ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ଜାଲ୍‌ କରାଯାଇଥିବା ଅଭିଯୋଗ ଆଣିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଓକିଲ

ଲୋକାୟୁକ୍ତଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା

କଟକ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମାମଲାରେ ହାଇକୋର୍ଟଙ୍କ ଆଦେଶକୁ ଚାଲେଞ୍ଜ କରି ଲୋକାୟୁକ୍ତ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ରହିତାଦେଶ ଆଣିଥିଲେ। କିନ୍ତୁ ସୁପ୍ରିମକୋର୍ଟରେ ଲୋକାୟୁକ୍ତଙ୍କ ପକ୍ଷରୁ ଦାୟର୍‌ ଏସ୍‌ଏଲଏପି ସହିତ ହାଇକୋର୍ଟଙ୍କ ଯେଉଁ ନିର୍ଦ୍ଦେଶର କପି ଦାଖଲ କରାଯାଇଛି ତାହା ଜାଲ୍‌ ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ।

ବୁଧବାର ଏଠା‌‌ରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଲେ, ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ଲୋକାୟୁକ୍ତଙ୍କ ଇନକ୍ବାରି ୱିଙ୍ଗ୍‌ ପ୍ରାଥମିକ ତଦନ୍ତ କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶର ପୁନର୍ବିଚାର ପାଇଁ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା। ଏହି ରିଭ୍ୟୁ ପିଟିସନକୁ ହାଇକୋର୍ଟଙ୍କ ଡିଭିଜନ୍ ବେଞ୍ଚ୍‌ ଏପ୍ରିଲ ୫ରେ ଖାରଜ କରିଥିଲେ। ଏହି ନିର୍ଦ୍ଦେଶ ବିରୋଧରେ ଲୋକାୟୁକ୍ତ କାର୍ଯ୍ୟାଳୟର ସଚିବଙ୍କ ତରଫରୁ ସୁପ୍ରିମକୋର୍ଟରେ ଏସ୍‌ଏଲ୍‌ପି ଦାୟର କରାଯାଇଥିଲା। ହାଇକୋର୍ଟଙ୍କ ଏକ ୬ ପୃଷ୍ଠାର ରିଭ୍ୟୁ ଖାରଜ ନିର୍ଦ୍ଦେଶକୁ ଏସ୍‌ଏଲ୍‌ପିରେ ଚାଲେଞ୍ଜ କରାଯାଇଥିଲା। ଏହି ମାମଲାରେ ୨ ପୃଷ୍ଠାର ଆଦେଶ ହାଇକୋର୍ଟ ପ୍ରଦାନ କରିଥିବା ବେଳେ ୬ ପୃଷ୍ଠାର କପି କେଉଁଠାରୁ ଆସିଲା ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି। ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ଅର୍ଡର କେବେ ବି ପାସ୍ ହୋଇନାହିଁ। କରୋନା ମହାମାରୀ ସଂକ୍ରମଣ ସମୟରେ ହାଇକୋର୍ଟଙ୍କ ୱେବସାଇଟ୍‌ରେ ସବୁ ନିର୍ଦ୍ଦେଶର କପି ଅପଲୋଡ୍‌ ହେଉଥିଲା। କିନ୍ତୁ ଏପରି କିଛି ନିର୍ଦ୍ଦେଶ ନାହିଁ। ଏହି ନିର୍ଦ୍ଦେଶ କିଏ ଦେଲା, କି ନିଜେ ତଆରି କଲେ, କୋଉଠୁ ଆଣିଲେ ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି।

ସୁପ୍ରିମକୋର୍ଟରେ ଜାଲ ନିର୍ଦ୍ଦେଶ ଦାଖଲ କରାଯାଇଛି। ଭୁଲ ସତ୍ୟପାଠ ଲୋକାୟୁକ୍ତଙ୍କ ସଚିବ ଦାଖଲ କରିଛନ୍ତି। ଏହାକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ଅବମାନନା ଭାବେ ଗ୍ରହଣ କରାଯିବା ଉଚିତ ‌ବୋଲି ଦର୍ଶାଇ ଶ୍ରୀ ପାଣିଗ୍ରାହୀଙ୍କ ପକ୍ଷରୁ ବୁଧବାର ହାଇକୋର୍ଟରେ ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ ଅଜିତ କୁମାର ସିଂ ଓ ସଚିବ ମାନସ ରଂଜନ ତ୍ରିପାଠୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଦାୟର କରାଯାଇଛି। ଅବମାନନା ମାମଲା ବିଚାରାଧୀନ ଥିବାବେଳେ ପ୍ରତିପକ୍ଷଙ୍କ ପଦରେ ରହିବା ଓ କାର୍ଯ୍ୟ ସଂପାଦନା କରିବା ପ୍ରସଂଗରେ ଅଙ୍କୁଶ ଜାରି କରାଯାଉ ବୋଲି ପିଟିସନ‌େର କୁହାଯାଇଛି। ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ଆଇନଜୀବୀ ସୁଜାତା ପାଣିଗ୍ରାହୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର