ଭୁବନେଶ୍ବର/କଟକ: ସ୍ପଷ୍ଟ ହସ୍ତାକ୍ଷରରେ ଡାକ୍ତରମାନେ ପ୍ରେସକ୍ରିପ୍‌ସନ୍ ଲେଖିବେ। କ୍ୟାପିଟାଲ ଲେଟର୍‌ ସହ ଔଷଧର ଜେନେରିକ୍‌ ନାମ ସେଥିରେ ଉଲ୍ଲେଖ ରହିବ, ଯେମିତିକି ଜଣେ ସାଧାରଣ ଲୋକ ଔଷଧ ଓ ରୋଗ ବିଷୟରେ ନିଜେ ବୁଝିପାରିବ। ଏକ ମାମଲାର ବିଚାର କରି ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କ ଜଣିକିଆ ଖଣ୍ଡପୀଠ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ, ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ବିଧିବଦ୍ଧ ଭାବେ ସର୍କୁଲାର ଜାରି କରି ସମସ୍ତ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର, ଘରୋଇ କ୍ଲିନିକ୍‌, ସବୁ ମେଡିକାଲ କଲେଜ ଓ ହସ୍ପିଟାଲକୁ ନିର୍ଦ୍ଦେଶ ଦେବାକୁ କହିଛନ୍ତି ହାଇକୋର୍ଟ।

Advertisment

କୋର୍ଟ କହିଛନ୍ତି, ଅସ୍ପଷ୍ଟ ହସ୍ତାକ୍ଷର ଯୋଗୁଁ କେବଳ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉନାହାନ୍ତି ବରଂ ଏହା ଦ୍ବାରା ମେଡିକୋ-ଲିଗାଲ ଡକ୍ୟୁମେଣ୍ଟ୍‌ସ ମଧ୍ୟ ବିଶେଷ ଭାବେ ପ୍ରଭାବିତ ହେଉଛି। ଏହି ଅସ୍ପଷ୍ଟ ଡକ୍ୟୁମେଣ୍ଟ୍‌ସ ଗୁଡିକ ଦ୍ବାରା ତଦନ୍ତ ଓ କୋର୍ଟରେ ବିଚାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ମେଡିକାଲ୍‌ କାଉନସିଲ୍‌ ଅଫ ଇଣ୍ଡିଆ ୨୦୧୬ ମସିହା ସେପ୍ଟେମ୍ବର ୨୧ ତାରିଖ ଦିନ ମେଡିକାଲ୍‌ କାଉନସିଲ୍‌ ଆକ୍ଟ-୧୯୫୬ର ଧାରା ୩୩ ଅନୁଯାୟୀ ଏ ସମ୍ପର୍କିତ ଏକ ବିଜ୍ଞପ୍ତି ଜାରି କରିଥିଲେ।

୨୦୧୫ ମସିହା ଜୁଲାଇ ମାସରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ କଣସରା ଗାଁର ସୌଭାଗ୍ୟ ରଂଜନ ଭୋଇ ସାପ କାମୁଡାରେ ମୃତ୍ୟୁବରଣ କରିଥିଲେ। ସେ ବାବଦକୁ କ୍ଷତିପୂରଣ ଦାବି କରି ତାଙ୍କ ପରିବାର ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ କରାଯାଇଥିଲା। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ହସ୍ତାକ୍ଷର ସ୍ପଷ୍ଟ ନଥିବାରୁ କ୍ଷତିପୂରଣ ରାଶି ମିଳି ନଥିଲା। ଏହାକୁ ଚ୍ୟାଲେଞ୍ଜ କରି ମୃତକଙ୍କ ପିତା ରସାନନ୍ଦ ଭୋଇ ହାଇକୋର୍ଟରେ ଏକ ରିଟ୍‌ ପିଟିସନ ଦାଖଲ କରିଥିଲେ। ହାଇକୋର୍ଟ ଏହି ମାମଲାର ଶୁଣାଣି ସମୟରେ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ବିଶ୍ବରଂଜନ ପତିଙ୍କୁ କୋର୍ଟରେ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ଆବେଦନକାରୀଙ୍କୁ ଏକ ମାସ ମଧ୍ୟରେ ସହାୟତା ରାଶି ଦେବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆବେଦନକାରୀଙ୍କ ପକ୍ଷରୁ ପ୍ରଭାତ କୁମାର ନାୟକ ମାମଲା ପରିଚାଳନା କରୁଥିଲେ।