କଟକ: ୨୦୨୫ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ସରକାରୀ ରକ୍ତ ଭଣ୍ଡାରରେ ନ୍ୟୁକ୍ଲିକ୍ ଏସିଡ ଟେଷ୍ଟ (ନାଟ୍) ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ଦୁଇ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ରାଜ୍ୟରେ ୫୬ଟି ସରକାରୀ ରକ୍ତ ଭଣ୍ଡାର ରହିଥିବା ବେଳେ ଏବେ ମାତ୍ର ୧୧ଟିରେ ନ୍ୟୁକ୍ଲିକ୍ ଏସିଡ ଟେଷ୍ଟିଂ (ନାଟ୍) ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ୨୦୨୫, ମାର୍ଚ୍ଚ ଶେଷ ସୁଦ୍ଧା ଅବଶିଷ୍ଟ ୪୫ଟି ରକ୍ତଭଣ୍ଡାର ବା ରକ୍ତସଂଗ୍ରହ କେନ୍ଦ୍ରରେ ନାଟ୍ ପରୀକ୍ଷା ସୁବିଧା ଉପଲବ୍ଧ ହେବ ବୋଲି ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ଏଥିପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁମୋଦନ କରିଛି। ଅବଶିଷ୍ଟ ୪୫ଟି ସ୍ଥାନରେ ନାଟ୍ ପରୀକ୍ଷା ବ୍ୟବସ୍ଥା ପାଇଁ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ।
ଏହି ଅର୍ଥ ମଂଜୁର ପାଇଁ ପ୍ରକ୍ରିୟା ଜାରି ରହିଛି। ତେବେ ଏକକାଳୀନ ସମସ୍ତ କେନ୍ଦ୍ରରେ ଏହି ଅତ୍ୟାଧୁନିକ ପରୀକ୍ଷା ସୁବିଧା କରାଯିବା ପାଇଁ ସରକାରୀ ସ୍ତରରେ ଯୋଜନା ରହିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବଙ୍କ ସତ୍ୟପାଠରେ ଦର୍ଶାଯାଇଥିଲା। ସତ୍ୟପାଠ ଅନୁସାରେ ୨୦୨୫, ମାର୍ଚ୍ଚ ସୁଦ୍ଧା ଅବଶିଷ୍ଟ ୪୫ଟି ରକ୍ତଭଣ୍ଡାରରେ ନାଟ୍ ସୁବିଧା ଉପଲବ୍ଧ କରିବା ପାଇଁ ହାଇକୋର୍ଟ ଆଜି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହ ଏ ସଂପର୍କିତ ଦୁଇ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମାନବାଧିକାର କର୍ମୀ ଆଇନଜୀବୀ ପ୍ରବୀର ଦାସ ଓ ଅମିତ ଅଭିଜିତ ସାମଲଙ୍କ ପକ୍ଷରୁ ଦାୟର ଦୁଇ ଜନସ୍ବାର୍ଥ ମାମଲାର ଏକତ୍ର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ମାମଲାରେ ସରକାରଙ୍କ ତରଫରୁ ପୂର୍ବରୁ ଦାଖଲ ତଥ୍ୟରେ ଉଲ୍ଲେଖ କରାଯାଇଥିଲା ଯେ ଆଇନ ଅନୁସାରେ ସବୁ ଧରଣର ଟ୍ରାନ୍ସଫ୍ୟୁଜନ ଟ୍ରାନ୍ସମିଟେଡ୍ ଇନଫେକ୍ସନ (ଟିଟିଆଇ)ରୁ ରକ୍ତକୁ ମୁକ୍ତ ରଖିବାକୁ ସଂଗୃହୀତ ରକ୍ତର ଏଲିସା ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ଆଇନ ଅନୁସାରେ ନାଟ୍ ଟେଷ୍ଟିଂ ବାଧ୍ୟତାମୂଳକ ନୁହେଁ। ଗୋଟିଏ ଏଲିସା ଟେଷ୍ଟ ପାଇଁ ୭୦ ଟଙ୍କା ଓ ନାଟ୍ ଟେଷ୍ଟିଂ ପାଇଁ ୯ଶହ ଟଙ୍କା ଖର୍ଚ୍ଚ ହେଉଛି। ଏଲିସା ଟେଷ୍ଟ ପାଇଁ ଚାରି ଘଣ୍ଟା ଓ ନାଟ୍ ଟେଷ୍ଟ ଫଳାଫଳ ପାଇବାକୁ ଆଉ ୬ ଘଣ୍ଟା ସମୟ ଲାଗୁଛି। ଅନ୍ୟପକ୍ଷରେ ବ୍ଲଡ୍ ବ୍ୟାଙ୍କରୁ ମିଳୁଥିବା ରକ୍ତ ନେଇ ଜଣେ ବ୍ୟକ୍ତି ଏଚଆଇଭି ବା ଅନ୍ୟ ରୋଗରେ ସଂକ୍ରମିତ ହେବାର ସମ୍ଭାବନା ରହିଛି। ଏଲିସା ଟେଷ୍ଟରେ ଏଚଅାଇଭି ଭଳି ମାରାତ୍ମକ ରୋଗ କେତେକ କ୍ଷେତ୍ରରେ ଧରାପଡୁ ନାହିଁ। ଏଥି ପାଇଁ ବ୍ଲଡ ବ୍ୟାଙ୍କ ଗୁଡିକରେ ରକ୍ତର ନାଟ୍ ଟେଷ୍ଟ କରାଯିବାର ଆବଶ୍ୟକତା ରହିଛି ବୋଲି ଦର୍ଶାଇ ଜନସ୍ବାର୍ଥ ମାମଲା ହାଇକୋର୍ଟରେ ଦାୟର ହୋଇଥିଲା। ପ୍ରବୀର ଦାସ ନିଜେ ଓ ଶ୍ରୀ ସାମଲଙ୍କ ତରଫରୁ ଆଇନଜୀବୀ ମୋହିତ ଅଗ୍ରୱାଲ ମାମଲା ପରିଚାଳନା କରୁଥିଲେ।