ସ୍କୁଲ ଫି ଛାଡ଼ ମାମଲା ଶୁଣାଣି ଶେଷ: ଗଣଶିକ୍ଷା ସଚିବଙ୍କ ରିପୋର୍ଟ ଦାଖଲ, ୭ଟି ପର୍ଯ୍ୟାୟରେ ସ୍କୁଲ ଫି ଛାଡ଼ ପାଇଁ ରହିଛି ପ୍ରସ୍ତାବ

କଟକ: ସ୍କୁଲ ଫି’ ଛାଡ ସଂପର୍କିତ ମାମଲାରେ ଆଜି ସରକାରଙ୍କ ପକ୍ଷରୁ  ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ସଂପର୍କରେ ରିପୋର୍ଟ ଦାଖଲ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଭିଭାବକ ମହାସଂଘର ପ୍ରତିନିଧି, ହାଇକୋର୍ଟରେ ମାମଲା ଦାୟର କରିଥିବା ଆବେଦନକାରୀଙ୍କ ପ୍ରତିନିଧି, ଓଡ଼ିଶା ଘରୋଇ ସ୍କୁଲ ଶିକ୍ଷକ ସଂଘର ପ୍ରତିନିଧି ଓ କନଫେଡେରେସନ୍ ଅଫ୍ ପବ୍ଲିକ୍ ସ୍କୁଲର ପ୍ରତିନିଧି ଯୋଗ ଦେଇଥିଲେ।
ବୈଠକରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଅନୁସାରେ ସ୍କୁଲ ଫି କିଛି ଅଂଶରେ ଛାଡ କରାଯିବା ପାଇଁ ସୁପାରିସ କରାଯାଇଛି। ୭ଟି ସ୍ଲାବରେ ସ୍କୁଲ ଫି ଛାଡ଼ ପାଇଁ ପ୍ରସ୍ତାବ ରହିଛି। ଯଦି ବାର୍ଷିକ ଟିଉସନ୍ ଫି ୬ ହଜାର ଟଙ୍କା ପର୍ଯ୍ୟନ୍ତ ସ୍କୁଲ ନେଉଥାଏ ତେବେ ଏଥିରେ କିଛି ଛାଡ଼ କରାଯିବ ନାହିଁ। ୬୦୦୧ରୁ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ଟିଉସନ୍ ଫି ଉପରେ ୭.୫ ପ୍ରତିଶତ, ୧୨୦୦୧ରୁ ୨୪ ହଜାର ପର୍ଯ୍ୟନ୍ତ ୧୨ ପ୍ରତିଶତ, ୨୪,୦୦୧ରୁ ୪୮ ହଜାର ପର୍ଯ୍ୟନ୍ତ ୧୫ ପ୍ରତିଶତ, ୪୮୦୦୧ରୁ ୭୨ ହଜାର ପର୍ଯ୍ୟନ୍ତ ୨୦ ପ୍ରତିଶତ, ୭୨୦୦୧ରୁ ୧ ଲକ୍ଷ ପର୍ଯ୍ୟନ୍ତ ୨୫ ପ୍ରତିଶତ ଓ ଏହାପରେ ୨୬ ପ୍ରତିଶତ ଟିଉସନ୍ ଫି ଛାଡ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି।
ଏଥି ସହିତ ପରିବହନ ଓ ଖାଦ୍ୟ ବାବଦ ଖର୍ଚ୍ଚ ମନ ଇଚ୍ଛା ସ୍କୁଲ ପକ୍ଷରୁ ଆଦାୟ କରା ନ ଯାଇ ପ୍ରକୃତ ସ୍ଥିତିକୁ ଦେଖି ନିଆଯିବ। ହଷ୍ଟେଲ ଫି ୩୦ ପ୍ରତିଶତ ଛାଡ କରାଯିବ। ଆକ୍ଟିଭିଟି ଫି, ଲଣ୍ଡ୍ରି ଫି, ଏକ୍ସଟର୍ନାଲ ଏକ୍‌ଜାମ ଫି, ୟୁନିଫର୍ମ ଫି, କନଭେୟାନ୍ସ ଫି, ଏଜୁକ୍ୟୁରିସନ୍ ଫି, ରିଆଡମିସନ୍ ଫି, ଡେଭେଲପମେଣ୍ଟ ଫି, ଆନୁଆଲ ଫି ଏହି ମହାମାରୀ ସମୟରେ ସ୍କୁଲ ଖୋଲିବା ପର୍ଯ୍ୟନ୍ତ ନିଆଯିବ ନାହିଁ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏହି ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତିରେ ୧୫ ଜଣ ସଦସ୍ୟଙ୍କ ମଧ୍ୟରୁ ୧୪ଜଣ ସମ୍ମତି ପ୍ରକାଶ କରିଥିବା ବେଳେ ରିଟ୍ ପିଟିସନ୍ ନମ୍ବର.୧୧୨୯୯/୨୦୨୦ର ଆବେଦନକାରୀଙ୍କ ପ୍ରତିନିଧି ସମ୍ମତି ପ୍ରଦାନ କରି ନଥିଲେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ରିପୋର୍ଟରେ ଅନୁଷ୍ଠିତ ବୈଠକ‌ର ବିବରଣୀ ସଂପର୍କରେ ଯେଉଁ ତଥ୍ୟ ପ୍ରଦାନ କରାଯାଇଛି ସେଥିରେ ଉଲ୍ଲେଖ କରାଯାଇଛି ଯେ ଅଭିଭାବକ ମହାସଂଘ ପକ୍ଷରୁ କୁହାଯାଇଥିଲା ସିବିଏସଇ, ଆଇସିଏସଇ ଓ ବିଏସଇ ସିଲାବସରୁ ୩୦ ପ୍ରତିଶତ କୋର୍ସ କମାଇବାକୁ କହିଛନ୍ତି। ଏଥି ସହିତ ସ୍କୁଲ କର୍ତ୍ତୃପକ୍ଷ ଡେଭେଲପମେଣ୍ଟ ଫି, ସେସନ ଫି, ସ୍କାର୍ଟ କ୍ଲାସ ଫି, ହର୍ସ ରାଇଡିଂ ଫି ପ୍ରଭୃତି ନେଉଛନ୍ତି। ଦିଲ୍ଲୀ ଓ ଝାଡଖଣ୍ଡ ହାଇକୋର୍ଟ ୧୫ ପ୍ରତିଶତ ଫି କମାଇବାକୁ ରାୟ ଦେଇଛନ୍ତି। ଅଭିଭାବକମାନେ ୬ ମାସ ହେବ ନିଜ ଆୟ ପନ୍ଥା ହରାଇଛନ୍ତି ଓ ଏପରି ପରିସ୍ଥିତିରେ ସ୍କୁଲ ଫି ଛାଡ କରାଯିବା ଉଚିତ। ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଥିଲା ଯେ ସେମାନେ ୬ ମାସ ହେବ ୫୦ ପ୍ରତିଶତ ଦରମା ପାଉଛନ୍ତି।
ଅଭିଭାବକମାନେ ସ୍କୁଲ ଫି ଛାଡ଼ ପାଇଁ କହୁଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ଫି ଆଦାୟ ନ ହେଲେ ଦରମା କେମିତି ଦେବେ ବୋଲି କହୁଛନ୍ତି। ଶିକ୍ଷକମାନେ ବହୁ ବାଧା ଭିତରେ ଅନ୍ ଲାଇନ କ୍ଲାସ ନେଉଛନ୍ତି। ଏହି ସମସ୍ୟା ସମାଧାନର ଦାୟିତ୍ବ ଉଭୟ ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ବୋଲି ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଥିଲା। ଘରୋଇ ସ୍କୁଲ ଗୁଡିକ ପକ୍ଷରୁ ଦର୍ଶାଯାଇଥିଲା ଯେ ଆଦାୟ ହେଉଥିବା ଫିର ପ୍ରାୟ ୯୦ରୁ ୯୫ ପ୍ରତିଶତ ଶିକ୍ଷକ ଓ କର୍ମଚାରୀଙ୍କ ଦରମା ବାବଦରେ ଖର୍ଚ୍ଚ ହେଉଛି ଓ ଏପରି ପରିସ୍ଥିତିରେ ସ୍କୁଲ ଫି ଛାଡ କରା ନଯାଉ। ଅନ୍ୟପକ୍ଷରେ ଆଲୋଚନା ପରେ ସ୍କୁଲ ଫି ଛାଡ଼ ପ୍ରସଂଗରେ ଉପରୋକ୍ତ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।
ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ମାମଲାର ଶୁଣାଣି ସମୟରେ କେତେକ ଘେରାଇ ସ୍କୁଲ ପକ୍ଷରୁ ଏପରି ରିପୋର୍ଟକୁ ବିରୋଧ କରାଯାଇଥିଲା। ଦର୍ଶାଯାଇଥିଲା ଯେ ଏପରି ଆଲୋଚନାରେ ସେମାନେ ପକ୍ଷ ନଥିବା ବେଳେ ସ୍କୁଲ ଫି ଛାଡ଼ ସଂପର୍କିତ ପ୍ରସ୍ତାବ ଗ୍ରହଣୀୟ ନୁହେଁ। ଅନ୍ୟପକ୍ଷରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଘରୋଇ ସ୍କୁଲ ସଂଘ, ଶିକ୍ଷକ ସଂଘ, ଆବେଦନକାରୀଙ୍କ ପ୍ରତିନିଧି ଓ ଗଣଶିକ୍ଷା ସଚିବଙ୍କ ମଧ୍ୟରେ ଅନୁଷ୍ଠିତ ବୈଠରେ ଏହି ପ୍ରସଂଗର ଆପୋସରେ ସମାଧାନ ପାଇଁ ଉଦ୍ୟମ କରାଯାଇ ଏପରି ପ୍ରସ୍ତାବ ଗ୍ରହଣ କରାଯାଇଛି ଓ ଏହା ସମସ୍ତଙ୍କ ପାଇଁ ଗ୍ରହଣୀୟ ହେବା ଉଚିତ। ଖଣ୍ଡପୀଠ ଆଇନଜୀବୀ ମହମ୍ମଦ ମୁସ୍ତାକ ଅନସାରୀ, ପ୍ରହଲ୍ଲାଦ ରାଉତ ଓ ଓଡ଼ିଶା ଅଭିଭାବକ ମହାସଂଘ ଆବେଦନର ଶୁଣାଣି ଶେଷ କରି ସମସ୍ତ ପକ୍ଷଙ୍କୁ ଲିଖିତ ଯୁକ୍ତି ଦାଖଲ ପାଇଁ ଆଜି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ସ୍କୁଲ ଫି ଛାଡ ପ୍ରସଂଗକୁ ନେଇ ହାଇକୋର୍ଟରେ ତିନୋଟି ମାମଲା ରୁଜୁ ହୋଇଥିବା ବେଳେ ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଘରୋଇ ସ୍କୁଲ ସଂଘ କନଫେଡେରେସନ୍ ଅଫ୍ ଓଡ଼ିଶା ପବ୍ଲିକ୍ ସ୍କୁଲ୍‌ସ୍‌ ଓ ସ୍କୁଲ ଶିକ୍ଷକ ସଂଘ ପିଟିସନ୍ ଦାଖଲ କରିଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି କେନ୍ଦ୍ର, ରାଜ୍ୟ ସରକାର, ସିବିଏସଇ ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ। ଏଥି ସହିତ ଅନ୍-ଲାଇନ ପାଠପଢା ସୁବିଧା ଥିବା ସ୍କୁଲର କୌଣସି ଛାତ୍ରଛାତ୍ରୀ ଯେଭଳି ଇ-କ୍ଲାସ୍‌ରୁ ବଞ୍ଚିତ ହେବେ ନାହିଁ, ସେଥିପାଇଁ ମେ’୧୨ରେ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଛାତ୍ରଛାତ୍ରୀଙ୍କୁ ୨୦୨୦, ମାର୍ଚ୍ଚ ମାସ ଠାରୁ ଜୁନ ମାସ ପର୍ଯ୍ୟନ୍ତ ସ୍କୁଲ ଫି’ ଛାଡ ପାଇଁ ସମସ୍ତ ଘରୋଇ, ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଦର୍ଶାଇ ଆଇନଜୀବୀ ମହମ୍ମଦ ମୁସ୍ତାକ ଅନସାରୀ, ଭୁବନେଶ୍ବରର ପ୍ରହଲ୍ଲାଦ ରାଉତ ଓ ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ହାଇକୋର୍ଟରେ ପୃଥକ ମାମଲା ଦାୟର କରିଥିଲେ। ଯେତେବେଳ ପର୍ଯ୍ୟନ୍ତ ସ୍ବାଭାବିକ ପରିସ୍ଥିତି ନ ଫେରିଛି ସେତେବେଳ ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କ ନିକଟରୁ ଫି ଆଦାୟ କରିବା ଉଚିତ ନୁହେଁ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଭି.ନରସିଂହ, ବିଭୁତି ଭୂଷଣ ଚୌଧୁରୀ, ଆଇନଜୀବୀ ରଂଜନ କୁମାର ରାଉତ, ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା, କନଫେଡେରେସନ୍ ଅଫ୍ ଓଡ଼ିଶା ପବ୍ଲିକ୍ ସ୍କୁଲ୍‌ସ୍‌ ତରଫରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ଓ ଅନ୍ୟ ପ୍ରତିପକ୍ଷଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଅଶୋକ ମହାନ୍ତି ମାମଲା ପରିଚାଳନା କରୁଛନ୍ତି।
ସମ୍ବନ୍ଧିତ ଖବର