ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

୭ ଦିନ ଭିତରେ ପୀଡ଼ିତାଙ୍କୁ ମିଳିବ ୫ ଲକ୍ଷ ଟଙ୍କା
ପୁଅ ହେଲେ ଆଉ ୩ ଲକ୍ଷ, ଝିଅ ହେଲେ ୫ ଲକ୍ଷ
ସବୁ ଜିଲ୍ଲାରେ ଗଠନ ହେବ ମେଡିକାଲ ବୋର୍ଡ

କଟକ : ଜଗତସିଂହପୁର କୁଜଙ୍ଗ ଅଞ୍ଚଳରେ ଘଟିଥିବା ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ହାଇକୋର୍ଟ ଆଜି ନି‌ର୍ଦ୍ଦେଶ ଦେଇଛନ୍ତି। ୭ ଦିନ ମଧ୍ୟରେ ଏହି ଟଙ୍କା ବ୍ୟାଙ୍କରେ ଜମା ରଖିବାକୁ କହିଛନ୍ତି। ଆହୁରି ମଧ୍ୟ ପରବର୍ତ୍ତୀ ସମୟରେ ପୀଡ଼ିତା ଝିଅ ଜନ୍ମକଲେ ୫ ଲକ୍ଷ ଓ ପୁଅ ଜନ୍ମ କଲେ ୩ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଜଷ୍ଟିସ ବିଶ୍ବନାଥ ରଥ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ଅନୁଯାୟୀ ଜଣେ ଶାରୀରିକ ଓ ମାନସିକ ଦୃଷ୍ଟିରୁ ଭିନ୍ନକ୍ଷମ ପୀଡ଼ିତା ଦୁଷ୍କର୍ମର ଶିକାର ହେବା ପରେ ଗର୍ଭବତୀ ହୋଇଥିଲେ। ଏ ନେଇ କୁଜଙ୍ଗ ଥାନାରେ ଅଗଷ୍ଟ ୧୩ରେ ମାମଲା ରୁଜୁ ହୋଇଥିଲା। ପୀଡ଼ିତା ୨୪ ସପ୍ତାହର ଗର୍ଭବତୀ ଥିବାବେଳେ ଗର୍ଭପାତ ପାଇଁ ଅନୁମତି ଲୋଡ଼ି ତାଙ୍କ ମା’ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅଗଷ୍ଟ ୮ରେ ହାଇକୋର୍ଟ ମାମଲାର ଶୁଣାଣି କରି ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା କିପରି ରହିଛି ଓ ଗର୍ଭସ୍ଥ ଶିଶୁର କ’ଣ ଅବସ୍ଥା ରହିଛି, ସେ ନେଇ ରିପୋର୍ଟ ଦାଖଲ ପାଇଁ ଜଗତସିଂହପୁର ସିଡିଏମ୍‌ଓଙ୍କୁ ନି‌େର୍ଦ୍ଦଶ ଦେଇଥିଲେ। ଜଗତସିଂହପୁର ସିଡିଏମ୍‌ଓଙ୍କ ପକ୍ଷରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ଏସ୍‌ସିବି ମେଡିକାଲ କଲେଜର ସ୍ତ୍ରୀ ରୋଗ ବିଭାଗର ଜଣେ ଆସୋସିଏଟ ପ୍ରଫେସର ଓ ଜଣେ ଆସିଷ୍ଟାଣ୍ଟ ପ୍ରଫେସର ଗତ ୯ ତାରିଖ ଦିନ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରିଥିଲେ। ପୀଡ଼ିତା ୨୪ ସପ୍ତାହର ଗର୍ଭବତୀ ରହିଛନ୍ତି ଓ ଏହି ପରିସ୍ଥିତିରେ ଗର୍ଭପାତ ଦ୍ବାରା ତାଙ୍କ ଜୀବନ ପ୍ରତି ବିପଦ ରହିଛି। ରିପୋର୍ଟରେ ଗର୍ଭପାତ ନ କରିବା ସପକ୍ଷରେ ଡାକ୍ତର ମତ ଦେଇଥିଲେ। ଏହାପରେ ଖଣ୍ଡପୀଠ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ଏହି ମାମଲା ରାୟ ପ୍ରକାଶ ପାଇଛି।

ରାୟରେ ପୀଡିତାଙ୍କ ଗର୍ଭପାତ ସଂପର୍କିତ ଆବେଦନକୁ ଖଣ୍ଡପୀଠ ଅଗ୍ରାହ୍ୟ କରିଛନ୍ତି। ତାଙ୍କ ସହିତ ହୋଇଥିବା ଦୁଷ୍କର୍ମ ଯୋଗୁଁ ପୀଡ଼ିତା ନିର୍ଯାତନା ଭୋଗ କରୁଥିବା ବେଳେ ଏଥିପାଇଁ ସରକାର ଦାୟୀ ବୋଲି ଖଣ୍ଡପୀଠ ରାୟ ପ୍ରଦାନ କରିଛନ୍ତି। ଏଥିପାଇଁ ପୀଡ଼ିତାଙ୍କୁ ତୁରନ୍ତ ୭ ଦିନ ଭିତରେ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ପାଇଁ ସରକାରଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏହି ଟଙ୍କା ଏକ ଫିକ୍ସଡ୍ ଡିପୋଜିଟ ଭାବେ ଏକ ଜାତୀୟକରଣ ବ୍ୟାଙ୍କରେ ରଖାଯିବ ଓ ଏଥିରୁ ମିଳିବାକୁ ଥିବା ସୁଧ ବାବଦ ଅର୍ଥ ପୀଡିତାଙ୍କ ପାଇଁ ଖର୍ଚ୍ଚ ହେବ। ଏ ସଂପର୍କିତ ଆକାଉଣ୍ଟ ପରିଚାଳନା ପୀଡିତାଙ୍କ ମା’ କରିବେ। ପୀଡ଼ିତା ବଞ୍ଚିଥିବା ପର୍ଯ୍ୟନ୍ତ ଏହି ଅର୍ଥ ତାଙ୍କ ପାଇଁ ଖର୍ଚ୍ଚ ହେବ। ଏଥିସହିତ ଯଦି ପୀଡ଼ିତା ଏକ ପୁତ୍ର ସନ୍ତାନକୁ ଜନ୍ମ ଦିଅନ୍ତି ତେବେ ୩ ଲକ୍ଷ ଟଙ୍କା ଓ ଯଦି ଏକ କନ୍ୟାସନ୍ତାନକୁ ଜନ୍ମ ଦିଅନ୍ତି ତେବେ ଆଉ ୫ ଲକ୍ଷ ଟଙ୍କା ସରକାର ପ୍ରଦାନ କରିବେ। ପିଲା ଜନ୍ମ ନେବାର ୧୦ ଦିନ ଭିତରେ ଏହି ଅର୍ଥ ପ୍ରଦାନ କରାଯିବ। ଏହି ଟଙ୍କା ମଧ୍ୟ ଏକ ଫିକ୍ସଡ୍ ଡିପୋଜିଟ ଭାବେ ଏକ ଜାତୀୟକରଣ ବ୍ୟାଙ୍କରେ ରଖାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ପ୍ରଦାନ କରାଯାଇଥିବା ଅର୍ଥର ଯେପରି କୌଣସି ପରିଳାନାଗତ ତ୍ରୁଟି ନ ହୁଏ ତାହା ସୁନିଶ୍ଚିତ ପାଇଁ ପଦକ୍ଷେପ ଗ୍ରହଣ ଲାଗି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ରାୟ ଅନୁଯାୟୀ ପ୍ରତି ଜିଲ୍ଲାରେ ଏମ୍‌ଟିପି ଆଇନ ଅନୁସାରେ ତୁରନ୍ତ ମେଡିକାଲ ବୋର୍ଡ ଗଠନ କରାଯିବ। ଏଭଳି ମାମଲାରେ ଡାକ୍ତର ବା ଡାକ୍ତରୀ ଟିମର ରିପୋର୍ଟ ତୁରନ୍ତ ନିଆଯିବ। ଯଦି କୌଣସି ଅଧିକାରୀ ରିପୋର୍ଟ ପ୍ରଦାନରେ ବିଳମ୍ବ କରନ୍ତି ତେବେ ଏ ନେଇ ତାଙ୍କୁ ଦାୟୀ କରାଯିବ।

ଏଥିସହିତ, ଆବେଦନକାରୀଙ୍କ ଆଇନଜୀବୀ ସୁବାସ ଚନ୍ଦ୍ର ପୁଷ୍ପାଳକ, ଏଏସସି ବିଦେଶ ରଂଜନ ବେହେରା ଓ ଏଜିଏ ଜ୍ୟୋତି ପ୍ରକାଶ ପଟ୍ଟନାୟକଙ୍କ ସହଯୋଗ ପ୍ରଶଂସନୀୟ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର