ଅଦାଲତ ଅବମାନନା ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେଲେ ସଚିବ, ସର୍ବୋଚ୍ଚ ଯନ୍ତ୍ରୀଙ୍କ ଦରମା ବନ୍ଦ

କଟକ: ସୁପ୍ରିମକୋର୍ଟରେ ସରକାରଙ୍କ ଆବେଦନ ତିନି ବର୍ଷ ପୂର୍ବରୁ ଖାରଜ ହେବାପରେ ମଧ୍ୟ ୧୯୯୯, ନଭେମ୍ବର ୧୬ରେ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ (ସ୍ୟାଟ୍) ପ୍ରଦାନ କରିଥିବା ରାୟ କାର୍ଯ୍ୟକାରୀ ହୋଇ ନଥିବାରୁ  ହାଇକୋର୍ଟ ଅସନ୍ତୋଷବ୍ୟକ୍ତ କରିଛନ୍ତି। ପ୍ରତିପକ୍ଷ ସରକାରୀ ଅଧିକାରୀ ଅଦାଲତ ଅବମାନନା ଦୋଷ କରିଛନ୍ତି ବୋଲି ହାଇକୋର୍ଟ କହିଛନ୍ତି। କିନ୍ତୁ ଅଦାଲତ ଅବମାନନା ପାଇଁ ଦଣ୍ଡିତ ନ କରି ସରକାରୀ ଅଧିକାରୀଙ୍କୁ ହାଇକୋର୍ଟ ଆଉ ଏକ ସୁଯୋଗ ଦେଇଛନ୍ତି। ସ୍ୟାଟ୍‌ଙ୍କ ୧୯୯୯, ନଭେମ୍ବର ୧୬ର ନିର୍ଦ୍ଦେଶ ୨୦୨୧, ଅଗଷ୍ଟ ୩୧ ସୁଦ୍ଧା କାର୍ଯ୍ୟକାରୀ କରାଯିବ। ନଚେତ୍‌ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ପର୍ଯ୍ୟନ୍ତ ରାଜ୍ୟ ଜଳ ସଂପଦ ବିଭାଗ ସଚିବ ଓ ଜଳସେଚନ ଇଂଜିନିୟର-ଇନ୍-ଚିଫ୍‌ (ସର୍ବୋଚ୍ଚ ଯନ୍ତ୍ରୀ)ଙ୍କ ଦରମା ବନ୍ଦ ରଖାଯିବ। ଯଦି ପୂର୍ବ ନିର୍ଦ୍ଦେଶ ଅଗଷ୍ଟ ୩୧ ସୁଦ୍ଧା କାର୍ଯ୍ୟକାରୀ କରାଯାଏ ତେବେ ଦୁଇ ଅଧିକାରୀଙ୍କ ଦରମା ବନ୍ଦ ପ୍ରସଂଗରେ ପ୍ରଦାନ କରାଯାଇଥିବା ଆଦେଶ ଲାଗୁ କରାଯିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମନୋହର ସାହୁ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ୧୩ଟି ଅଦାଲତ ଅବମାନନା ମାମଲାର ଏକତ୍ର ଶୁଣାଣି କରି ଏପରି ରାୟ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଜଳସେଚନ ବିଭାଗର ବିଭିନ୍ନ କାର୍ଯ୍ୟାଳୟରେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା ଆବେଦନକାରୀଙ୍କ ଚାକିରି ନିୟମିତ ପ୍ରସଂଗ ନେଇ ସ୍ୟାଟରେ ୧୯୯୯ରେ ଏକାଧିକ ମାମଲା ରୁଜୁ ହୋଇଥିଲା। ଆବେଦନକାରୀଙ୍କ ୫ ବର୍ଷ କାର୍ଯ୍ୟକାଳ ପୂରଣ କ୍ଷେତ୍ରରେ  ସେମାନଙ୍କ ଚାକିରି ନିୟମିତ ପ୍ରସଂଗରେ ୬ ମାସ ଭିତରେ ପଦକ୍ଷେପ ଗ୍ରହଣ ପାଇଁ ସ୍ୟାଟ୍ ୧୯୯୯, ନଭେମ୍ବର ୧୬ରେ ରାୟ ଦେଇଥିଲେ। ଏଥିସହିତ ନିୟମିତ ପଦବିରେ ନିଯୁକ୍ତି ପରେ ଆବେଦନକାରୀଙ୍କୁ ଇନକ୍ରିମେଣ୍ଟ ଓ ସଂଶୋଧିତ ଦରମା ପ୍ରଦାନ କରାଯିବ ବୋଲି ସ୍ୟାଟ୍ କହିଥିଲେ। ଏହି ରାୟର ପୁନର୍ବିଚାର ପାଇଁ ସରକାର ଦାଖଲ କରିଥିବା ଆବେଦନକୁ ସ୍ୟାଟ୍ ୨୦୧୫, ଜୁଲାଇ ୧୩ରେ ଖାରଜ କରିଥିଲେ। ଏହାପରେ ସ୍ୟାଟଙ୍କ ନିର୍ଦ୍ଦେଶ ବିରୋଧରେ ସରକାର ହାଇକୋର୍ଟରେ ଦାଖଲ କରିଥିବା ଆବେଦନ ୨୦୧୮, ଜାନୁଆରି ୮ରେ ଖାରଜ ହୋଇଥିଲା। ହାଇକୋର୍ଟଙ୍କ ରାୟ ବିରୋଧରେ ସରକାରଙ୍କ ପକ୍ଷରୁ ଦାୟର ଏସଏଲପିକୁ ସୁପ୍ରିମକୋର୍ଟ ୨୦୧୮, ଜୁଲାଇ ୩୦ରେ ଖାରଜ କରିଥିଲେ। ସୁପ୍ରିମକୋର୍ଟରେ ହାଇକୋର୍ଟ ଓ ସ୍ୟାଟଙ୍କ ରାୟ କାଏମ ରହିଥିଲା। କିନ୍ତୁ ସୁପ୍ରିମକୋର୍ଟରେ ଏସଏଲପି ଖାରଜ ହେବାର ପ୍ରାୟ ୩ ବର୍ଷ ପରେ ମଧ୍ୟ ସରକାର ୧୯୯୯, ନଭେମ୍ବର ୧୬ର ନିର୍ଦ୍ଦେଶ କାର୍ଯ୍ୟକାରୀ କରି ନଥିଲେ ବୋଲି ଆଜି ହାଇକୋର୍ଟରେ ଏ ସଂପର୍କିତ ଅଦାଲତ ଅବମାନନା ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସଦାଶିବ ପାତ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର