ଗୁଣିଗାରେଡି ଅପରାଧ ଦୃଢ ହସ୍ତରେ ଦମନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ଗୁଣିଗାରେଡି ଓ ଡାହାଣୀ ଭଳି ଧର୍ତ୍ତବ୍ୟ ଅପରାଧକୁ ଦୃଢ ହସ୍ତରେ ଦମନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ମାମଲା ବିଚାରରେ ଅଦାଲତ ବାସ୍ତବତା ସହିତ ଏପରି ଆକ୍ରୋ‌ଶର ଶିକାର ପୀଡ଼ିତଙ୍କ ମାନସିକ ସ୍ଥିତି ବିଷୟରେ ଅବଗତ ହେବା ଉଚିତ ବୋଲି ଗୁଣିଗାରେଡିରୁ ହତ୍ୟା ଘଟଣାରେ ଦାୟର ନିୟମିତ ଜାମିନ ଆବେଦନର ଶୁଣାଣି କରି ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ଏପରି ରାୟ ପ୍ରଦାନ କରିଛନ୍ତି।

ରାୟରେ ଉଲ୍ଲେଖ କରାଯାଇଛି ଯେ, ଦେଶର ଅଧିକାଂଶ ଅଞ୍ଚଳରେ ବିଶେଷ କରି ଝାଡ଼ଖଣ୍ଡ, ବିହାର, ହରିୟାନା, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ଓଡ଼ିଶା, ଛତିଶଗଡ଼, ଆସାମ, ରାଜସ୍ଥାନ, ଉତ୍ତରପ୍ରଦେଶରେ ଗୁଣିଗାରେଡି ଜନିତ ଅପରାଧ ଘଟଣା ବହୁଳ ଭାବେ ଦେଖାଯାଉଛି। ନ୍ୟାସନାଲ କ୍ରଇମ ରେକର୍ଡସ୍ ବ୍ୟୁରୋ ତଥ୍ୟ ଅନୁସାରେ ୨୦୦୦ରୁ ୨୦୧୬ ମଧ୍ୟରେ ଅଢେଇ ହଜାରରୁ ଅଧିକ ପୀଡିତ ଗୁଣିାଗରେଡି ଘଟଣାରେ ନିର୍ଯାତିତ ହୋଇ ମୃତ୍ୟୁମୁଖରେ ପଡିଥିଲେ। ଗୁଣିଗାରେଡି ଓ ଡାହାଣୀ ଭଳି ଅପରାଧ ସମାଜର ପଛୁଆ ବର୍ଗ ବିଶେଷ କରି ଆଦିବାସୀ ବର୍ଗର ବିବେକ ତଥା ହିତାହିତ ଜ୍ଞାନକୁ ଶକ୍ତ ଧକ୍କା ଦେଇଛି। ଏଭଳି ପ୍ରଥାରେ ବିଶ୍ବାସ ଯୋଗୁଁ ନିରୀହ ଲୋକ ଅନେକ ସମୟରେ ଛଳନାକାରୀଙ୍କ ଶୋଷଣର ଶିକାର ହେଉଛନ୍ତି। ଏଭଳି ଘଟଣାକୁ କଠୋର ହସ୍ତରେ ଦମନ କରିବା ଉଚିତ ବୋଲି ଖଣ୍ଡପୀଠ ରାୟ ଦେଇଛନ୍ତି। ଏଥି ସହିତ ଆବେଦନକାରୀ ଜିତୁ ମୁର୍ମୁ ଓରଫ ସୁକୁଲ ମୁର୍ମର ଜାମିନ ଆବେଦନ ଖଣ୍ଡପୀଠ ଖାରଜ କରିଛନ୍ତି।

ସମ୍ବନ୍ଧିତ ଖବର