କଟକ : ବରିଷ୍ଠ ନାଗରିକଙ୍କ ସୁରକ୍ଷା ପ୍ରସଙ୍ଗରେ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ ପାଇଁ ଭୁବନେଶ୍ବର ଡିସିପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିଜ ପୁଅ ଓ ପରିବାରର ଅନ୍ୟ ନିର୍ଦ୍ଦିଷ୍ଟ ସଦସ୍ୟଙ୍କ ବିରୋଧରେ କମିସନରେଟ୍ ପୁଲିସକୁ ଲିଖିତ ଭାବେ ଅବଗତ କରିଥିଲେ ମଧ୍ୟ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପ୍ରସଙ୍ଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଅଭିଯୋଗ ହୋଇଥିଲା। ହାଇକୋର୍ଟ ମାମଲାର ଶୁଣାଣି କରି ବରିଷ୍ଠ ନାଗରକଙ୍କ ଅଭିଯୋଗ ଉପରେ ନିଷ୍ପତ୍ତି ନେବାକୁ ଭୁବନେଶ୍ବର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଡିସିପି ଗ୍ରହଣ କରିବାକୁ ଥିବା ନିଷ୍ପତ୍ତି ସଂକ୍ରାନ୍ତରେ ଆବେଦନକାରୀ ବରିଷ୍ଠ ନାଗରିକଙ୍କୁ ତିନି ସପ୍ତାହ ଭିତରେ ଅବଗତ କରିବ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ୍‌ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଭୁବନେଶ୍ବରର ବରିଷ୍ଠ ନାଗରିକଙ୍କ ଆବେଦନର ଶୁଣାଣି କରି ଏପରି ନି‌ର୍ଦ୍ଦେଶ ଦେଇଛନ୍ତି।

Advertisment

ଏ ନେଇ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ସୂଚନା ଦେଇ କହିଛନ୍ତି, ଭୁବନେଶ୍ବର ଖଣ୍ଡଗିରି ଥାନା ଅଞ୍ଚଳରେ ଆବେଦନକାରୀ ଏକ ଦୁଇ ମହଲା ଘର ନିର୍ମାଣ କରି ପରିବାର ସହିତ ରହୁଥିଲେ। ଆବେଦନକାରୀଙ୍କ ସାନ ପୁଅ  ଘର ନିଜ ନାଁରେ କରିବାକୁ କହିବା ସହିତ ବରିଷ୍ଠ ନାଗରିକ ଦମ୍ପତିଙ୍କୁ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ଖଣ୍ଡଗିରି ଥାନାରେ ଏତଲା ରୁଜୁ ହୋଇଥିଲା। ପରବର୍ତ୍ତୀ ସମୟରେ ବରିଷ୍ଠ ନାଗରିକ ସୁରକ୍ଷା ପ୍ରସଙ୍ଗ ନେଇ ଖଣ୍ଡଗିରି ଥାନା ଆଇଆଇସି, ଭୁବନେଶ୍ବର ଡିସିପି  ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ତାଙ୍କ ଅଭିଯୋଗ ଉପରେ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା।