କଟକ: ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ତାର ଚାବି ହଜିବା ଘଟଣାର ତଦନ୍ତ କରି ଜଷ୍ଟିସ୍‌ ରଘୁବୀର ଦାଶ କମିସନ୍ ଦାଖଲ କରିଥିବା ରିପୋର୍ଟର ସାନି ସ୍ଥିତି ପ୍ରସଂଗରେ ହାଇକୋର୍ଟ ଜବାବ ତଲବ କରିଛନ୍ତି। କମିସନ୍‌ ଦାଖଲ କରିଥିବା ରିପୋର୍ଟର ଏବେ କଣ ସ୍ଥିତି ରହିଛି ସେ ନେଇ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଦିଲ୍ଲୀପ କୁମାର ବରାଳଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ମୁଖ୍ୟ ଶାସନ ସଚିବ, ଆଇନ ସଚିବ ଓ ଗୃହ ସଚିବଙ୍କୁ ନୋଟିସ୍ ଜାରି କରିବା ସହିତ ଜୁଲାଇ ୧ ସୁଦ୍ଧା କମିସନ୍‌ ଦାଖଲ କରିଥିବା ରିପୋର୍ଟର ସାନି ସ୍ଥିତି ‌ସଂପର୍କରେ ଅବଗତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୧୦କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

Advertisment

ହାଇକୋର୍ଟରେ ଦାୟର ଆବେଦନରେ ଉଲ୍ଲେଖ କରାଯାଇଛି ଯେ, ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ତାରେ ଶ୍ରୀଜିଉଙ୍କ ବହୁ ମଲ୍ୟବାନ ସୁନା ଗହଣା, ରତ୍ନ ପଥର ରହିଛି। ଶ୍ରୀଜିଉଙ୍କ ବେଶରେ ବ୍ୟବହାର କରାଯାଉଥିବା ଅଳଙ୍କାର ବାହାର ରତ୍ନଭଣ୍ଡାରରେ ରହୁଥିବା ବେଳେ ଏହା ନିୟମିତ ଖୋଲା ଯାଉଛି। କିନ୍ତୁ ଭିତର ରତ୍ନଭଣ୍ଡାର ବହୁ ବର୍ଷ ହେବ ଖୋଲା ଯାଇ ନାହିଁ। ଭିତର ରତ୍ନଭଣ୍ଡାରର ସ୍ଥିତି ଭଲ ନାହିଁ ବୋଲି ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷରେ ୨୦୧୮ରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଂଗକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ଚାବି ହଜିବା ପ୍ରସ˚ଗକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ସରକାର ଘୋଷଣା କରିଥିଲେ। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ରଘୁବୀର ଦାଶଙ୍କୁ କମିସନ୍‌ଙ୍କ ଅଧୢକ୍ଷ ଭାବେ ଦାୟିତ୍ବ ପ୍ରଦାନ କରାଯାଇଥିଲା। ୨୦୧୮, ଜୁନ୍‌ ୮ରେ ଗୃହ ବିଭାଗ ପକ୍ଷରୁ ତଦନ୍ତର ‘ଟର୍ମ ଅଫ୍‌ ରେଫରେନ୍ସ ପ୍ରକାଶ ପାଇଥିଲା। ତଦନ୍ତ ପରେ କମିସନ୍‌ ୨୦୧୮, ନଭେମ୍ବର ୨୯ରେ ସରକାରଙ୍କୁ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିଥିଲେ। ଏହି ରିପୋର୍ଟରେ ରତ୍ନ ଭଣ୍ଡାର ଚାବି ହଜିବା ରହସ୍ୟ ରହିଛି। କିନ୍ତୁ ସରକାର ଏହି ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରୁ ନାହାନ୍ତି। ରିପୋର୍ଟକୁ ସାର୍ବଜନୀନ ମଧ୍ୟ କରାଯାଉ ନାହିଁ। ଏଭଳି ସ୍ଥିତିରେ ରତ୍ନଭଣ୍ଡାରର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଆଗେଇ ପାରୁ ନାହିଁ। ବର୍ତ୍ତମାନ ବିପଦରେ ରହିଛି ରତ୍ନଭଣ୍ଡାର। କମିସନ୍‌ ଅଫ୍ ଇନକ୍ବାରି ଆଇନ, ୧୯୫୨ର ଧାରା ୩(୪) ଅନୁସାରେ ଜଷ୍ଟିସ୍‌ ରଘୁବୀର ଦାଶ କମିସନ୍‌ଙ୍କ ରିପୋର୍ଟ ପ୍ରସଂଗରେ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ରତ୍ନଭଣ୍ଡାର ଭିତରେ ରହିଥିବା ସୁନା, ଅଳଙ୍କାର, ରତ୍ନ ପଥର ଓ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷର ଯାଞ୍ଚ କରାଯାଇ ଏହାର ତାଲିକା ପ୍ରସ୍ତୁତ କରାଯିବା ଉଚିତ ବୋଲି ମଧ୍ୟ ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅନୁପ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।