୍ୟୁଜ୍ ୟୁନିଟ ପକ୍ଷରୁ ଗତ ଜୁଲାଇ ୩୧ରେ ଷ୍ଟ୍ରିଞ୍ଜର ନିଯୁକ୍ତି/ତାଲିକାଭୁକ୍ତ କରିବା ପାଇଁ ଆବେଦନ ଆହ୍ବାନ କରି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥି ପାଇଁ ବ୍ୟକ୍ତିବିଶେଷଙ୍କ ସହିତ ବିଭିନ୍ନ ସଂସ୍ଥା, କର୍ପୋରେଟ୍ ବଡି, ଫାର୍ମ ଆବେଦନ କରି ପାରିବେ ବୋଲି ସ୍ପଷ୍ଟ କରାଯାଇଥିଲା। ଏଭଳି ବିଜ୍ଞପ୍ତିକୁ ଚାଲେଞ୍ଜ କରି ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରୁଥିବା ପିଟିସିମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ମାମଲାରେ ଦର୍ଶାଯାଇଛି ଯେ ୨୦୦୪ରୁ ପିଟିସି ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଦୂରଦର୍ଶନ ସହିତ ଅଲ୍ ଇଣ୍ଡିଆ ରେଡିଓକୁ ନ୍ୟୁଜ ଯୋଗାଇ ଆସୁଛନ୍ତି। ୨୦୦୫ରେ ଏହି କ୍ଷେତ୍ରରେ ଷ୍ଟ୍ରିଞ୍ଜରଙ୍କୁ କାମ ଦିଆଯିବ ନାହିଁ ବୋଲି ପ୍ରସାର ଭାରତୀ ଜାରି କରାଯାଇଥିବା ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା। ଏବେ ଯେତିକି କାର୍ଯ୍ୟ ରହିଛି ତାହା ପିଟିସଙ୍କ ପାଇଁ ଯଥେଷ୍ଟ ଥିବା ବେଳେ ଷ୍ଟ୍ରିଞ୍ଜର ତାଲିକାଭୁକ୍ତ କରାଯିବା ବିଜ୍ଞପ୍ତି ଉଦ୍ଦେଶ୍ୟମୂଳକ ଭାବେ ପ୍ରକାଶ କରାଯାଇଛି। ଏହା ପ୍ରସାର ଭାରତୀର ନିର୍ଦ୍ଦେଶନାମା ସହିତ ଓ ଆଇନରେ ଥିବା ବ୍ୟବସ୍ଥାର ଉଲ୍ଲଂଘନ କରୁଛି। ଏପରି ପରିସ୍ଥିତିରେ ଷ୍ଟ୍ରିଞ୍ଜର ତାଲିକାଭୁକ୍ତ ସଂପର୍କିତ ବିଜ୍ଞପ୍ତିକୁ ରଦ୍ଦ କରାଯାଉ ବୋଲି ଆବେଦନନରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର