ବିଧାୟକ ବିଜୟ ଶଙ୍କରଙ୍କ ଅଡ଼ୁଆ ବଢ଼ିଲା

ସୋମାଲିକାଙ୍କ ଏତଲା ପଞ୍ଜୀକରଣ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ସୋମାଲିକା ଦାଶଙ୍କ ଅଭିଯୋଗ ଆଧାରରେ ଏତଲା ରୁଜୁ କରିବାକୁ ପୁଲିସକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ ନିଷ୍କ୍ରିୟତା ଅଭିଯୋଗ ନେଇ ସୋମାଲିକା ଦାୟର କରିଥିବା ଆବେଦନର ହାଇକୋର୍ଟ ଶୁଣାଣି କରି ଜଗତସିଂହପୁର ଥାନା ଆଇଆଇସିଙ୍କୁ ଏତଲା ପଞ୍ଜୀକରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶର ସାର୍ଟିଫାଏଡ କପି ସହିତ ସାନି ଅଭିଯୋଗ ଆବେଦନକାରୀ ଆଇଆଇସିଙ୍କ ନିକଟରେ ଦାଖଲ କରିବେ। ଏହାପରେ ଆଇଆଇସି ଏତଲା ପଞ୍ଜୀକରଣ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସୋମାଲିକାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ପୁଲିସ ନିଷ୍କ୍ରିୟତା ବିରୋଧରେ ସୋମାଲିକା ଦାୟର କରିଥିବା ଆବେଦନରେ ଦର୍ଶାଯାଇଥିଲା ଯେ ୨୦୨୨ ମେ ୧୩ରେ ଏତଲା ପଞ୍ଜୀକରଣ ପାଇଁ ସେ ଜଗତସିଂହପୁର ଥାନା ଆଇଆଇସିଙ୍କ ନିକଟରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। କିନ୍ତୁ ତାଙ୍କ ଅଭିଯୋଗ ଉପରେ କୌଣସି ପଦକ୍ଷେପ ନିଆଯାଇ ନଥିଲା। ଏହି ପ୍ରସଂଗରେ ସେ ଜଗତସିଂହପୁର ଏସପିଙ୍କୁ ମଧ୍ୟ ଜଣାଇଥିଲେ। କିନ୍ତୁ କିଛି ସୁଫଳ ମିଳି ପାରି ନଥିଲା। ଏହାପରେ ବାଧ୍ୟ ହୋଇ ନ୍ୟାୟ ପାଇବା ପାଇଁ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାରେ ଗୃହ ସଚିବ, ପୁଲିସ ଡିଜି, ଜଗତସିଂହପୁର ଏସପି, ଜଗତସିଂହପୁର ଥାନା ଆଇଆଇସି ଓ ବିଜୟ ଶଙ୍କର ଦାଶଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ ବିଜୟ ଶଙ୍କର ଓ ସୋମାଲିକା ସବରେଜିଷ୍ଟ୍ରାର ତଥା ବିବାହ ଅଧିକାରୀଙ୍କ ଅଫିସରେ ବିବାହ ପାଇଁ ଆବେଦନ କରିଥିଲେ। ୯୦ ଦିନର ସମୟସୀମା ଅତିବାହିତ ହୋଇଥିଲେ ମଧ୍ୟ ବିବାହ ହୋଇପାରି ନଥିଲା। ଅନ୍ୟପକ୍ଷରେ ବିଜୟ ଶଙ୍କରଙ୍କ ବିରୋଧରେ ସୋମାଲିକା ଥାନାରେ ଅଭିଯୋଗ କରିଥିଲେ। ଉଭୟଙ୍କ ମଧ୍ୟରେ ଦେଖା ଦେଇଥିବା ବିବାଦକୁ ନେଇ ଥାନାରେ ମାମଲା ପରେ ମଧ୍ୟ ପୁଲିସ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଅଭିଯୋଗ ହୋଇଥିଲା। ସୋମାଲିକାଙ୍କ ତରଫରୁ ଆଇନଜୀବୀ ବ୍ରହ୍ମାନନ୍ଦ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର