କଟକ: ବ୍ରହ୍ମପୁରସ୍ଥିତ ପ୍ରେସ କ୍ଲବର କର୍ମକର୍ତ୍ତା ନିର୍ବାଚନ ପ୍ରସଂଗକୁ ନେଇ ରହିଥିବା ଅଭିଯୋଗ ଉପରେ ବିଚାର କରି ନିଷ୍ପତ୍ତି ନେବାକୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ସ୍ମାରକପତ୍ର (ରିପ୍ରେଜେନଟେସନ୍) ଉପରେ ତିନି କାର୍ଯ୍ୟ ଦିବସ ଭିତରେ ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ କହିଛନ୍ତି। ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ କେ.ସନ୍ତୋଷ ପାତ୍ର ଓ ଅନ୍ୟ ଜଣଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ବ୍ରହ୍ମପୁରସ୍ଥିତ ପ୍ରେସ କ୍ଲବ ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ନେଇ ଆବେଦନକାରୀ ଜୁଲାଇ ୨୯ରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ। ସ୍ମାରକପତ୍ର ଜିଲ୍ଲାପାଳଙ୍କ ନିକଟରେ ବିଚାରାଧୀନ ଥିବା ବେଳେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆଜି ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ପ୍ରେସ କ୍ଲବ କର୍ମକର୍ତ୍ତା ନିର୍ବାଚନ ପାଇଁ ଅଗଷ୍ଟ ୧୧ ତାରିଖ ଧାର୍ଯ୍ୟ କରାଯାଇଛି। ପ୍ରେସ କ୍ଲବର କେତେକ ସଦସ୍ୟ ନିଜ ଆଡୁ ସେମାନଙ୍କୁ ନିର୍ବାଚନ କମିଟି ସଦସ୍ୟ ଭାବେ ଘୋଷଣା କରିଥିଲେ। ଏଥି ସହିତ କର୍ମକର୍ତ୍ତା ନିର୍ବାଚନରେ ଅଂଶ ଗ୍ରହଣ କରିବାକୁ ଥିବା ସଦସ୍ୟଙ୍କ ତାଲିକା ପ୍ରକାଶ କରାଯାଇଥିଲା। ଏ ନେଇ ପ୍ରେସ କ୍ଲବର ଅନ୍ୟ ସମସ୍ତ ସଦସ୍ୟଙ୍କୁ ଅବଗତ କରାଯାଇ ନଥିଲା। ବିଶେଷ କରି ପ୍ରେସ କ୍ଲବ ପ୍ରତିଷ୍ଠା ସମୟର ମୂଳ ସଦସ୍ୟଙ୍କୁ ଏ ସଂକ୍ରାନ୍ତରେ କିଛି ବି ସୂଚନା ଦିଆଯାଇ ନଥିଲା ବୋଲି ଆବେଦନକାରୀ ଅଭିଯୋଗ କରିଥିଲେ।